ରାୟଗଡା : ଗାଁ ଗୋଟିଏ। କିନ୍ତୁ ୬ଟି ଭିନ୍ନ ଭିନ୍ନ ନାମ ସହ ଉଚ୍ଚାରଣ ଆଗନ୍ତୁକଙ୍କୁ ସବୁବେଳେ ଦ୍ବନ୍ଦ୍ବରେ ପକାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଭିନ୍ନ ତଥା ବିକୃତ ନାମକରଣ ଆଉ କେହି ନୁହଁ ସରକାରଙ୍କ ବିଭିନ୍ନ ବିଭାଗ ଦ୍ବାରା ହିଁ କରାଯାଇଛି।
ରାୟଗଡ଼ା ସହର ଠାରୁ ମାତ୍ର ୧୫କିଲୋମିଟର ଦୂରରେ ରହିଛି ରାଜସ୍ବ ଗାଁ ମାନ୍ୟତାପ୍ରାପ୍ତ ଜେମାଦେଈପେଣ୍ଠ। କିନ୍ତୁ, ଏହା ଗାଁର ପ୍ରକୃତ ନାଁ କିମ୍ବା ଅନ୍ୟ କିଛି ରହିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଗାଁର ପ୍ରବେଶ ପଥ ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଫଳକରେ ଭିନ୍ନ ଭିନ୍ନ ନାଁ ଉଲ୍ଲେଖ କରାଯାଇଛି। କେଉଁଠି ଜେମାଦେଇପେଷ୍ଟ ତ ଆଉ କେଉଁଠି ଉଲ୍ଲେଖ ହୋଇଛି ଜିମିଡିପେଟା। ପୁଣି ଜେ.ପୋଷ୍ଟ ଏବଂ ଝିମିଡ଼ିପେଟା ବୋଲି ଫଳକ ଲାଗିଛି। ଗାଁ ଷ୍ଟେସନରେ ଜମାଦେଈପେଣ୍ଠ ବୋଲି ଫଳକ ରହିଛି।
ଏହାବ୍ୟତୀତ ଗୋଟିଏ ସ୍ଥାନରେ ଜିମିଟିପେଣ୍ଠ ବୋଲି ଉଲ୍ଲେଖ ହୋଇଥିବାରୁ ଏଭଳି ବିଭିନ୍ନ ନାମକରଣ ଗ୍ରାମବାସୀ ଏବଂ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଏହା ଭିତରୁ କେଉଁ ନାମ ଅସଲ ଏବଂ କେଉଁ ଉଦ୍ଦେଶ୍ୟରେ ବିକୃତ ତଥା କଦର୍ଯ୍ୟ କରି ନାମ ଗୁଡ଼ିକ ଲେଖାଯାଇଛି ବୋଲି ପ୍ରଶ୍ନ ଉଠିଛି।
ଗ୍ରାମବାସୀଙ୍କ କହିବା ହେଲା, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ସରକାରୀ କାମ ହେବାପରେ ଫଳକ ଲାଗୁଛି। କିନ୍ତୁ, ବିଭାଗ ଗୁଡ଼ିକ ମଧ୍ୟରେ ତାଳମେଳର ଅଭାବ ହେଉ କିମ୍ବା ଅଧିକାରୀଙ୍କ ଉଦାସୀନତା ଯୋଗୁ ଗାଁର ପ୍ରକୃତ ନାମ ଏବେ ଦ୍ବନ୍ଦ୍ବ ବଢ଼ାଇବାରେ ଲାଗିଛି। ଏହାକୁ ସଜାଡ଼ିବା ଦୂରର କଥା କେହି ଗୁରୁତ୍ବ ମଧ୍ୟ ଦେଉନାହାନ୍ତି। ଯାହା ଗୋଟିଏ ଗାଁ ଏବଂ ଓଡ଼ିଆ ଭାଷା ପ୍ରତି ଅସମ୍ମାନ। ତେଣୁ ଗୋଟିଏ ରାଜସ୍ବ ଗ୍ରାମର ନାମକୁ ଏଭଳି କଦର୍ଯ୍ୟ କରିବା ଭଳି କାର୍ଯ୍ୟ ଜାଣିଶୁଣି ନା ଅଜାଣତରେ କରାଯାଇଛି ତାହାର ତଦନ୍ତ ପାଇଁ ଦାବି ହୋଇଛି।