ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ଉଦ୍‌ବେଗଜନକ

ପ୍ରଥମ ଦୁଇ ମାସରେ ବଢ଼ିଛି ୨୪.୯୧%, ୩ ଜିଲ୍ଲାରେ ସାଂଘାତିକ ସ୍ଥିତି

ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ଅପ୍ରତ୍ୟାଶିତ ଭାବେ ବଢ଼ିଚାଲିଛି। କିଛି ଜିଲ୍ଲାରେ ଏହି ହାର ଅତି ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଦୁଇଶହ ପ୍ରତିଶତ ଛୁଇଁବାକୁ ବସିଛି। ୧୦ ଜିଲ୍ଲାରେ ହାର ୫୦ ପ୍ରତିଶତ ଉପରେ ରହିଛି। ଏହାଉପରେ ରୋକ୍‌ ଲଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଆଜି ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି କରିଛନ୍ତି।

ସରକାରୀ ତଥ୍ୟ ମୁତାବକ, ଗତ ଜାନୁଆରି ଓ ଫେବ୍ରୁଆରି, ମାତ୍ର ୨ ମାସରେ ରାଜ୍ୟରେ ୨ହଜାର ୨୧୬ଜଣଙ୍କ ମୃତ୍ୟୁ ଘଟିଛି। ଜାନୁଆରିରେ ୧୦୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫେବ୍ରୁଆରିରେ ଏହାର ଦୁଇଗୁଣରୁ ଅଧିକ ଅର୍ଥାତ୍‌ ୨ହଜାର ୨୧୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୨୨ ମସିହା ସହ ତୁଳନା କରାଗଲେ, ଚଳିତବର୍ଷ ମୃତ୍ୟୁ ହାର ୨୪.୯୧ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ପ୍ରଥମ ୨ ମାସରେ ୧ହଜାର ୬୫୭ଜଣ ପ୍ରାଣ ହରାଇଥିଲେ। ଜାନୁଆରିରେ ୧୮୦୪ ଓ ଫେବ୍ରୁଆରିରେ ୮୫୯ଜଣଙ୍କ ମୃତ୍ୟୁ ହୋଇଥିଲା।

୧୦ ଜିଲ୍ଲାରେ ୫୦% ଉପରେ
ମାସରେ ଅତି କମ୍‌ରେ ଥରେ ସମୀକ୍ଷା ବୈଠକ ପାଇଁ ଡିଆର୍‌ଏସ୍‌ସିକୁ ନିର୍ଦ୍ଦେଶ
ଯୋଗାଇ ଦିଆଯିବ ପାଣ୍ଠି, ୨୦ ସୁଦ୍ଧା ତାଲିକା ଦିଅ

ବିଭିନ୍ନ ସରକାରୀ ପଦକ୍ଷେପ ଓ ସଚେତନତା ସତ୍ତ୍ବେ ଦେବଗଡ଼, ଯାଜପୁର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଏ ବର୍ଷ ଏହି ହାର ଶହେ ପ୍ରତିଶତ ଟପିଛି। ଯାଜପୁରରେ ସର୍ବାଧିକ ୧୮୫ ପ୍ରତିଶତ, ପଛକୁ ଦେବଗଡ଼ ଜିଲ୍ଲାରେ ୧୩୩.୩୩% ଏବଂ ଝାରସୁଗୁଡ଼ାରେ ୧୧୫.୩୮% ରହିଛି। ଏହାଛଡ଼ା ଗଜପତି, ଜଗସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ମାଲକାନଗିରି ଏବଂ ନୂଆପଡ଼ା ଭଳି ଜିଲ୍ଲାରେ ମୃତ୍ୟୁହାର ୫୦%ରୁ ଅଧିକ ରହିଛି। କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ମୁତାବକ, ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫ହଜାର ୪୬୭ଜଣଙ୍କ ମୃତ୍ୟୁ ଘଟିଥିଲା। ଯାହାକି ୨୦୨୧ ମସିହା ତୁଳନାରେ ୭.୬% ଅଧିକ।

ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାଠାରୁ ଆରମ୍ଭ କରି ରାସ୍ତାର ଇଂଜିନିୟରିଂର ତ୍ରୁଟି ଉପରେ ପଦକ୍ଷେପ ନେବା, ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ଏନ୍‌ଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତି କମ୍‌ରେ ମାସକୁ ଥରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି(ଡିଆର୍‌ଏସ୍‌ସି) ବୈଠକ କରି ଜିଲ୍ଲାର ସଡ଼କ ସୁରକ୍ଷା ସ୍ଥିତି ଉପରେ ସମୀକ୍ଷା କରିବାକୁ କୁହାଯାଇଛି। ଏହାବ୍ୟତୀତ ସହରର ପ୍ରମୁଖ ରାସ୍ତା, ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ଲଗାଇବା, ରିଫ୍ଲେକ୍ଟର, ସାଇନ୍‌-ଏଜ୍‌ ଆଦି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ କୁହାଯାଉଛି। ତେଣୁ ସମସ୍ତ ଡିଆର୍‌ଏସ୍‌ସି ଆସନ୍ତା ୨୦ ତାରିଖ ସୁଦ୍ଧା ପାଣ୍ଠି ବାବଦକୁ ନିଜ ନିଜର ତାଲିକା ଦେବାକୁ କୁହାଯାଇଛି। ଆର୍‌ଟିଓ ଅଧିକାରୀମାନେ ନିଜ ଜିଲ୍ଲାର ତାଲିକା ସଂଗ୍ରହ ଦିଗରେ ସହଯୋଗ କରିବେ।‌ ସେମାନେ ଏହି ତାଲିକା ଠିକ୍‌ ସମୟରେ ପାଇଛନ୍ତି କି ନାହିଁ ନିଶ୍ଚିତ କରିବେ।

ସମ୍ବନ୍ଧିତ ଖବର