ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ଉତ୍ତମ ନାମରେ ଅନେକ ଲୋକ ଓଡ଼ିଶାରେ ଅଛନ୍ତି। କିନ୍ତୁ ଉତ୍ତମ ମହାନ୍ତି ଜଣେ। ସେ ପରଦାରେ କାନ୍ଦି ପକାଇଲେ, ଲକ୍ଷ ଲକ୍ଷ ଓଡ଼ିଆଙ୍କ ଆଖିରୁ ଲୁହ ଝରିପଡ଼ୁଥିଲା। ସେ ପରଦାରେ ରୋମାଣ୍ଟିକ ଭୂମିକାରେ ଆସିଲେ, ଓଡ଼ିଶାର ତରୁଣ ପିଢ଼ି ସ୍ବପ୍ନବିଭୋର ହୋଇପଡ଼ୁଥିଲେ। ସେ ପରଦାରେ ଫାଇଟିଂ କରୁଥିଲା ବେଳେ ଓଡ଼ିଆ ଯୁବକ ଦେହରେ ଉଦ୍ଦାମତା ଭରିଯାଉଥିଲା। ସେ ପରଦାରେ ଯଦି ଦୁଃଖରେ ଭାଙ୍ଗି ପଡ଼ୁଥିଲେ, ସାଧାରଣ ଓଡ଼ିଆ ପାଟିରୁ ‘ଆହା..’ ବାହାରିଯାଉଥିଲା। ଏମିତି ଥିଲେ ଉତ୍ତମ ମହାନ୍ତି। ଓଡ଼ିଶାର ଜନମାନସକୁ ଭୀଷଣ ଭାବେ ପ୍ରଭାବିତ କରିଥିଲେ। ବର୍ଷେ, ଦୁଇ ବର୍ଷ ନୁହେଁ, ପାଖାପାଖି ଚାରି ଦଶନ୍ଧି ଧରି ଓଡ଼ିଶାର ମନୋରଞ୍ଜନ ଜଗତରେ ଛାଇ ଯାଇଥିଲେ। ଯେଉଁ କେତେ ଜଣ ହାତଗଣତି ଓଡ଼ିଆ ଲୋକପ୍ରିୟତା ଓ ସଫଳତାର ଶୀର୍ଷ ଛୁଇଁଛନ୍ତି, ତାଙ୍କ ମଧ୍ୟରେ ଉତ୍ତମ ମହାନ୍ତି ଅନ୍ୟତମ। ନିଜ ଅଭିନୟ ଯାଦୁରେ ଯୁବକ, ବୟସ୍କ ସମସ୍ତଙ୍କୁ ବାନ୍ଧି ରଖିବାରେ ସେ ସକ୍ଷମ ଥିଲେ। ତାଙ୍କୁ ଓଡ଼ିଆମାନେ ପ୍ରଚୁର ଭଲ ପାଇବା ଦେଇଛନ୍ତି। କିନ୍ତୁ ସରକାରୀ ସ୍ତରରେ ଏହି ବ୍ୟକ୍ତିତ୍ବଙ୍କୁ ଯେତିକି ସ୍ବୀକୃତି ମିଳିବା କଥା ତାହା ମିଳି ନାହିଁ। ‘ପଦ୍ମ’ ସମ୍ମାନ ପାଇଁ ଉତ୍ତମ କାହିଁକି ଯୋଗ୍ୟ ହେଲେନି ବୋଲି ତାଙ୍କ ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି। ପୂଜ୍ୟପୂଜାରେ ଆମର କାର୍ପଣ୍ୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ପାଞ୍ଚ ବର୍ଷ ତଳେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା। ସେତେବେଳେ ମଧ୍ୟ ଏହି ସମାନ ପ୍ରଶ୍ନ ଉଠିଥିଲା। ଏବେ ଯେମିତି ଉତ୍ତମଙ୍କୁ ମରଣୋତ୍ତର ପଦ୍ମଶ୍ରୀ ମିଳିବାକୁ ଦାବି ହେଉଛି ସେତେବେଳେ ବିଜୟଙ୍କୁ ମଧ୍ୟ ଦେବା ପାଇଁ ଦାବି ଉଠିଥିଲା। କିନ୍ତୁ ପୂଜ୍ୟପୂଜାରେ ଆଦୌ ଆଗ୍ରହ ଦେଖାଉ ନ ଥିବା ସରକାର ସେହି ଦାବିକୁ ଗୁରୁତ୍ବ ଦେଇ ନଥିଲେ। ବିଜୟଙ୍କୁ ତ ମରଣୋତ୍ତର ପଦ୍ମଶ୍ରୀ ପାଇଁ ସୁପାରିସ କଲେନି, ସମସାମୟିକ ବରିଷ୍ଠ ଅଭିନେତାଙ୍କ ଉତ୍ତମ ମହାନ୍ତିଙ୍କ ନାମ ବି ଜୀବିତ ଅବସ୍ଥାରେ ସୁପାରିସ କରିବାକୁ ସରକାରଙ୍କ ହାତ ଗଲାନି। ଏବେ ମଧ୍ୟ ଉତ୍ତମଙ୍କ ନାମ ଯେ ସୁପାରିସ୍ ହେବ, ତାହାର ଗ୍ୟାରେଣ୍ଟି ଦେଇ ହେବନି। ବିଜୟ ଓ ଉତ୍ତମଙ୍କର ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ କ’ଣ, ତାହା ସରକାରଙ୍କୁ ବୁଝାଇବା ଦରକାର ନାହିଁ। ଯେତେବେଳେ ବି ଓଡ଼ିଆ ଚଳଚ୍ଚିତ୍ରର ଇତିହାସ ଲେଖାଯିବ, ସେତେବେଳେ ଏହି ଦୁଇ ଅଭିନେତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ରହିବ। ସାରା ଓଡ଼ିଶା ଏହି ଦୁଇ ଜଣଙ୍କ ଅଭିନୟ ଯାଦୁରେ ମତୁଆଲା ହୋଇଛି ଏବଂ ଓଡ଼ିଆ ଦର୍ଶକ ନିଜ ମନରେ ସେମାନଙ୍କୁ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି। କିନ୍ତୁ ସରକାରୀ କଳରେ ଥିବା ବ୍ୟକ୍ତିମାନେ ସେମାନଙ୍କ ପ୍ରତିଭାକୁ ଚିହ୍ନି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଲୋକପ୍ରିୟତା ଶୀର୍ଷରେ ଥାଇ ବି ଅଲୋଡ଼ା
ବିଜୟଙ୍କୁ ମିଳିନଥିଲା, ଉତ୍ତମଙ୍କୁ ବି ଅଣଦେଖା
ସରକାରୀ ସ୍ତରରେ ପୂଜ୍ୟପୂଜାରେ କାର୍ପଣ୍ୟ
ଏମିତି ନୁହେଁ ଯେ ପଦ୍ମ ପୁରସ୍କାର ମିଳିଥିଲେ ବିଜୟ କିମ୍ବା ଉତ୍ତମଙ୍କୁ ଅଧିକ ଲୋକ ଜାଣିଥା’ନ୍ତେ କିମ୍ବା ଅଧିକ ସିନେମାରେ ସେମାନଙ୍କୁ କାମ ମିଳିଥା’ନ୍ତା। କିନ୍ତୁ ପଦ୍ମ ପରି ଏକ ସମ୍ମାନଜନକ ପୁରସ୍କାର ଜଣେ ଅଭିନେତାଙ୍କୁ ମିଳିଥିଲେ, ଚଳଚ୍ଚିତ୍ର ଶିଳ୍ପର ମର୍ଯ୍ୟାଦା ବଢ଼ିଥା’ନ୍ତା। ଅନ୍ୟ ସବୁ ରାଜ୍ୟରେ ଏକାଧିକ ଅଭିନେତା, ଅଭିନେତ୍ରୀଙ୍କୁ ପଦ୍ମ ପୁରସ୍କାର ମିଳିଛି। କିନ୍ତୁ ବିଡ଼ମ୍ବନା ଯେ ଓଡ଼ିଶାରେ କାହାରିକୁ ମିଳି ନାହିଁ। ଯଦି ବିଜୟ ଓ ଉତ୍ତମଙ୍କ ପରି ସର୍ବାଧିକ ଲୋକପ୍ରିୟ ଅଭିନେତାଙ୍କୁ ଏହି ପୁରସ୍କାର ଦେବାକୁ ସରକାର ଚିନ୍ତା କଲେ ନାହିଁ, ତେବେ ଅନ୍ୟ କାହା କଥା ଭବିଷ୍ୟତରେ କିପରି ବିଚାରକୁ ନେବେ? ପ୍ରଶ୍ନ ଉଠୁଛି, ସରକାରଙ୍କ ଆଖିରେ ଆମ ଅଭିନେତା/ଅଭିନେତ୍ରୀମାନେ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି କି? ଯଦି ନୁହନ୍ତି, ତେବେ ଏହି ପୁରସ୍କାରର ମାନଦଣ୍ଡ କ’ଣ? ପୂଜ୍ୟପୂଜା କ୍ଷେତ୍ରରେ ପଛଘୁଞ୍ଚା ଦେଇ ଆମେ ସବୁବେଳେ ଅଲୋଡ଼ା ଉଦାହରଣ ସୃଷ୍ଟି କରୁଛୁ ବୋଲି କହିଲେ ଭୁଲ୍ ହେବ ନାହିଁ। ଓଡ଼ିଶାରୁ ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ମିଳିଛି ସତ। କିନ୍ତୁ ସେ ଯଦି ମୁମ୍ବାଇକୁ ତାଙ୍କ କାର୍ଯ୍ୟକ୍ଷେତ୍ର ଭାବେ ବାଛି ନଥା’ନ୍ତେ, ତେବେ ସମ୍ଭବତଃ ସେ ଏହି ଗୌରବରୁ ବଞ୍ଚିତ ହୋଇଥା’ନ୍ତେ।
ପୂର୍ବ ସରକାର ସମୟରେ ଏପରି ଗୁରୁତର ତ୍ରୁଟିକୁ ସଂଶୋଧନ କରିବାକୁ ଦାବି ହେଉଥିଲେ ବି ସରକାର ସେଥି ପ୍ରତି କର୍ଣ୍ଣପାତ କରି ନଥିଲେ। ବର୍ତ୍ତମାନ ସରକାର ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ କ୍ଷମତାକୁ ଆସିଛନ୍ତି। ସେହି ତ୍ରୁଟିକୁ ପୁନରାବୃତ୍ତି ନକରିବା ଉଚିତ ବୋଲି ସଚେତନ ନାଗରିକମାନେ ମତ ରଖିଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି, ଜୀବିତ ଅବସ୍ଥାରେ ନହେଲା ନାହିଁ, ମରଣୋତ୍ତର ପଦ୍ମ ସମ୍ମାନ ପାଇଁ ଉତ୍ତମଙ୍କ ନାମ ସୁପାରିସ୍ କରନ୍ତୁ। ଅଭିନୟ ଜଗତରେ କାହାରିକୁ ଏହି ପଦ୍ମ ସମ୍ମାନ ନମିଳିଲେ ନିଶ୍ଚିତ ଭାବେ ପର ପିଢ଼ିର ଅଭିନେତା ହତୋତ୍ସାହିତ ହେବେ। ଓଡ଼ିଶାର କଳା, ସଂସ୍କୃତି ଜଗତ ପାଇଁ ଏହା ଶୁଭଙ୍କର ନୁହେଁ।