ବାରିପଦା : ଗୋଶାଳାରେ ରହୁଥିବା ଗୋରୁଗାଈଙ୍କ ନିମନ୍ତେ ଘାସଚାଷ କରିବାକୁ କିଛି ସରକାରୀ ଗୋଚର ଜମି ଯୋଗାଇ ଦେବାକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ କହିଥିଲେ। ତେବେ ବର୍ଷେ ପରେ ବି ପ୍ରଶାସନ ଜମି ଦେଉନଥିବାରୁ ଏହାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ରାଜ୍ୟପାଳ।
ଗତବର୍ଷ ଅକ୍ଟୋବର ୧୪ ତାରିଖରେ ରାଜ୍ୟପାଳ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଶାମାଖୁଣ୍ଟା ବ୍ଲକ୍ ରାଧାକୃଷ୍ଣ ଗୋସେବା ସମିତି ଦ୍ବାରା ପରିଚାଳିତ ଗୋକୁଳଧାମ ଗୁଣ୍ଡିହୁଡ଼ି ଗୋଶାଳା ପରିଦର୍ଶନ କରିଥିଲେ। ଏହି ଗୋଶାଳାରେ ଗର୍ଭବତୀ ଗାଈମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୃହ ମଧ୍ୟ ଉଦ୍ଘାଟନ କରିଥିଲେ। ତେବେ ଗୋମାତାଙ୍କ ଖାଦ୍ୟ ପାଇଁ ଆବଶ୍ୟକ ମୁତାବକ ଘାସ ମିଳୁନଥିବା ସମିତିର କର୍ମକର୍ତ୍ତା ନିକଟରେ ଥିବା ସରକାରୀ ଗୋଚର ଜମିରେ ଘାସଚାଷ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜିଲ୍ଲାପାଳଙ୍କୁ ଉକ୍ତ ଗୋଚର ଜମିରୁ କିଛି ଜମି ଗୋଶାଳାକୁ ଦେବା ଲାଗି କହିଥିଲେ ରାଜ୍ୟପାଳ। ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯାଇନି।
ଗୋସେବା ସମିତିର ସମ୍ପାଦକ ହେମନ୍ତ ଶାହା ଗତକାଲି ରାଜ୍ୟପାଳଙ୍କୁ ଭେଟି ଏ ନେଇ ଅବଗତ କରିଥିଲେ। ଏହା ଶୁଣି ରାଜ୍ୟପାଳ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୁଃଖପ୍ରକାଶ କରିଥିବା ଶ୍ରୀ ଶାହା କହିଛନ୍ତି। ତେବେ ଆଉ ଥରେ ଜିଲ୍ଲାପାଳଙ୍କୁ ଚିଠି କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।