ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମିରୁ ଜିଲ୍ଲା ପ୍ରଶାସନ କାଣିଚାଏ ମାତ୍ର ଉଚ୍ଛେଦ କରିଛି। ସୋମବାର ଅପରାହ୍ଣରେ ବଲାଙ୍ଗୀର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ବରେ ପୁଲିସ ଉପସ୍ଥିତିରେ ଜେସିବି ଲଗାଇ ଏଠାରେ ଥିବା ଦୋକାନ ଗୃହଗୁଡ଼ିକୁ ଭାଙ୍ଗିବା ଆରମ୍ଭ କରାଯାଇଛି। ଗତକାଲି ଦିନ ୧୨ଟାରେ ପୌର ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ପିଛିଲା ୨୨ ତାରିଖର ନୋଟିସ ଦେଇଥିଲେ। ଏହି ନୋଟିସରେ ପୌର ନିୟମ ୧୯୫୦ ଧାରା ୨୫୨, ୨୫୩ ଓ ୨୫୪କୁ ଉଲ୍ଲଙ୍ଘନ କରି ମୌଜା ବଲାଙ୍ଗୀର ଗ ଖାତା ନଂ ୨୭୭, ପ୍ଲଟ୍ ନଂ ୯୦୮ ସରକାରୀ ଜାଗାକୁ ଜବରଦଖଲ କରି ବାସଗୃହ ଓ ଦୋକାନ ଗୃହ ପୌର ସଂସ୍ଥାର ବିନା ଗୃହନକ୍ସାରେ ନିର୍ମାଣ କରାଯାଇଥିବାରୁ ଏହାକୁ ୨୪ ଘଣ୍ଟା ମଧ୍ୟରେ ଉଚ୍ଛେଦ କରିବାକୁ ନୋଟିସରେ କହାଯାଇଥିଲା।
ଆଉ ସୋମବାର ୨୪ ଘଣ୍ଟା ପୂରିଲା ପରେ ଜବରଦଖଲ ଜମିରେ ପୌର ପ୍ରଶାସନର ବୁଲଡୋଜର ଲାଗିଥିଲା। ତିଆରି ହୋଇଥିବା ଷ୍ଟଲଗୁଡ଼ିକର କିଛି ଅଂଶ ଓ ଆଉ ଏହା ପଛପଟ କିଛି ଘରର ଜବରଦଖଲ ଉଚ୍ଛେଦ କରିଥିଲା। ଶୁକ୍ରବାର ମାପଚୁପ ଦିନ ତହସିଲଦାରଙ୍କ କହିବା ମୁତାବକ, ଜବରଦଖଲ ହୋଇଥିବା ପ୍ଲଟ ନଂ ୨୨୭ ଓ ୯୦୮ରେ ନିର୍ମିତ ଘର ଭଙ୍ଗାହୋଇଛି। ଦଶ ଡିସିମିଲ ଜମିର ବେଆଇନ୍ ନିର୍ମାଣକୁ ଭାଙ୍ଗିଥିବା ଓ ସମୁଦାୟ ଅଧଏକର ଜମିର ହିସାବ ଦେଇଛନ୍ତି ତହସିଲଦାର। ରୟତି ଜମିରେ ପ୍ରଦୋଷ ଦାସ, ପ୍ରଭାତ ଦାସ ଓ ସଂଜୀବ ପଣ୍ଡା ତିଆରି କରିଥିବା ଷ୍ଟଲ ଗୁଡ଼ିକର ମୁଖ୍ୟରାସ୍ତା ପଟ ସଂପ୍ରସାରଣିତ ପାହଚ ଆଦି ଓ ଷ୍ଟଲ୍ଗୁଡ଼ିକର ପଛପଟେ ନିର୍ମିତ ଘରର କିଛି ଅଂଶ ସରକାରୀ ଜମିରେ ଥିବାରୁ ଉଚ୍ଛେଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।।
ଉଚ୍ଛେଦ ପ୍ରକ୍ରିୟାରେ କିଛି ଲୋକ ଉତ୍ସାହିତ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ ମନରେ ମଧ୍ୟ ସନ୍ଦେହ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶହ ଶହ ଏକର ଜମି ଜବରଦଖଲ ହୋଇଥିବା ବେଳେ ମାତ୍ର ଅଧଏକର ଜମିକୁ ତରବରିଆ ଭାବେ ଟାର୍ଗେଟ କରିଛି ପ୍ରଶାସନ। ଅବଶ୍ୟ ଉଚ୍ଛେଦ ସମୟରେ ତହସିଲଦାରଙ୍କ ପ୍ରତିକ୍ରିୟା ଥିଲା, ଆଗକୁ ବି ହେବ। ସୂଚନାଯୋଗ୍ୟ, ୨୦୧୯ ମସିହାରେ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ନିଜ ଅଭିଭାଷଣରେ ପୂର୍ବତନ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଥିଲେ, ରାଜେନ୍ଦ୍ର କଲେଜ ପାଇଁ ତତ୍କାଳୀନ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ୨୫୨ ଏକର ଜମି ଦାନ କରିଥିଲେ। କିନ୍ତୁ ଏଇ ମାତ୍ର ଗତବର୍ଷ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମାତ୍ର ୫୦ ଏକର ଜମିର ଦଲିଲ ଦସ୍ତାବିଜ ମିଳିଛି। ଅବଶିଷ୍ଟ ୨୦୧.୫ ଏକର ଜମି ଉଚ୍ଛେଦ ପ୍ରକ୍ରିୟା ନେଇ ପ୍ରଶାସନର କୌଣସି ସ୍ତରରେ ଆଦୌ ସୂଚନା ନାହିଁ। ରାଜନୈତିକ କାରଣରୁ କେବଳ ୨୨୭ ଓ ୯୦୮ ପ୍ଲଟ ନଂ ଉପରେ ମାତ୍ରାଧିକ ଆଗ୍ରହ ଦେଖାଇବା ସ୍ପଷ୍ଟ ହୋଇଛି। ଆରମ୍ଭରୁ ଶେଷ ଯାଏ ଛାତ୍ର ଓ ଯୁବ ବିଜେଡିର କେତେ ଜଣ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଜାଗା ଉପରେ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ୨୦୨ ଏକର ଜବରଦଖଲ ଜମିରୁ ମାତ୍ର ଅଧ ଏକର ଜମିକୁ ଚିହ୍ନଟ କରି ଉଚ୍ଛେଦ କରାଯାଉଥିବା ପଛରେ ଥିବା ରହସ୍ୟ ଆଉ କାହାକୁ ଅଛପା ନୁହେଁ। ଏହି ପ୍ରକରଣ ସହ ଆଦୌ ସଂପର୍କ ନଥିବା ‘ସମ୍ବାଦ’ର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଟାଣିଟୁଣି ପୂରାଉଥିବା ସ୍ପଷ୍ଟ ହୋଇଛି।
ବେଆଇନ ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
ଅକ୍ଟୋବର ୧୦ରେ ପରବର୍ତ୍ତୀ ଶୁଣାଣି; ଜିଲ୍ଲାପାଳ, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷଙ୍କୁ ନୋଟିସ୍
କଟକ: ବଲାଙ୍ଗୀର ପୌର ପରିଷଦର ବେଆଇନ ଉଚ୍ଛେଦ ପଦକ୍ଷେପ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପୂର୍ବରୁ କୌଣସି ପ୍ରକାର ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଆଜି ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ୨୦୨୩, ସେପ୍ଟେମ୍ବର ୨୨ରେ ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସକୁ ଚାଲେଞ୍ଜ କରି ଦାୟର ରିଟ୍ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ବଲାଙ୍ଗୀର ପୌର ପରିଷଦ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ, ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୦କୁ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଭାତ କୁମାର ଦାସ ଓ ପ୍ରଦୋଷ କୁମାର ଦାସଙ୍କ ରିଟ୍ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ସେପ୍ଟେମ୍ବର ୨୨ ତାରିଖର ନୋଟିସ୍କୁ ୨୪ ତାରିଖରେ ୨୪ ଘଣ୍ଟା ଭିତରେ ଉଚ୍ଛେଦ କରାଯିବ ବୋଲି ଆବେଦନକାରୀଙ୍କୁ ଅବଗତ କରାଯାଇଥିଲା। ସେପ୍ଟେମ୍ବର ୨୨ର ନୋଟିସ ଆଧାରରେ ଏହାର କିଛି ଅଂଶ ଭାଙ୍ଗି ଦିଆଯାଇଛି। ହଠାତ ନୋଟିସ୍ ଦେଇ ଏପରି ଉଚ୍ଛେଦ କରାଯିବା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବାରୁ ଏଭଳି ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ବୋଲି ଶ୍ରୀ ଆଚାର୍ଯ୍ୟ ଯୁକ୍ତିରେ ଦର୍ଶାଇଥିଲେ। ଏହା ଆବେଦନକାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଛି। ତେଣୁ ଏଭଳି ବେଆଇନ ଉଚ୍ଛେଦ ପ୍ରକ୍ରିୟା ଉପରେ ତୁରନ୍ତ ଅଙ୍କୁଶ ଲଗାଯିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ।