ବ୍ରହ୍ମପୁର : ଜଣେ ମହିଳାଙ୍କ ଫଟୋକୁ କଦର୍ଥ କରି ଏଡିଟ୍ ସହ ବ୍ଲାକମେଲିଂ କରୁଥିବା ନେଇ ଜଣେ ଯୁବକ ବିରୋଧରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ‌ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲା ଭୀଷ୍ମ କୁମାର ଦାସ (୩୦)। ଜାମିନ୍ ନାମଂଜୁର ହେବାରୁ ତା’କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ବ୍ରହ୍ମପୁର ବଡ଼ବଜାର ଅଂଚଳରେ ରହୁଥିବା ଅଭିଯୋଗକାରୀ ମହିଳାଙ୍କ ସାହିରେ ଅଭିଯୁକ୍ତ ଯୁବକ ପ୍ରାୟ ୪ବର୍ଷ ତଳେ ଆସି ରହିଥିଲା। ପରିଚୟ ଦେଇ ମହିଳାଙ୍କ ବିଶ୍ବାସ ଜିତିବା ସହ ମୋବାଇଲ୍ ନମ୍ବର ମାଗି ନେଇଥିଲା। ପ୍ରଥମେ ଭଲରେ କଥାବାର୍ତ୍ତା ହେଉଥିଲା। କିନ୍ତୁ ମହିଳାଙ୍କ ଅଜାଣତରେ ସେ ତାଙ୍କର କିଛି ଫଟୋ ଉଠାଇଥିଲା। ହଠାତ୍ ଦିନେ କହିଲା, ମହିଳାଙ୍କ ବହୁତ ଫଟୋ ତା’ପାଖେ ଅଛି, ସେ ଯେମିତି ଚାହୁଁଚି ‌େସମିତି କଥା ନହେଲେ, ଫଟୋ ଗୁଡ଼ିକୁ ଏଡିଟ୍ କରି କଦର୍ଥ କରିବା ସହ ତାଙ୍କ ସ୍ବାମୀ ଓ ପରିବାରଲୋକଙ୍କ ପାଖକୁ ପଠାଇ ଦେବ। ତା’ପରେ ହ୍ବାଟସ୍ଆପ୍‌ ଷ୍ଟାଟସ୍‌ରୁ କିଛି ଫଟୋ ଏବଂ ସେ ଭିଡିଓ କଲ୍ କରି କଥା ହେବାର ସ୍କ୍ରିନ୍‌ସଟ୍ ସଂଗ୍ରହ କରି ବ୍ଲାକ୍‌ମେଲିଂ ଆରମ୍ଭ କଲା।

୨୦ହଜାର ଟଙ୍କା ନଦେଲେ ଜୀବନରେ ମାରିଦେବ ଓ ସବୁ କଦର୍ଥ ଫଟୋ ସୋସିଅାଲ୍ ମିଡିଆରେ ଛାଡ଼ିଦେବ ବୋଲି ଧମକ ଦେଇଥିଲା। ସେଥିରେ ଡରିଯାଇ ମହିଳା ଜଣକ ଗତ ଅକ୍ଟୋବର୍‌ ମାସରେ ୫ହଜାର ଟଙ୍କା ତା’କୁ ନେଇ ଦେଇଥିଲେ। କିନ୍ତୁ ଏତିକିରେ ସେ ଅଟକିନଥିଲା। ଶାରୀରିକ ସମ୍ପର୍କ ନରଖିଲେ, ସ୍ବାମୀ ଓ ପରିବାରବର୍ଗଙ୍କୁ ଏଡିଟ୍ ହୋଇଥିବା ଫଟୋ ଓ ଭିଡ଼ିଓ ପଠାଇ ଦେବ ଏବଂ ତାଙ୍କ ସ୍ବାମୀଙ୍କୁ ମାରିଦେବ ବୋଲି କହି ବାରମ୍ବାର ଧମକ ଦେଇଥିଲା। ଗତ ୧୧ତାରିଖରେ କିଛି ଏଡିଟ୍ ଫଟୋ ମହିଳାଙ୍କ ପାଖକୁ ପଠାଇ ପରେ ଡିଲିଟ୍ କରି ଦେଇଥିଲା। ପୁଣି ଗତକାଲି ସେଭଳି ଫଟୋ ମହିଳାଙ୍କ ଭାଇକୁ ପଠାଇ, କିଛି ସମୟ ପରେ ଡିଲିଟ୍ କରିଦେଲା। ଏହାପରେ ମହିଳାଙ୍କ ସ୍ବାମୀଙ୍କୁ ଫୋନ୍‌ କରି ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। ଏନେଇ ପରିବାରବର୍ଗଙ୍କ ସହ ଆଲୋଚନା ପରେ ସେମାନଙ୍କ ପରାମର୍ଶକ୍ରମେ ମହିଳା ଜଣକ ସାଇବର ଓ ଅର୍ଥନୈତିକ ଥାନାରେ ଏତଲା ଦେଇଥିଲେ।