ଝଙ୍କଡ଼: ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠରେ ଶାରଦୀୟ ପାର୍ବଣ ପୂଜା ଚାଲିଛି। ଏହି କ୍ରମରେ ସର୍ବସାଧାରଣଙ୍କ ପାଇଁ ମା’ଙ୍କ ମଣ୍ଡାପିଠା ଭୋଗ ପ୍ରସ୍ତୁତ ହେଉଥିବା ବେଳେ ଏଥିରେ ବ୍ୟବହୃତ ହେଉଥିବା ଘିଅ ନିମ୍ନମାନର ନେଇ ଅଭିଯୋଗ ହୋଇଥିଲା। ତଦନୁଯାୟୀ ଜଗତସିଂହପୁର ଜିଲ୍ଲା ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ଫୁଡ୍ ଇନ୍ସପେକ୍ଟର୍ ସସ୍ମିତା ଦାସ ଆଜି ଏହି ଘିଅର ମାନ ଯାଞ୍ଚ କରିଛନ୍ତି। ତାଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ପ୍ରକାରର ଘିଅର ନମୁନା ନେଇ ପରୀକ୍ଷା କରିଥିଲେ।
ନୂଆପଡ଼ା ଓମ୍ଫେଡ୍ ପ୍ଲାଣ୍ଟରୁ ସାରଳା ମନ୍ଦିରକୁ ଆସିଥିବା ଘିଅ ଟିଣ ଉପରେ ତିଆରି ଓ ଅବଧିର ଶେଷ ତାରିଖ ଉଲ୍ଲେଖ ନ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ମା’ଙ୍କ ପଣ୍ଡା ସେବକ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ କିଛି ସମୟ ପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ, ବିଗତ ବର୍ଷରେ ସାରଳା ମନ୍ଦିରରେ ବିଶୁଦ୍ଧ ଗାଈ ଘିଅରେ ନୀତିକାନ୍ତି କରାଯାଉଥିଲା। ମାତ୍ର ସଙ୍କଟ ଦେଖାଯିବାରୁ ମନ୍ଦିର ପ୍ରଶାସନ ତରଫରୁ ଓମଫେଡ ଘିଅର ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିଦିନ ଠାରୁ ଓମଫେଡ୍ ଘିଅର ପ୍ରଚଳନ କରାଯାଉଥିଲେ ମଧ୍ୟ କେବେ ବି ଏହାର ଶୁଦ୍ଧତା ଠିକ୍ ଅଛି କି ନାହିଁ ତାହାର ଯାଞ୍ଚ କରାଯାଉ ନଥିଲା।