କାଠଗାଡ଼ି ଛଡ଼ାଇନେବା ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

କୋରେଇ : କୋରେଇ ଥାନା ଅନ୍ଧାରି ଛକରେ ୪ ମାସ ତଳେ ଫରେଷ୍ଟରଙ୍କୁ ଆକ୍ରମଣ କରି ଚୋରାକାଠ ବୋଝେଇ ଗାଡ଼ି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ପୁଲିସ ଧନେଶ୍ବର ଛକରୁ ଗିରଫ କରିବାକୁ ସକ୍ଷମ ହୋଇଛି। ଅଭିଯୁକ୍ତ କାଠ‌ ବେପାରୀ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଞ୍ଚଳର ନିତ୍ୟାନନ୍ଦପୁର ଗ୍ରାମର ପୁରସ୍ତମ ବେହେରା। ଗତକାଲି ରାତିରେ ପୁରସ୍ତମକୁ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ବାଇକ୍‌ ସହ କାବୁ କରି ନେଇଥିଲେ। ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସରେ ଜାତୀୟ ରାଜପଥ-୨୦ରେ ଏକ ମିନି ଟ୍ରକରେ ଚୋରାକାଠ ଚାଲାଣ ହେଉଥିଲା।  ଅନ୍ଧାରୀ ଛକରେ ଯାଜପୁରରୋଡ ବନାଞ୍ଚଳର ଫରେଷ୍ଟର ଏହି ଗାଡ଼ିଟିକୁ ଅଟକାଇଥିଲେ। ଡ୍ରାଇଭର ଏନେଇ ଆଗରେ ଯାଉଥିବା କାଠ ବେପାରୀ ପୁରସ୍ତମଙ୍କୁ ଫୋନ କରି ଜଣାଇଥିଲା। ପୁରସ୍ତମ ଫେରିଆସି ପରେଷ୍ଟରଙ୍କୁ ଆକ୍ରମଣ କରି ଗାଡ଼ିର ଚାବିକାଠି ଛଡ଼ାଇ ନେଇ ଡ୍ରଇଭରକୁ  ଦେଇଥିଲା। ଡ୍ରାଇଭର ତୁରନ୍ତ କାଠଗାଡ଼ିକୁ ବୁଲାଇ ସାଇଁକୁଳ ଗ୍ରାମର ଏକ ସ୍କୁଲ ହତା ଭିତରେ ଓହ୍ଲାଇ ଫେରାର ହୋଇଯାଇଥିଲା। ଫରେଷ୍ଟର ପିଛାକରି ସାଇଁକୁଳରୁ କାଠକୁ ଜବତ କରିଥିଲେ। ଏନେଇ କୋରେଇ ଥାନାରେ ଟାଟା ଏସି ଡ୍ରାଇଭର ଧର୍ମଶାଳା ଥାନା ଖରିପଡ଼ିଆ ଗ୍ରାମର ବିରଞ୍ଚି ନାରାୟଣ ଦାସ ଓ କାଠ ବ୍ୟବସାୟୀ ନିତ୍ୟାନନ୍ଦପୁର ଗ୍ରାମର ପୁରସ୍ତମ ବେହେରାଙ୍କ ନାମରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର