ହରିହର ନାୟକ
ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ଦରନଗରୀ ଧାମରାରେ ହେବ ଶିଳ୍ପ ପାର୍କ। ଏଥିପାଇଁ ୨୦୨୩ ମସିହାରୁ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ କିଛି କାମ ଆଗେଇ ପାରୁନି। ଅଧିଗୃହୀତ ଜମି ସେମିତି ପଡ଼ିଛି। ଅନ୍ୟପଟେ ଇଡ୍‌କୋକୁ ଜମି ହସ୍ତାନ୍ତର କରି ଅର୍ଥ ପାଇନଥିବ‌ାରୁ ଜମି ମାଲିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୯ଟି କମ୍ପାନି ଧାମରାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଅପେକ୍ଷା କରି ରହିଛନ୍ତି। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିବାରୁ ଶିଳ୍ପ ପାର୍କ ଆଶା ବି ମଉଳି ଯାଉଛି।  

Advertisment

ସୂଚନା ମୁତାବକ, ଗତ ୨୦୨୩ ମେ’ ୩ରୁ ୫ ତାରିଖ ଯାଏଁ ଧାମରା ଅଞ୍ଚଳରେ ଥିବା ୪ଟି ରାଜସ୍ୱ ଗ୍ରାମରେ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହୋଇଥିଲା। ବଳଭଦ୍ରପ୍ରସାଦ ଗାଁରେ ହୋଇଥିବା ଜନଶୁଣାଣିରେ ୩୦ ଜଣ ଉପସ୍ଥିତ ହୋଇଥିଲେ। ସେହି ବଳଭଦ୍ରପ୍ରସାଦ ମୌଜାରୁ ସରକାରୀ ଜମି ୨୮ ଏକର, ଘରୋଇ ଜମି ୧୯ ଏକରକୁ ମିଶାଇ ମୋଟ ୪୭ ଏକର ଜମି ଅଧିଗ୍ରହଣ କରାଯିବାକୁ ଯୋଜନା ହୋଇଥିଲା। ସେହିପରି ଜଗନ୍ନାଥପ୍ରସାଦରେ ୨୩୦ ଜଣ ଜମି ମାଲିକ ଉପସ୍ଥିତ ଥିଲେ। ସେହି ମୌଜାରେ ୮୫ ଏକର ସରକାରୀ ଜମି, ୩୯୮ ଏକର ବେସରକାରୀ ଜମି ଏଭଳି ମୋଟ ୪୮୨ ଏକର ଜମି ଅଧିଗ୍ରହଣ ପାଇଁ ସ୍ଥିର ହୋଇଥିଲା। ଲକ୍ଷ୍ମୀପ୍ରସାଦ ଓ କଇଥଖୋଲା ମୌଜାରେ ୨୮୦ ଜଣ ଜମି ମାଲିକ ଜନଶୁଣାଣିରେ ଯୋଗ ଦେଇଥିଲେ। ଲକ୍ଷ୍ମୀପ୍ରସାଦର ମୌଜାରୁ ୧୪୦ ଏକର ସରକାରୀ ଜମି ଓ  ୩୮୧ ଏକର ବେସରକାରୀ ଜମିକୁ ମିଶାଇ ମୋଟ ୫୨୧ ଏକର ଜମି ଅଧିଗ୍ରହଣ ହେବାର ଥିଲା। କଇଥଖୋଲା ମୌଜାରେ ୧୨ ଏକର ଘରୋଇ ଜମି ଅଧିଗ୍ରହଣ ପାଇଁ ସ୍ଥିର ହୋଇଥିଲା। ଏପରି ଭାବେ ଶିଳ୍ପ ପାର୍କ ପାଇଁ ମୋଟ ୧୦୬୧ ଏକର ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ କରାଯାଇ ଇଡ୍‌କୋକୁ ହସ୍ତାନ୍ତର କରାଯିବ ବୋଲି କାର୍ଯ୍ୟପନ୍ଥା ପ୍ରସ୍ତୁତ ହୋଇଥିଲା। ତେବେ ଇଡ୍‌କୋ ଜମି ଅଧିଗ୍ରହଣ କରିଥିଲେ ମଧ୍ୟ ଅଦ୍ୟାବଧି ଜମି ମାଲିକମାନେ ପ୍ରାପ୍ୟ ପାଇ ନାହାନ୍ତି। ଏବେ ମାଲିକମାନେ ସଂପୃକ୍ତ ଜମିର ମୂଲ୍ୟ ବାବଦକୁ ପୂର୍ବ ମୂଲ୍ୟର ୬ ଗୁଣ ଦାବି କରୁଛନ୍ତି।

କମ୍ପାନିକୁ ହସ୍ତାନ୍ତର ହେଉନି ଅଧିଗୃହୀତ ଜମି
ଶିଳ୍ପ ପ୍ରତିଷ୍ଠା ପାଇଁ ୨୯ ସଂସ୍ଥା ଅପେକ୍ଷାରତ
ପୂର୍ବ ଦରଠୁ ୬ ଗୁଣ ଅଧିକ ଦାବି କଲେଣି ଜମି ମାଲିକ

ଅନ୍ୟପଟେ କୌଣସି ସଂସ୍ଥା ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ୍‌କୋଠାରୁ ଜମି ନେଇ ନଥିବାରୁ ଜମି ମାଲିକମାନେ ପ୍ରାପ୍ୟ ପାଇବା ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଧାମରାରେ ଯେଉଁ ୨୯ ଜଣ ଶିଳ୍ପପତି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଥିଲେ, ଜମି ହସ୍ତାନ୍ତର କରାଯାଇ ନଥିବାରୁ ସେମାନେ କାର୍ଯ୍ୟ ଆରମ୍ଭ କରି ପାରୁନାହାନ୍ତି। ଫଳରେ ଶିଳ୍ପ ପାର୍କ ପ୍ରତିଷ୍ଠା ଧୂଆଁବାଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଜିଲ୍ଲା ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ କହିଛନ୍ତି, ଧାମରାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ପୁଣି ତ୍ୱରାନ୍ୱିତ କରାଯିବ। ଜମି ଅଧିଗ୍ରହଣ ପାଇଁ ୩୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଧାମରା ପାଇଁ ଏକ ସ୍ବତନ୍ତ୍ର ମଡେଲ୍‌ ପ୍ରସ୍ତୁତ ହେଉଛି। ଧାମରାକୁ କେବଳ ଶିଳ୍ପ ସମୃଦ୍ଧ କରାଯିବ ନାହିଁ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା ଥିବା ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ କହିଛନ୍ତି ଯେ ରାଜସ୍ବ ବିଭାଗଠାରୁ ଅନୁମତି ମିଳିବା ପରେ ଫାଇଲ୍‌ ଶିଳ୍ପ ବିଭାଗକୁ ଯାଇଛି। ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି।