ନବରଙ୍ଗପୁର : କେନ୍ଦ୍ରମନ୍ତ୍ରୀଙ୍କ ଲଗାତାର ପ୍ରଶ୍ନରେ ଝାଳନାଳ ହୋଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ଅଧିକାଂଶ ପ୍ରଶ୍ନର ଠିକ୍‌ ଉତ୍ତର ଦେବାକୁ ସକ୍ଷମ ହୋଇନାହାନ୍ତି ଅଧିକାରୀବୃନ୍ଦ। ଥତମତ ଏବଂ କୁନ୍ଥକୁନ୍ଥ ହେବାରୁ ନିରାଶା ବ୍ୟକ୍ତ କରି ସମୀକ୍ଷା ବୈଠକ ଆଧାରୁ ଉଠି ଆସିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ। ଏହାପରେ ଗଣମାଧ୍ୟମକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବଂ କାର୍ଯ୍ୟପ୍ରଣାଳୀକୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ଦୁଇ ଦିନିଆ ଗସ୍ତ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ଗିରିରାଜ ଆଜି ସଂଧ୍ୟା ସାଢ଼େ ୬ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଡ. କୋମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ତଥ୍ୟ ଉପସ୍ଥାପନ କରିଥିଲେ। କିନ୍ତୁ, ଆରମ୍ଭରୁ ଅମୃତ ସରୋବର ଖନନ ନେଇ ମନ୍ତ୍ରୀ ପଚାରିଥିବା ପ୍ରଶ୍ନ ବୈଠକକୁ ସଂପୂର୍ଣ୍ଣ ଗମ୍ଭୀର କରିଦେଇଥିଲା। ବିଭାଗୀୟ ଅଧିକାରୀ କୌଣସି ଜବାବ ନଦେଇ ଚୁପ୍‌ ବସିଥିଲେ। ମନରେଗାରେ ଶ୍ରମିକଙ୍କୁ କେତେ ମଜୁରି ଦିଆଯାଉଛି ବୋଲି ପଚାରିବାରୁ ସିଡିଓ ଅନ୍ୟା ଦାସ ୨୩୭ଟଙ୍କା ବୋଲି କହିଥିଲେ। କିନ୍ତୁ କେତେ କାମ କରିବା ପରେ ଏହି ମଜୁରି ଦିଆଯାଉଛି ବୋଲି ପଚାରିବାରୁ ସଠିକ୍‌ ଉତ୍ତର ମିଳିନଥିଲା। ଅଧିକାଂଶ ସରଳ ତଥା ସାଧାରଣ ପ୍ରଶ୍ନର ବି ଉତ୍ତର ପ୍ରଶାସନ ନିକଟରେ ନଥିବାରୁ ବିରକ୍ତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ବିନା ତଥ୍ୟରେ ଅଧିକ ଆଲୋଚନା କରିବା ଅସମ୍ଭବ ବୋଲି କହିବାକୁ ପଛାଇ ନଥିଲେ।

ଏହାପରେ ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ସରକାର ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାରେ କୌଣସି ଆପତ୍ତି ନାହିଁ। କିନ୍ତୁ କେନ୍ଦ୍ର ଯୋଜନାକୁ ଓଡ଼ିଶା ସରକାର ନିଜ ଯୋଜନା ସହ ଯୋଡ଼ି ଅନୁଦାନ ଖର୍ଚ୍ଚ କରୁଛନ୍ତି। ପୋଖରୀ ଖୋଳା ନାମରେ ଅର୍ଥ ଅପବ୍ୟବହାର ହେଉଛି। କୌଣସି ଟଙ୍କା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ନୁହେଁ। ସାଧାରଣ ଲୋକଙ୍କ ଟଙ୍କାକୁ ଅପବ୍ୟବହାର ହେଲେ କ’ଣ ସମୀକ୍ଷା କରିବି ବୋଲି ‌ଉଦ୍‌ବେଗ ପ୍ରକାଶ କରି କହିଥିଲେ।