ପୂବର୍ତନ ମନ୍ତ୍ରୀଙ୍କ ପିଛା କରୁଥିଲେ ଅଭିଯୁକ୍ତ ?

ବ୍ରଜରାଜନଗର: ପ୍ରାୟ ୨ ମାସ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବ୍ରଜରାଜନଗର ଗସ୍ତରେ ଆସିଥିଲେ। ସିସିଟିଭି ଲାଗିବା ପାଇଁ ଗାନ୍ଧିଛକରେ ଭୂମିପୂଜା କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ବାମ ପାର୍ଶ୍ଵରେ ବ୍ରଜରାଜନଗର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଡାହାଣ ପାର୍ଶ୍ଵରେ ଏଏସ୍‌ଆଇ ଗୋପାଳ ଦାସ ଥିବା ସେତେବେଳେ ଉଠାଯାଇଥିବା ଫଟୋରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ଶ୍ରୀ ଦାସଙ୍କ ଆଗରେ ପୌର ଉପାଧ୍ୟକ୍ଷ କୃଷ୍ଣ ଗୋପାଳ ସିତାନି ଓ ପଛରେ ପୂର୍ବତନ ଉପନଗରପାଳ ଜୟନ୍ତ ଦୀକ୍ଷିତ ଚାଲୁଥିବା ଦେଖାଯାଇଛି। ଏଠାରେ ହତ୍ୟା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅତି ନିକଟରେ ଥିବା ଦେଖିବାକୁ ମିଳିଛି। ସେହିଭଳି ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ସେ ମନ୍ତ୍ରୀ ନବକିଶୋରଙ୍କ ପଛପାଖରେ ରହିଥିବା ଦେଖାଯାଉଛି।

ହତ୍ୟାକାଣ୍ଡ ପରେ ଏହି ଫଟୋ ଏବେ ଚର୍ଚ୍ଚାକୁ ଆସିଛି। ଅଭିଯୁକ୍ତ ଏଏସଆଇ ଗାନ୍ଧୀଛକ ପୁଲିସ ଫାଣ୍ଡିର ଅଧିକାରୀ ରୂପେ ସେଠାରେ ଡ୍ୟୁଟିରେ ଉପସ୍ଥିତ ଅଛନ୍ତି ନା ସେବେଠାରୁ ହତ୍ୟା ପାଇଁ ମନ୍ତ୍ରୀଙ୍କ ପିଛା କରୁଥିଲେ? ତାହାକୁ ନେଇ ସଂଶୟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେରାକା‌ଳରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ସୂଚନା ଅନୁସାରେ, ତିନିମାସ ତଳେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ତାଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନରେ କୁଆଡ଼େ ଭେଟି ଘରପାଖ ବ୍ରହ୍ମପୁର ନିକଟ କୌଣସି ଥାନାକୁ ତାଙ୍କର ବଦଳି ଏବଂ ଜଣେ ନିକଟ ସଂପର୍କୀୟଙ୍କ ଚାକିରି କରାଇଦେବାକୁ ଅନୁରୋଧ କରିଥିଲେ। ହେଲେ ମନ୍ତ୍ରୀ ନବ ଦାସ ଏଥିପ୍ରତି କୌଣସି ଗୁରୁତ୍ବ ଦେଇନଥିଲେ। ଏଥିରେ ଗୋପାଳ ଅପମାନିତ ତଥା ଉତ୍‌କ୍ଷିପ୍ତ ହୋଇଥିଲେ। ମନ୍ତ୍ରୀଙ୍କ ଏଭଳି ଆଚରଣରେ ପ୍ରତିଶୋଧପରାୟଣ ହୋଇ ଗୋପାଳ ତାଙ୍କୁ ହତ୍ୟା କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ଏଥିଲାଗି ଗତ ୧୫ ଦିନ ମଧ୍ୟରେ ଗୋପାଳ ୫ଥର ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ନିକଟକୁ ଯାଇ ମନ୍ତ୍ରୀଙ୍କ ଉପସ୍ଥିତି ସଂପର୍କରେ ନିକଟସ୍ଥ ଦୋକାନୀ ତଥା ପଡ଼ୋଶୀମାନଙ୍କୁ ପଚାରି ବୁଝିଛନ୍ତି। ହେଲେ ପ୍ରତିଥର ମନ୍ତ୍ରୀ ସେ ପହଂଚିବା ପୂର୍ବରୁ ଘର ଛାଡ଼ିଦେଇଥିଲେ ଅଥବା ବାହାରେ ଥିଲେ ବୋଲି ତଦନ୍ତ ଦାୟିତ୍ବରେ ଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତଦନ୍ତ କାଳରେ ଜାଣିବାକୁ ପାଇଥିବା କହାଯାଇଛି। ଏଭଳି ସ୍ଥିତିରେ ସନ୍ନିବେଶିତ ଫଟୋଗୁଡ଼ିକ ଗୋପାଳ ଯେ ପୂର୍ବରୁ ମନ୍ତ୍ରୀଙ୍କୁ ହତ୍ୟା ପାଇଁ ଅନୁସରଣ କରୁଥିଲା ସେହି ଆଶଙ୍କାକୁ ଅଧିକ ଘନୀଭୂତ କରିଛି।

ସମ୍ବନ୍ଧିତ ଖବର