ଦେବବ୍ରତ ଷେଣ୍ଢ
ଜଟଣୀ: ୨୦୨୩ ଅଗଷ୍ଟ ୮ତାରିଖରେ ରେତଙ୍ଗ ରେଳ ଷ୍ଟେସନ୍ ନିକଟରେ ରେଳ ଧାରଣା ଉପରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜିଆର୍ପି ଦ୍ବାରା ଜବତ କରାଯାଇଥିଲା। ସେହି ମାସର ଦ୍ବିତୀୟ ସପ୍ତାହରେ ତାପଙ୍ଗ ରେଳ ଷ୍ଟେସନ୍ ନିକଟ ରେଳ ଧାରଣାରୁ ପୁଣି ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିଲା। ପୁଣି ସେହି ମାସ ଶେଷ ସପ୍ତାହରେ ରେତଙ୍ଗ ରେଳ ଷ୍ଟେସନ ନିକଟ ବାଇରଙ୍ଗ ଗ୍ରାମ ନିକଟରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଜବତ କରାଯାଇଥିଲା। ଜିଆର୍ପି ଶବ ବ୍ୟବଚ୍ଛେଦ କରାଇଥିଲା ସତ, କିନ୍ତୁ ଶବଗୁଡ଼ିକ ସେମାନଙ୍କ ଆତ୍ମୀୟଙ୍କ ପାଖକୁ ଯାଇ ପାରିନଥିଲା। ତାଙ୍କର ଶେଷ ଦର୍ଶନ କରି ପାରିନଥିଲେ ପରିବାର ଲୋକ। ମରିଥିବା ହତଭାଗ୍ୟ ଲୋକଗୁଡ଼ିକ ନିଜ ମାଟିଠୁ ଦୂରରେ ପରିଚୟହୀନ ହୋଇ ହଜିଗଲେ ସବୁଦିନ ପାଇଁ। ଏପରି ଘଟଣା ନିୟମିତ ଘଟୁଛି। ଅନ୍ୟ ବର୍ଷଗୁଡ଼ିକର ଉଦାହରଣ ଦେଖିଲେ, ୨୦୧୮ ମାର୍ଚ୍ଚ ୧୬ ତାରିଖ ସକାଳୁ ସକାଳୁ ତାପଙ୍ଗ ରେଳ ଷ୍ଟେସନ୍ ନିକଟରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଥିଲା ଖୋର୍ଦ୍ଧା ଜିଆର୍ପି। ସେମିତି ୨୦୨୦ ଜାନୁଆରି ୨୨ ତାରିଖ ଦିନ ଖୋର୍ଦ୍ଧା ରେଳଷ୍ଟେସନ୍ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଦୁଇ ମୃତଦେହ ମଧ୍ୟ ଅପରିଚିତ ଥିଲେ।
ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶବଙ୍କ ଭିତରୁ ୨୮ଟିର ପରିଚୟ ମିଳି ନଥିଲା। ପରିଚୟହୀନ ଭାବେ ସେଗୁଡ଼ିକୁ କର୍ତ୍ତୃପକ୍ଷ ଦାହ କରିଥିଲେ। ସେ ଘଟଣାକୁ ନେଇ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ହୁଗୁଳି ଯାଇଥିବା ଆମ ସାମାଜିକ ସଂପର୍କ ତଥା ଆଧୁନିକ ମଣିଷର ଏକାକୀତ୍ବ ଏଥିରୁ ପ୍ରମାଣିତ ବୋଲି ଆଲୋଚନା ହୋଇଥିଲା। କିନ୍ତୁ ସତ ହେଉଛି, ରେଳ ଟ୍ରାକ୍ ଉପରୁ ଶବ ମିଳିବା ପରେ ପରିଚୟ ନମିଳିବାରୁ ପୁଲିସ ତା’କୁ ଦାହ କରାଯିବା ଘଟଣା ନିୟମିତ ଘଟୁଛି। ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ଉଦାହରଣକୁ ନେଇ ସାରା ଦେଶର ଚିତ୍ରକୁ ଅନୁମାନ କରା ଯାଇପାରେ! ଏକ ହିସାବରୁ ଜଣାପଡ଼ିଛି ଯେ ଗତ ୬ ବର୍ଷ ମଧ୍ୟରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ଭିତରେ ରେଳ ଧାରଣା ଉପରୁ ୫୦ରୁ ଅଧିକ ଅଜଣା ମୃତଦେହ ଜବତ କରାଯାଇଛି। ରେଳ ଧାରଣାରେ ସେମାନଙ୍କ ଜୀବନଯାତ୍ରା ଶେଷ ହୋଇଯାଇଛି। ଟ୍ରେନ୍ରେ ଯାତ୍ରା କରୁ କରୁ ବା ଅନ୍ୟ କୌଣସି କାରଣରୁ ରେଳ ଧାରଣାରେ ସେମାନଙ୍କ ଠିକଣା ହଜିଯାଇଛି। ସେମାନଙ୍କର ପରିଚୟ ମିଳିନାହିଁ କି ସେମାନଙ୍କୁ ଖୋଜି କେହି ଆସି ପହଞ୍ଚି ନାହିଁ। ମରଣ ପରେ ହେଲେ ବି ପ୍ରିୟଜନଙ୍କ ଶେଷସ୍ପର୍ଶ ପାଇବାର ଭାଗ୍ୟ ସେମାନଙ୍କ ଶବକୁ ଜୁଟିନାହିଁ। ଲାୱାରିସ୍ ଶବ ଭାବେ ପୁଲିସ ହିଁ ସେମାନଙ୍କ ଅନ୍ତିମ ସତ୍କାର କରିଛି।
୨୦୧୮ରୁ ୨୦୨୩ ମସିହା, ଅର୍ଥାତ୍ ୬ ବର୍ଷ ଭିତରେ ଖୋର୍ଦ୍ଧାରୋଡ୍ (ଜଟଣୀ) ଜିଆର୍ପି ଥାନାରେ ୨୫୦ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଥିରୁ ୧୨୪ ଜଣ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ୫୦ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଅଧିକାଂଶ ଆତ୍ମହତ୍ୟା ମାମଲା ହୋଇଥିଲେ ବି ଅଜଣା ମୃତଦେହ ଠାବ ଘଟଣାରେ ବିଭିନ୍ନ କାରଣ ରହୁଛି। ସେମାନଙ୍କ ମଧ୍ୟରୁ କେହି ମାନସିକ ବିକାରଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କେହି କେହି ଅସାବଧାନତାବଶତଃ ଚଳନ୍ତା ଟ୍ରେନ୍ରୁ ଖସିପଡ଼ିଥିବା ଅନୁମାନ କରା ଯାଉଛି। ବଡ଼ କଥା ହେଉଛି, ଏହା ଭିତରୁ କିଛି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହକୁ ବି ଅସ୍ବୀକାର କରାଯାଇନପାରେ। ଟ୍ରେନ୍ରୁ ଧକ୍କା ଦେଇ ତଳକୁ ଫିଙ୍ଗି ହତ୍ୟା କରିବା ଭଳି ମାମଲା ବି ଥିବା ସନ୍ଦେହ କରାଯାଏ। କିନ୍ତୁ ମୁଖ୍ୟତଃ ପ୍ରବାସୀ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ଠିକଣା ଜଣାପଡ଼େ ନାହିଁ ଏବଂ ମୃତ୍ୟୁ ମାମଲା ରହସ୍ୟରେ ରହିଯାଏ। ୨୦୨୮ରେ ସର୍ବାଧିକ ୬୭ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ସର୍ବନିମ୍ନ ୨୩ଟି ଅପମୃତ୍ୟୁ ମାମଲା ହୋଇଥିଲା। ୨୦୨୩ରେ ୩୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।