ଅଭିଯୁକ୍ତକୁ ପିଟିପିଟି ମାରିଦେଲା ପୁଲିସ! ୮ ଘଣ୍ଟା ପରେ ବି ଦେଖାଇଲେନି ମୃତଦେହ

ପ୍ରତିବାଦରେ ଫାଣ୍ଡି ଘେରାଉ, ପୁଲିସ ଉପରକୁ ଟେକାମାଡ଼, ନୀଳଗିରିରେ ଉତ୍ତେଜନା, ୨ ପ୍ଲାଟୁନ୍ ଫୋର୍ସ ମୁତୟନ

ବାଲେଶ୍ବର/ନୀଳଗିରି: ଚୋରି ଅଭିଯୋଗରେ ଗିରଫ ହୋଇଥିବା ଜଣେ ଯୁବକଙ୍କୁ ପୁଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ଯୁବକ ଜଣକ ହେଲେ ରାଜୁ ସିଂ (୩୦)। ତାଙ୍କ ଘର ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପ୍ରତାପପୁର ଅଞ୍ଚଳରେ। ଏହି ଘଟଣାକୁ ନେଇ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯିବା ପରେ ସେଠାରେ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଅଯୋଧ୍ୟା ଫାଣ୍ଡି ଘେରାଉ କରିଥିବାବେଳେ ପୁଲିସ ଉପରକୁ ଟେକାପଥର ମାଡ଼ କରିଛନ୍ତି। ଏଥିରେ ଜଣେ କନଷ୍ଟେବଳଙ୍କ ମୁଣ୍ଡ ଫାଟି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନୀଳଗିରି ଏସଡିପିଓ ଅମୂଲ୍ୟ ଧର, ଥାନା ଆଇଆଇସି ମୀନତି ବିଶ୍ବାଳଙ୍କ ସହିତ ଅନ୍ୟ ପୁଲିସ ପଦାଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛନ୍ତି।

ଅଭିଯୋଗ ମୁତାବକ, ଗତ ବୁଧବାର ରାତିରେ ରାଜୁ ଓ ତାର ସହଯୋଗୀ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିଥିଲେ। ଏ ନେଇ ଥାନାରେ ସଂପୃକ୍ତ ବ୍ୟକ୍ତି ଏତଲା ଦେବା ପରେ ପୁଲିସ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ରାଜୁ ଓ ତାର ସହଯୋଗୀଙ୍କୁ ଗିରଫ କରିବା ସହ କିଛି ଜିନିଷପତ୍ର ଜବତ କରିଥିଲା। ତେବେ ଶୁକ୍ରବାର ହଠାତ୍‌ ପୁଲିସ ରାଜୁଙ୍କ ଘରେ ପହଞ୍ଚି ରାଜୁ ଅସୁସ୍ଥ ଥିବା ଏବଂ ତାକୁ ବାଲେଶ୍ବର ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି କହିଥିଲା। ହେଲେ ରାଜୁଙ୍କର କଣ ହୋଇଛି ବୋଲି ପତ୍ନୀ ବାସନ୍ତୀ ସିଂ ପଚାରିବାରୁ କିଛି କହିନଥିଲା ପୁଲିସ। ଅପରନ୍ତୁ ପରିବାର ଲୋକଙ୍କୁ ହଜାରେ ଟଙ୍କା ଧରାଇ ଅସୁସ୍ଥ ରାଜୁକୁ ତୁରନ୍ତ ଡାକ୍ତରଖାନାରେ ଦେଖା କରିବାକୁ କହିଥିଲା। ପୁଲିସଠୁ ଏହି ଖବର ପାଇ ପତ୍ନୀ ବାସନ୍ତୀ ଓ ମା ଶୁକୁରୁ ସିଂ ତତକ୍ଷଣାତ ବଡ଼ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ବେଡ୍‌ରେ ଶଯ୍ୟାଶାୟୀ ରାଜୁର ହାତ ଓ ଗୋଡ଼କୁ ହ୍ୟାଣ୍ଡକପ୍ ପକାଯାଇଥିବାବେଳେ ପାଖରେ ୩ ଜଣ ପୁଲିସ ଜଗି ବସିଥିଲେ। ପାଖକୁ ଯିବା ପାଇଁ ପତ୍ନୀ ଓ ମା ଯେତେ କାକୁତିମିନତି ହୋଇଥିଲେ ବି ପୁଲିସ ଛାଡ଼ି ନଥିଲା। କିଛି ହୋଇନି। ଛାତିରେ ଟିକେ ଯନ୍ତ୍ରଣା ହୋଇଛି, ଠିକ୍‌ ହୋଇଯିବ ବୋଲି କହିଥିଲା ପୁଲିସ। ଡାକ୍ତରଖାନାରେ କିଛି ସମୟ ରହିବା ପରେ ପତ୍ନୀ ଓ ମା ଫେରି ଆସିଥିଲେ। ମଙ୍ଗଳବାର ଅର୍ଥାତ ଆଜି ସକାଳେ ରାଜୁଙ୍କର ମୃତ୍ୟୁ ଘଟିଥିବା ପୁଲିସ ଜଣାଇଥିଲା।

ସକାଳ ପାଖାପାଖି ୯ଟା ସମୟରେ ରାଜୁଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ପରେ ମୃତଦେହ ଦେଖାଇବା ପାଇଁ କହିଥିଲେ। ହେଲେ ସକାଳୁ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପାଖାପାଖି ୮ ଘଣ୍ଟା କାଳ ଡାକ୍ତରଖାନା ପରିସରରେ ଅପେକ୍ଷା କରିବା ପରେ ମଧ୍ୟ ପୁଲିସ ମୃତଦେହକୁ ଦେଖାଇ ନଥିଲା। ଓଲଟା ବ୍ୟବଚ୍ଛେଦ ପରେ ମୃତଦେହ ଦିଆଯିବ ବୋଲି କହିଥିଲା। ମୃତଦେହ ‌ନ ଦେଖାଇବାରୁ ପରିବାର ଲୋକ ଗାଁକୁ ଫେରିଯାଇଥିଲେ। ମୃତ ରାଜୁଙ୍କ ଗାଁରେ ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଅଯୋଧ୍ୟା ଫାଣ୍ଡି ଘେରାଉ କରିବା ସହ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ପୁଲିସ ହାଜତରେ ଅକଥନୀୟ ନିର୍ଯାତନା ଯୋଗୁଁ ରାଜୁର ମୃତ୍ୟୁ ହୋଇଥିବା, ଶରୀ‌ରରେ ମାଡ଼ ଚିହ୍ନ ଥିବାରୁ ନିଜ ଦୋଷ ଲୁଚାଇବାକୁ ଯାଇ ପୁଲିସ ମୃତଦେହ ଦେଖାଉ ନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଅନ୍ୟପଟେ ନୀଳଗିରି ଥାନା ଆଇଆଇସି ମୀନତି ବିଶ୍ବାଳ ମାଡ଼ ମରାଯିବା କଥାକୁ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର