କୋର୍ଟ ପରିସରରେ ଗଞ୍ଜେଇ ମାମଲାର ଅଭିଯୁକ୍ତ ମୃତ୍ୟୁ

ଜୟପୁର: ଗଞ୍ଜେଇ ଚାଲାଣ ମାମଲାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କ ଜୟପୁର ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ମୃତ୍ୟୁ ଘଟିଛି। ମୃତକ ଜଣକ ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା ଅନ୍ତର୍ଗତ ଖିଆଲିପୁଟ ଗ୍ରାମର ସଦନ ପାଙ୍ଗି (୪୮) ବୋଲି ପୁଲିସ କହିଛି। ଜୟପୁର ଟାଉନ୍‌ ପୁଲିସ ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ସଦନଙ୍କ ଅଚାନକ ମୃତ୍ୟୁର କାଣ ସ୍ପଷ୍ଟ ହୋଇପାରିନି।

ସୂଚନା ଅନୁଯାୟୀ, ଗତ ବର୍ଷ ଜୁନ‌୍ ମାସରେ ବୈପାରିଗୁଡ଼ା ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଥିଲା। ପୁଲିସ ୧୧୮ କିଲୋ ଗଞ୍ଜେଇ ଜବତ କରିବା ସହିତ ଏହି ମାମଲାରେ ସଦନ ପାଙ୍ଗିଙ୍କ ସମେତ ୩ ଜଣ ଅଭିଯୁକ୍ତକୁ ଗିରିଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ସଦନ ଜେଲ୍‌ରୁ ‌ଜାମିନରେ ବାହାରିଥିଲେ। ଜୟପୁର ସ୍ଥିତ ଜିଲ୍ଲା କୋର୍ଟରେ ଟିଆର ନଂ-୪୩/୨୦୨୧ ଅନୁଯାୟୀ ଏହି ମାମଲା ବିଚାରାଧୀନ ଥିବାରୁ ସଦନ ଆଜି କୋର୍ଟରେ ହାଜର ହେବାର ଥିଲା। ତେଣୁ ସଦନ ଆଜି ସକାଳୁ କୋର୍ଟରେ ପହଞ୍ଚିଥିଲେ। ସେ କୋର୍ଟରେ ହାଜର ହେବା ସହ ରେଜିଷ୍ଟରରେ ଦସ୍ତଖତ ମଧ୍ୟ କରିଥିଲେ।

କୋର୍ଟରେ ହାଜର ହେବା ପରେ ସଦନ ଅପରାହ୍ନ ୨ଟା ପରେ ଚା‌ ପିଇବା ପାଇଁ କୋର୍ଟ ପରିସରେ ଥିବା ଏକ ଦୋକାନକୁ ଯାଉଥିଲେ। ତେବେ ହଠାତ୍ ମୁହଁ ମାଡ଼ି କଂକ୍ରିଟ୍‌‌ ରାସ୍ତାରେ ପ‌ଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଆଇନଜୀବୀମାନେ ତାଙ୍କୁ ଉଦ୍ଧାର କରି ଜୟପୁର ପୌରପାଳିକାର ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସଦନଙ୍କ ସମ୍ପର୍କୀୟ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସଆ୍‌ଇ ସତ୍ୟବାଦୀ ନାୟକ କହିଛନ୍ତି। ପ୍ରକାଶ ଥାଉକି, ସଦନଙ୍କ ପାଇଁ ଆଇନଜୀବୀ ଗିରିଧର ଖରା ଓ ହରିଶ୍ଚନ୍ଦ୍ର ମୁଦୁଲି ମକଦ୍ଦମା ଲଢ଼ୁଥିଲେ।

ସମ୍ବନ୍ଧିତ ଖବର