ସୋର: କେତେ ଓଷାବ୍ରତ କରି ପୁଅ ଜନ୍ମ କରିଥିଲେ। ସବୁ ଅଳି, ଅର୍ଦ୍ଦଳି ସହି ତିନିପୁଅଙ୍କୁ ଏଡ଼େରୁ ଏଡ଼େ କଲେ। ଆଉ ଏବେ ବାର୍ଦ୍ଧକ୍ୟରେ ସେହି ପୁଅ ମାଡ଼ମାରି ମାଆକୁ ଘରୁ ତଡ଼ି ଦେଇଛି। ସ୍ବାମୀ ବଞ୍ଚିଥିଲେ ସେ ସାହା ହୋଇଥାନ୍ତେ। ହେଲେ ସେ ବି ଆରପାରିରେ। ଆଜି ସକାଳେ ସୋର ଥାନା ମୂଳିସିଂ ପଞ୍ଚାୟତ ନୂଆଗାଁର ସ୍ବର୍ଗତ ବିଦ୍ୟାଧର ଖଣ୍ଡାଙ୍କ ପତ୍ନୀ ହାରାମଣି ଖଣ୍ଡା (୮୦)ଙ୍କୁ ତାଙ୍କ ପୁଅବୋହୂ ମାଡ଼ମାରି ଘରୁ ତଡ଼ି ଦେଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ହାରାମଣିଙ୍କ ତିନି ପୁଅଙ୍କ ମଧ୍ୟରୁ ଦୁଇଜଣ ସରକାରୀ ଚାକିରୀ କରିଥିବା ବେଳେ ସାନପୁଅ ଗାଡ଼ି ଚଳାଇ ଗୁଜୁରାଣ ମେଣ୍ଟାଇଥାଏ।
ଦୁଇପୁଅ ବାହାରେ ରହୁଛନ୍ତି ଆଉ ସାନପୁଅ ଗାଁରେ ରହି ମାଆଙ୍କ ସେବାଯତ୍ନ କରିଥାଏ। କାଳୀପୂଜା ଛୁଟିରେ ଦୁଇ ଚାକିରିଆ ପୁଅ ସପରିବାର ଘରକୁ ଆସିଛନ୍ତି। ଏଭଳି ସମୟରେ ଗତକାଲି ସନ୍ଧ୍ୟାରେ ହାରାମଣିଙ୍କ ଲୁଗାରେ ଝାଡ଼ା ହୋଇଯିବାରୁ ପୁଅ-ବୋହୂ ତାଙ୍କୁ ମାଡ଼ମାରି ଘରୁ ତଡ଼ିଦେଲେ। ଏପରିକି ଘର ଭିତରକୁ ଆସିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଶୀତକାକରରେ ବିଳମ୍ବିତ ରାତିଯାଏ ବୃଦ୍ଧା ହାରାମଣି ବାରଣ୍ଡାରେ ବସିବା ପରେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ଭଲ ରୋଜଗାର ଥିଲେ ସୁଦ୍ଧା ସ୍ବାମୀଙ୍କ ଅନ୍ତେ ହାରାମଣିଙ୍କୁ ମିଳୁଥିବା ପେନସନ ଗଣ୍ଡାକ ମଧ୍ୟ ପୁଅମାନେ ପରସ୍ପରଙ୍କ ମଧ୍ୟରେ ବାଣ୍ଟି ନେଉଛନ୍ତି। ସେମାନଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆଜି ସକାଳେ ସୋର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ହାରାମଣି।
କେବଳ ହାରାମଣି ନୁହନ୍ତି କେଦାରପୁର ଗ୍ରାମର ମୁରଲୀଧର ବାରିକ (୬୦), ପଦ୍ମଲୋଚନ ଭୋଇ ଓ ସ୍ତ୍ରୀ ଲଷ୍ମୀପ୍ରିୟା ଭୋଇଙ୍କର ମଧ୍ୟ ସମାନ ଅବସ୍ଥା। ମୁରଲୀଧରଙ୍କ ଦୁଇ ପୁଅଝିଅ ଥିବା ବେଳେ ସାନପୁଅର ମାଡ଼ରେ ଲହୁଲୁହାଣ ହୋଇ ଥାନାରେ ପହଞ୍ଚିଥିଲେ। ସେପଟେ ପୁଅର ମାଡ଼ ଭୟରେ ଦୁଇ ଦିନ ହେବ ପଦ୍ମଲୋଚନ ଓ ଲକ୍ଷ୍ମୀପ୍ରିୟା ଘର ଛାଡ଼ି ଏଣେତେଣେ ଲୁଚି ବୁଲିବା ପରେ ଆଜି ସୋର ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ସମସ୍ତ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ସୋର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା ସ୍ବାର୍ଥପର ଓ ବିବେକହୀନ ସନ୍ତାନମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।