ବୁଟ ବିକ୍ରି କରି ଫେରିବା ବେଳେ ଘଟିଲା ଦୁର୍ଘଟଣା: କ୍ଷତିପୂରଣ ଦାବିରେ ୪ ଘଣ୍ଟା ରାସ୍ତାରୋକ

ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କେନ୍ଦୁଝର/ ହରିଚନ୍ଦନପୁର/ ଘଟଗାଁ/ ପଣ୍ଡାପଡ଼ା,୨୮/୧(ଇମିସ): କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ୭୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ବ୍ଲକ୍‌ ଉକୁଚାବେଡ଼ା ଗ୍ରାମ ନିକଟରେ ଆଜି ପୂର୍ବାହ୍ନ ସାଢ଼େ ୯ଟାବେଳେ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୧୧-ଏ-୧୪୫୬) ଓ ଅଟୋରିକ୍ସା (ଓଡି-୦୯-ଏନ-୧୮୮୩ )ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଅଟୋରିକ୍ସାରେ ଥିବା ୪ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ଗ୍ରାମର ଜୀବନ ନାଏକ (୩୦), ରାଧୁ ନାଏକ (୬୨), ନବୀନ ନାଏକ (୫୦), ପ୍ରହଲ୍ଲାଦ ନାଏକ (୩୫)। ଗୁରୁତରମାନେ ହେଲେ ସେହି ଗ୍ରାମର ସନାତନ ନାଏକ (୬୫), ଭାସ୍କର ସେଠୀ (୬୦), ଚତୁର୍ଭୁଜ ନାଏକ (୫୦) ଏବଂ ଧନୁର୍ଜୟପୁର ଗ୍ରାମର ଲିଟୁ ନାଏକ (୨୫)।

ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ଗ୍ରାମର ୭ଜଣ ଓ ଧନୁର୍ଜୟପୁର ଗ୍ରାମର ଜଣେ ବୁଟଚାଷୀ ଆଜି ଭୋରରୁ ଅଟୋରେ ବୁଟ ନେଇ କେନ୍ଦୁଝର ଯାଇଥିଲେ। ସେଠାରେ ବୁଟ ବିକ୍ରି କରି ପୁଣି ସେହି ଅଟୋରେ ଘରକୁ ଫେରୁଥିଲେ। ଉକୁଚାବେଡ଼ା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ଅଟୋଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ନିଆଯାଉଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଅଟୋ ଯୋଗେ କେନ୍ଦୁଝର ଡାକ୍ତରଖାନା ପଠାଇଥିଲେ। ସନାତନ ନାଏକ ଓ ଭାସ୍କର ସେଠୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ଫେରାର ହୋଇଯାଇଛି। ଖବର ପାଇ ପଣ୍ଡାପଡ଼ା ଥାନା ଅଧିକାରୀ ସୁସ୍ମିତା ଦେବତା ଘଟଣାସ୍ଥଳରେ ପହଞ୍ଚି ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିବା ସହ କେସ୍‌ ନମ୍ବର ୨୧/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବଡ଼କମଣ୍ଡରା ଗ୍ରାମବାସୀ ସେଠାରେ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ୪ ଘଣ୍ଟା ଧରି ରାସ୍ତାରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେନ୍ଦୁଝର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, କେନ୍ଦୁଝର ସଦର ତହସିଲଦାର ଆଶିଷ ମହାପାତ୍ର, ପଣ୍ଡାପଡ଼ା ଥାନା ଅଧିକାରୀ ସୁସ୍ମିତା ଦେବତା, ଏସ୍‌ଆଇ ରାମଚନ୍ଦ୍ର ମହାନ୍ତ, ଏଏସ୍‌ଆଇ ଶଶିଭୂଷଣ ବିଶ୍ବାଳ ଓ ପିକେ ନାୟକ ପ୍ରମୁଖ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ରୁ ତତ୍କାଳ ୨୦ ହଜାର ଟଙ୍କା ଲେଖ‌ାଏଁ ସହାୟତା ପ୍ରଦାନ କରିଥି‌ଲେ। ଗୁରୁତରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଅପରାହ୍‌ଣ ୩ଟା ବେଳେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର