ଭୁଲ୍ କଲା ପ୍ରଶାସନ, ଭୋଗୁଛନ୍ତି ୪ ଗାଁର ନିରୀହ ଆଦିବାସୀ

ହେଲାନି ସର୍ଭେ, ଆବାସରୁ ବଞ୍ଚିତ ଶତାଧିକ ଗ୍ରାମବାସୀ

ବୁଗୁଡ଼ା: ସାମାଜିକ ଓ ଅର୍ଥନୈତିକ ସର୍ଭେ ବେଳ‌େ ତାଲିକାରୁ ବାଦ୍ ପଡ଼ିଲା ଗାଁ। ଆଉ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଏହି ଚରମ ଭୁଲ୍‌ର ପରିଣାମ ଓ ଫଳ ଭୋଗୁଛନ୍ତି ନିରୀହ ଆଦିବାସୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖଣ୍ଡିଏ ଆବାସ ଆଜି ବି ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଛି। ନିରୁପାୟ ଆଦିବାସୀ ପଲିଥିନ୍ ଢଙ୍କା ଓ ଝାଟିମାଟି ଘରେ ଦୁର୍ବିଷହ ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅଧୀନ ମୋଟାବାଡ଼ି ପଞ୍ଚାୟତରେ। ପ୍ରଶାସନର ତ୍ରୁଟି ଯୋଗୁଁ ଏହି ପଞ୍ଚାୟତର ନାଗିରି, ଠଣାପଲ୍ଲୀ, ଝାଟିକାପଲ୍ଲୀ ଓ ବାଲିସାହି ଗ୍ରାମର ସହସ୍ରାଧିକ ଗରିବ ଓ ନିରୀହ ଆଦିବାସୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଆଉ ଏଥିପାଇଁ ଦାୟୀ କିଏ ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୧ ମସିହାରେ ସର୍ଭେ ଦାୟିତ୍ବ ପ୍ରଶାସନ ଜନପ୍ରତିନିଧି ମାନଙ୍କ ହାତରେ ନ୍ୟସ୍ତ କରିଥିଲା। କିନ୍ତୁ ଦାୟିତ୍ବ ଝାଡ଼ି ଦେଇ ତଦାରଖ କରିବାକୁ ଭୁଲିଗଲା। ଯାହାକି ଯୋଜନା କାର୍ଯ୍ୟକାରିତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଆଉ ଆଦିବାସୀଙ୍କ ଆଖିରୁ ଲୁହ ଶୁଖୁନି। କେବଳ ଆବାସ ନୁହେଁ, ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ପାଇଁ ମରିଚୀକା ସଦୃଶ ପାଲଟିଛି।

ଝାଟିକାପଲ୍ଲୀ ଗ୍ରାମର ରଜନୀ ପ୍ରଧାନ। ଗତମାସରେ ସ୍ବାମୀ ଦୀନବନ୍ଧୁ ପ୍ରଧାନ ନଡ଼ା କାଟି ସାଇକେଲ୍‌ରେ ଆଣୁଥିବା ବେଳେ ଅଧବାଟରେ ସାଇକେଲ୍‌ରୁ ପଡ଼ି ପ୍ରାଣ ହରାଇଥିଲେ। ହେଲେ ରଜନୀଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି, ଘର କରିବାକୁ ସମ୍ବଳ ନାହିଁ। ଭଙ୍ଗା କୁଡ଼ିଆ ଘରେ ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ଦୁର୍ବିଷହ ଜୀବନ କାଟିବାକୁ ପଡ଼ୁଛି। ରାତି ପାହିଲେ ମୁଠାଏ ଦାନା ଯୋଗାଡ଼ ପାଇଁ ଚିନ୍ତା। ୨୦ ବର୍ଷ ହେଲା ଝାଟିକାପଲ୍ଲୀ ଗ୍ରାମରେ ରହୁଥିଲେ ବି ରଜନୀ କେବଳ ଆବାସ ନୁହେଁ, କୌଣସି ସରକାରୀ ସୁବିଧାସୁଯୋଗ ପାଇପାରୁନାହାନ୍ତି।

ସେହିଭଳି ସେହି ଗାଁର ଜଗନ୍ନାଥ ପ୍ରଧାନ ବି ସମଦଶା ଭୋଗୁଛନ୍ତି। ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ସହ ଭଙ୍ଗାଦଦରା ଚାଳ ଘରେ ଦୁର୍ଦ୍ଦିନ ଜୀବନ କାଟୁଥିବା ବେଳ‌େ ଆବାସ ଯୋଜନାରୁ ସେ ବଞ୍ଚିତ ଅଛନ୍ତି। ଅଚ୍ୟୁତାନନ୍ଦ ପ୍ରଧାନ, ପରଶୁ ପ୍ରଧାନ, ବୃନ୍ଦାବନ ପ୍ରଧାନ ଓ ସନ୍ତୋଷ ପ୍ରଧାନ ନିଜ ନିଜର ପରିବାରକୁ ନେଇ ଦୁଖଃକଷ୍ଟରେ ଖୋଲାମେଲା ଚାଳଛପର କୁଡ଼ିଆରେ ମୁଣ୍ଡ ଗୁଞ୍ଜି ଥିବା ବେଳେ ସରକାରଙ୍କଠୁ ଆବାସ ପାଇବା ସେମାନଙ୍କ ପାଇଁ ଦିବା ସ୍ୱପ୍ନ ପାଲଟିଛି l ତୁରନ୍ତ ପ୍ରଶାସନ ସେମାନଙ୍କ ଦୁଃଖ ଶୁଣୁ ବୋଲି ସେମାନେ କୋହଭରା ନିବେଦନ କରିଛନ୍ତି। ତେବେ ଏହି ଅବହେଳା ଆବାସ ଯୋଜନାର କାର୍ଯ୍ୟକାରିତା ଏବଂ ପ୍ରଶାସନର ଆନ୍ତରିକତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଏଥିରେ କୌଣସି ଦ୍ବିମତ ନାହିଁ।

ଏନେଇ ବୁଗୁଡ଼ା ବିଡିଓ ତନ୍ମୟ ପାତ୍ର କହିଛନ୍ତି, ଉକ୍ତ ୪ଟି ଗ୍ରାମରେ ‌ସାମାଜିକ ଓ ଅର୍ଥନୈତିକ ସର୍ଭେ ଆଦୌରୁ ହୋଇ ପାରି ନଥିବାରୁ ମାନଚିତ୍ରରେ ତାହା ଦେଖାଉନି। ଫଳରେ ସରକାରୀ ନିୟମାନୁସାରେ ସେହି ଗ୍ରାମର କିଛି ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଗତବର୍ଷ ଡିସେମ୍ବରରୁ ୯୦ଜଣ ଆବାସ ପାଇଁ ଆବେଦନ କରିଥିବା ବେଳେ ମାସେ କି ଦୁଇମାସ ‌ଭିତରେ ଏହା ମଞ୍ଜୁର ହେବା ଆଶା ‌ଅଛି। ତେବେ ନାଗିରି, ଠଣାପଲ୍ଲୀ, ଝାଟିକାପଲ୍ଲୀ ଓ ବାଲିସାହି ଗ୍ରାମବାସୀଙ୍କ ଦୁଃଖ କେବେ ଦୂର ହେବ, ତାହା ସମୟ କହିବ।

ସମ୍ବନ୍ଧିତ ଖବର