ଆଡିବନ୍ଧ ଯୋଜନାକୁ ଭୁଲିଗଲା ପ୍ରଶାସନ, ପ୍ରତିବର୍ଷ ଜଳବନ୍ଦୀ ଜୀବନ ବିତାଉଛି ତଳି ଅଞ୍ଚଳବାସୀ

ଜଳସେଚନ ବିଭାଗ ବି ଚୁପ୍‌

ରାଉରକେଲା : ସ୍ମାର୍ଟସିଟିରେ ବଦଳୁଛି ଚିତ୍ର। ବିଶ୍ବ ପୁରୁଷ ହକି କପ୍‌ ପୂର୍ବରୁ ସହରକୁ ସୁନ୍ଦର ପାଇଁ ସରକାର ଓ ପ୍ରଶାସନିକ ଅଧିକାରୀ ପୁରା ଦମ ଲଗାଇ ଦେଇଛନ୍ତି। କିନ୍ତୁ ଜଳବନ୍ଦୀ ଜୀବନ ଜୀଉଁଥିବା ସହରତଳି ଅଞ୍ଚଳବାସୀ କେମିତି ରହିବା, କାହାରି ଚିନ୍ତା ନାହିଁ। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୧୧ ବର୍ଷ ଧରି ଏମିତି ଦୟନୀୟ ସ୍ଥିତିରେ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଦୁଃଖକୁ ବୁଝିବାକୁ ଯେମିତି କାହାରି ପାଖରେ ସମୟ ନାହିଁ। ପ୍ରସ୍ତାବିତ ଆଡିବନ୍ଧ ଯୋଜନାକୁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଥରୁଟିଏ ଚିନ୍ତା କରୁ ନାହାନ୍ତି। ବନ୍ୟା ଜଳକୁ ରୋକିବାକୁ ସ୍ମାର୍ଟସିଟିର ତଳି ଅଞ୍ଚଳବାସିନ୍ଦାଙ୍କ ପାଇଁ ବ୍ରାହ୍ମଣୀ ନଦୀ କୂଳରେ ସରକାର ଆଡିବନ୍ଧ ଯୋଜନା କରିବାକୁ ପ୍ରସ୍ତାବ ରଖିଥିଲେ। ଯାହା କେବଳ ପ୍ରସ୍ତାବରେ ରହିଯାଇଛି।

ଉଭୟ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗର ଉଯପୁକ୍ତ ସମନ୍ବୟ ରକ୍ଷା କରି ନଦୀକୂଳରେ ଆଡିବନ୍ଧ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଓ ରୂପରେଖ ସଂକ୍ରାନ୍ତରେ ରିପୋର୍ଟ ଦେବା କଥା। କିନ୍ତୁ ଉଭୟ ବିଭାଗ ସହରର ପ୍ରମୁଖ ସମସ୍ୟାକୁ ‌ଯେମିତି ପାସୋରି ଯାଇଛନ୍ତି। ଏଥି ସକାଶେ ପ୍ରତିବର୍ଷ ପାନପୋଷ ବାଲୁଘାଟର ପ୍ରାୟ ୧୦ ହଜାରରୁ ଅଧିକ ପରିବାର ଲୋକଙ୍କୁ ଜଳବନ୍ଦୀ ଜୀବନ ବିତାଇିବାକୁ ପଡୁଛି। ଏସବୁ ବସ୍ତିଗୁଡ଼ିକ ମଧ୍ୟରେ ରହିଛି ପଲ୍‌ପଲ୍‌ ବସ୍ତି, ନୂଆ ବସ୍ତି, ଝରା ବସ୍ତି, କୁମ୍ଭାରପଡା, ବାଲୁଘାଟ, ତେଲଗୁପଡା, ସର୍ଦ୍ଦାର ବସ୍ତି ସମେତ ଦଣ୍ଡିଆପାଲି ଓ ବେଦବ୍ୟାସର କିଛି ଅଞ୍ଚଳ। ବର୍ଷା ଦିନ ଆସିଲେ ଏମାନଙ୍କ ଚିନ୍ତା ବଢ଼ି ଯାଉଛି। ନିକଟରେ ବ୍ରାହ୍ମଣୀ ନଦୀ ଘାଟର ‌ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ସ୍ମାର୍ଟସିଟି ପାଣ୍ଠିରୁ ଖର୍ଚ୍ଚ ହୋଇଛି। ପଥର ପ୍ୟାକିଂ ନାଁରେ କେବଳ ଠିକାଦାର ପୋ‌ଷାଯାଇଛି। ସହରବାସୀଙ୍କ କୌଣସି କାମରେ ଆସୁନି। ଜଣେ ପରେ ଜଣେ ଅତିରିକ୍ତ ଜିଲ୍ଲାପାଳ ଓ ଆର୍‌ଏମ୍‌ସି କମିସନର ଯୋଗଦେଉଛନ୍ତି। ପ୍ରତିବର୍ଷ ବନ୍ୟା ଜଳରେ କ୍ଷତିଗ୍ରସ୍ତ ପରିବାରଙ୍କୁ କେବଳ ଉଦ୍ଧାର କରି କାମ ସାରି ଦେଉଛନ୍ତି। କେମିତି ପ୍ରସ୍ତାବିତ ଆଡ଼ିବନ୍ଧ ନିର୍ମାଣ ହେବ, କାହାରି ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ।

ପୂର୍ବତନ ନଗରପାଳ ନିହାର ରାୟ କହିଛନ୍ତି ଆଡିବନ୍ଧ ନିର୍ମାଣ ହେଉ ନଥିବାରୁ ପ୍ରତିବର୍ଷ ସହରତଳି ବସ୍ତିବାସିନ୍ଦାଙ୍କୁ ବନ୍ୟା ପାଣି ଘେରରେ ରହିବାକୁ ପଡୁଛି। ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହେଉଛି। ଆଡିବନ୍ଧ ନିର୍ମାଣ ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରନ୍ତା। ଏଥିପ୍ରତି ଜଳସେନ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ବୟ ରକ୍ଷା କରି ଆଡ଼ିବନ୍ଧ ନିର୍ମାଣ କରିବାର ଆବଶ୍ୟକତା ରହିଛି। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି କହିଛନ୍ତି, ସ୍ମାର୍ଟସିଟି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆଜି ପର୍ଯ୍ୟନ୍ତ ସହର ତଳିବାସିନ୍ଦା କିପରି ବନ୍ୟାଜଳରୁ ରକ୍ଷା ପାଇବେ, କାହାରି ପକ୍ଷରୁ ଧ୍ୟାନ ଦିଆଯାଉ ନାହିଁ। ସରକାର ଦେଇଥିବା ଆଡିବନ୍ଧ ଯୋଜନା ପ୍ରସ୍ତାବକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ଭୁଲିଯିବା ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି। ସରକାର ଦେଇଥିବା ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୨୦ ଓ ୨୦୨୧ ଲଗାଣ ବର୍ଷାରେ ବ୍ରାହ୍ମଣୀ ନଦୀର ବନ୍ୟାପାଣି ସହର ଭିତରକୁ ପଶିଥିଲା। ସହରତଳି ଅଞ୍ଚଳରେ ବସବାସ କରୁଥିବା ପାଖାପାଖି ୧୫ରୁ ଅଧିକ ବସ୍ତି ପାଣି ଘେରରେ ରହିଥିଲେ। ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ସ୍କୁଲଗୁଡ଼ିକରେ ରଖିଥିଲେ। ବସ୍ତିବାସିନ୍ଦାଙ୍କ ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତି ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର