ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲ ଓ କଲେଜର ମାଲିକ ଗୋବିନ୍ଦ ସାହୁ ପୁଲିସ୍ ବ୍ୟାରେକରୁ ଚମ୍ପଟ ଘଟଣାରେ ୩ ପୁଲିସ୍ କର୍ମଚାରୀ ସସପେଣ୍ଡ ହୋଇଥିବା ଜଣାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏସପି ସେମାନଙ୍କୁ ସସପେଣ୍ଡ କରିଥିବା ଜଣାଯାଇଛି।
ସନସାଇନ ପବ୍ଲିକ ସ୍କୁଲ ଓ କଲେଜରେ ଚାଲିଥିଲା ଯୌନ କେଳେଙ୍କାରୀ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗାଁର ମମିତା ମେହେର ନିଖୋଜ ମାମଲାରେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଲାଣି। ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ୩ଟି ଜିଲ୍ଲାର ପୁଲିସ ତନାଘନା ତଦନ୍ତ ଚଲାଇଥିବା ବେଳେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ଗତକାଲି ରାତିରେ ପୁଲିସ୍ ବ୍ୟାରେକ୍ରୁ ଚମ୍ପଟ ହୋଇଥିଲେ। ପୁଲିସ ତାଙ୍କୁ ଚମ୍ପଟ ମାରିବାରେ ସହାୟତା କରିଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଏପଟେ ଘଟଣାକୁ ନେଇ ଚାପରେ ଥିବା ପରିବାର ଲୋକେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଏହାସହ ଏଫଆଇଆର କପି ସହ ଅନେକ ଗୁରୁତ୍ୱପୂର୍ଣ୍ଣ କଲରେକର୍ଡ ‘ସମ୍ବାଦ’ ହାତରେ ଲାଗିଛି ।
ଯେଉଁ କଲରେକର୍ଡ ସାମ୍ନାକୁ ଆସିଛି ସେଥିରେ ଶିକ୍ଷୟତ୍ରୀ ମମିତା ମେହେରଙ୍କ ଅନ୍ୟ ସହଯୋଗୀ ଶିକ୍ଷୟତ୍ରୀ ଓ ତାଙ୍କ ସଂର୍ପକୀୟ ଭାଇଙ୍କ କଥାବାର୍ତ୍ତା ରହିଛି। ସେଥିରେ ଭୟଙ୍କର ତଥ୍ୟ ରହିଛି। ସହଯୋଗୀ ଶିକ୍ଷୟତ୍ରୀ ସିଧାସଳଖ କହୁଛନ୍ତି, ‘‘ମମିତା ମ୍ୟାଡମଙ୍କୁ ସ୍କୁଲର ସଭାପତି ଗୋବିନ୍ଦ ସାହୁ ଡାକିଥିଲେ। ମିଟିଂ ବାହାନା କରି ମମିତାଙ୍କୁ ଡାକିଥିଲେ ପ୍ରେସିଡେଣ୍ଟ। ଅଧାରାସ୍ତାରୁ ପ୍ରେସିଣ୍ଡେଣ୍ଟ ମମିତାଙ୍କୁ ଆଣିବାର ଯୋଜନା ଥିଲା। ଗୋଟିଏ ଗୁରୁତ୍ୱପୁର୍ଣ୍ଣ କଥା ଜଣିଥାଅ, ପ୍ରେସିଣ୍ଡେଣ୍ଟ ଝିଅମାନଙ୍କ ସହିତ ଖରାପ ସମ୍ପର୍କ ରଖିଥାନ୍ତି। ଏଥିପାଇଁ ଅଧିକ ସନ୍ଦେହ ହେଉଛି ମମିତା ମ୍ୟାଡମ ପ୍ରେସିଡେଣ୍ଟଙ୍କୁ ଓପନ ଚ୍ୟାଲେଞ୍ଜ କରି ବରବାଦ କରିବାର ଧମକ ଦେଇଥିଲେ। ତୋର ଏସବୁ ଖରାପ କାମର ପର୍ଦ୍ଦାଫାସ କରିଦେବି। ଗତ ଜୁଲାଇ ମାସରେ ମମିତାଙ୍କ ଘରକୁ ଯାଇଥିଲେ ପ୍ରେସିଣ୍ଡେଣ୍ଟ ଗୋବିନ୍ଦ ସାହୁ। ଆଉ ସେହି ସମୟରେ ଧମକ ଦେଇଥିଲେ ମମିତା। ମମିତାଙ୍କ ପାଖରେ ପ୍ରେସିଡେଣ୍ଟ କରୁଥିବା ଖରାପ କାମର ଅନେକ ପ୍ରମାଣ ଥିଲା। ଆମେ ପ୍ରେସିଡେଣ୍ଟର ଖରାପ କାମ ପର୍ଦ୍ଦାଫାସ କରିବା ପାଇଁ ମମିତା ମ୍ୟାଡମଙ୍କ ସହିତ ମିଶି ଯୋଜନା କରିଥିଲୁ। ଏଥିପାଇଁ ଏକ ଫେକ ଆଇଡିରେ ସଦସ୍ୟ ସଂଗ୍ରହ କରୁଥିଲୁ। କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ଆଗରୁ ମାଡାମ୍ ନିଖୋଜ ।’’
ଅପହୃତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ଅନ୍ୟ ଜଣେ ସହେଯାଗୀଙ୍କ ଏଭଳି କଥାବାର୍ତ୍ତାରୁ ସ୍କୁଲର ପ୍ରେସିଡେଣ୍ଟଙ୍କ ଉପରେ ସନ୍ଦେହ ଘନୀଭୂତ ହେଉଛି । ଅନ୍ୟପଟେ ମମିତା ମେହେରଙ୍କ ଭାଇ ବଣ୍ଟି ମେହେର ମଧ୍ୟ ଗୋବିନ୍ଦ ସାହୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏପରିକି ସିନ୍ଧେକେଲା ଥାନାରେ ଗତ ୧୩ ତାରିଖରେ ସେ ଅଭିଯୋଗ କରିଥିଲେ। ଗତ ଚାରିଦିନ ହେବ ପୁଲିସ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିବା ବେଳେ ମମିତାଙ୍କ ଲ୍ୟାପଟପ ଜବତ କରି ତଦନ୍ତ ଚଳାଇଛି। ତେବେ ଲ୍ୟାପଟପ ଭିତରେ ଅନେକ ପ୍ରମାଣ ଖୁନ୍ଦି ହୋଇରହିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Govinda-Sahu-Escape_Thumbnail-2.jpg)