ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ: କୋଭିଡ ମୃତ୍ୟୁର ପ୍ରମାଣପତ୍ର ଦେବ ଜିଲ୍ଲାସ୍ତରୀୟ କମିଟି

ଭୁବନେଶ୍ବର: ରାଜ୍ୟରେ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁର ସରକାରୀ ପ୍ରମାଣପତ୍ର ପାଇଁ ଜିଲ୍ଲା ସ୍ତରରେ ତୁରନ୍ତ ଏକ କମିଟି ଗଠନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂପୃକ୍ତ କମିଟି କୋଭିଡ ମୃତକଙ୍କ ପରିବାରବର୍ଗଙ୍କୁ କୋଭିଡ ମୃତ୍ୟୁର ପ୍ରମାଣପତ୍ର ପ୍ରଦାନ କରିବେ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା।

କୋଭିଡ ମୃତ୍ୟୁର ଅଫିସିଆଲ ଡକ୍ୟୁମେଣ୍ଟ ପାଇଁ ଗଠିତ କମିଟିରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ସିଡିଏମ୍‌ଓ, ଜିଲ୍ଲାରେ ଥିବା ମେଡିକାଲ କଲେଜର ଭେଷଜ ବିଭାଗର ଅଧ୍ୟକ୍ଷ/ବିଭାଗୀୟ ମୁଖ୍ୟ ଓ ସଂପୃକ୍ତ ବିଷୟରେ ଜଣେ ବିଶେଷଜ୍ଞଙ୍କୁ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ର ଅନୁକରଣରେ ଏ ସଂପର୍କିତ ଅଫିସିଆଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। କମିଟି ଗଠନ କରାଯିବା ପରେ ସଂପୃକ୍ତ କମିଟି ସଂପର୍କରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି।

କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ତେଣୁ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ମିଳିବା ଆଶା ଉଜ୍ଜିବୀତ ହୋଇଛି। ତେଣୁ ଜିଲ୍ଲା ସ୍ତରରେ ଗଠିତ ହେବାକୁ ଥିବା ଏହି କମିଟି ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ଯେଉଁ ବ୍ୟକ୍ତିମାନେ ସେମାନଙ୍କ ପରିବାରର କୌଣସି ସଦସ୍ୟ କୋଭିଡରେ ପ୍ରାଣ ହରାଇଥିବା ଓ ସେମାନଙ୍କୁ କୋଭିଡ ମୃତ୍ୟୁ ବୋଲି ଘୋଷଣା କରାଯାଇ ନାହିଁ ବୋଲି ଅନୁଭବ କରିବେ ସେମାନେ ଚାହିଁଲେ ଏହି କମିଟି ନିକଟରେ ଆବେଦନ କରିପାରିବେ। ରାଜ୍ୟରେ ଏ ପର୍ଯ୍ୟନ୍ତ ୮୨୨୩ଜଣ କୋଭିଡରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଏହାସହ ୫୩ଜଣ ଅଣ କୋଭିଡରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର