ଶୁଣିଲାନି ପ୍ରଶାସନ, ରାସ୍ତା ପାଇଁ ୨ ଧର୍ମର ବ୍ୟକ୍ତିଙ୍କ ଜମି ଦାନ ପରେ ତିଆରି ହେଲା ରାସ୍ତା ଓ ନଳକୂପ 

ତେନ୍ତୁଳିଖୁଣ୍ଟି: ଶ୍ମଶାନକୁ ରାସ୍ତା ନଥିଲା। ପ୍ରାୟ ୧୫୦ ବର୍ଷ ଧରି ଚାଷ ଜମି ହୁଡ଼ା ଦେଇ ଯିବାକୁ ପଡୁଥିଲା। ଗୋଟିଏ ସ୍ଥାନରେ ରହିଛି ଶ୍ମଶାନ ପଦା ଓ କବର ସ୍ଥାନ। ରାସ୍ତା ନଥିବା ଯୋଗୁଁ ହିନ୍ଦୁ ଓ ଖ୍ରୀଷ୍ଟିୟ ଧର୍ମାବଲମ୍ବୀ  ଲୋକେ ବର୍ଷ ତମାମ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଫେରାଦ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିଲାନି। ଶେଷରେ ବାଧ୍ୟ ହୋଇ ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କଲେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ। ପରିଶେଷରେ ସମସ୍ତେ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରି ରାସ୍ତା ନିର୍ମାଣ କରିଛନ୍ତି। ସେହିପରି ଶ୍ମଶାନରେ ଏକ ନଳକୂପ ମଧ୍ୟ ଖନନ କରାଯାଇଛି। ଏଭଳି ଏକ ମହତ କାର୍ଯ୍ୟ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ପ୍ରଶାସନ ଓ ରାଜନେତାଙ୍କ ପାରିବା ପଣିଆକୁ ସମାଲୋଚନା କରାଯାଉଛି।

ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମ ଉପକଣ୍ଠ ରେ ରହିଛି ଏକ ଶ୍ମଶାନ। ଯୋଉଠି କି ହିନ୍ଦୁ ଓ ଖିଷ୍ଟ ଧର୍ମାବଳମ୍ବି ମାନଙ୍କ କବର ସ୍ଥାନ ଓ ମଶାଣି ଗୋଟିଏ ସ୍ଥାନରେ ରହିଛି। ୧୫୦ ବର୍ଷ ଧରି ବନ୍ଧଗୁଡା ଠାରେ ଥିବା କବର ସ୍ଥାନ ଓ ସ୍ମଶାନକୁ ଯିବାପାଇଁ ରାସ୍ତା ଖଣ୍ଡିକ ହୋଇନାହିଁ। ଫଳରେ ଉଭୟ ସମ୍ପ୍ରଦାୟର ଲୋକେ କାହାର ସ୍ବର୍ଗବାସ ହେଲେ ଶବ ଦାହ କିମ୍ବା କବର ଦେବାକୁ ଜମି ହିଡ଼ ଦେଇ ଯିବାକୁ ପଡୁଥିଲା। ଯାହାକି ଉଭୟ ସମ୍ପ୍ରଦାୟର ଲୋକଙ୍କୁ ବର୍ଷ ବର୍ଷ ଧରି ହଇରାଣ ହେବାକୁ ପଡୁଥିଲା। ଏନେଇଁ ବନ୍ଧଗୁଡା ଗ୍ରାମବାସୀ ବାରମ୍ବାର ପ୍ରଶାସନ ତଥା ରାଜନେତା ଙ୍କ ନିକଟରେ ପହଂଚି ରାସ୍ତା ପାଇଁ ଗୁହାରି କରିଥିଲେହେଁ କୌଣସି ସୁଫଳ ମିଳି ପାରିନଥିଲା।

ଶେଷରେ ସମ୍ପୃକ୍ତ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ସ୍ମଶାନ ତଥା କବର ସ୍ଥାନକୁ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ।  ଏହାପରେ ଗ୍ରାମରେ ଏକ ବୈଠକ ର ଆୟୋଜନ ହୋଇଥିଲା। ଏଥିରେ ସମସ୍ତେ ରାସ୍ତା ନିର୍ମାଣ ପାଇଁ କିଛି କିଛି ଆର୍ଥିକ ସହାୟତା ଯୋଗେଇ ଦେବାକୁ କହିଥିଲେ। ସବୁଠାରୁ ବଡ଼ କଥା ହେଲା ଯାହାଙ୍କ ଜମି ହୁଡ଼ା ଦେଇ ସ୍ମଶାନ ତଥା କବର ସ୍ଥାନ ଯିବାକୁ ପଡୁଥିଲା ଉକ୍ତ ବ୍ୟକ୍ତି ବିଶେଷ ନିଜ ପଟ୍ଟା ଥିବା ଚାଷ ଜମି ମଧ୍ୟ ଦେଇ ସ୍ମଶାନ ଯିବାକୁ ରାସ୍ତା ଛାଡିବାକୁ ଆଗ୍ରହ ଦେଖାଇ ଥିଲେ। ବନ୍ଧଗୁଡା ଗ୍ରାମର ଜମି ମାଲିକ ମଣ୍ଟୁ ବାଘ,ଗୋପୀ ମାଝୀ ଓ ମନୋଜ ମାଝୀ ନିଜ ଜମି ଦେଇ ରାସ୍ତା ଯିବା ନିମନ୍ତେ ଜାଗା ଛାଡିଥିଲେ। ଏହାପରେ ଗ୍ରାମବାସୀଙ୍କ ପ୍ରାୟ ଏକ ଲକ୍ଷ ଟଙ୍କା ସଂଗୃହିତ ଅର୍ଥରେ ଶ୍ମଶାନ ଓ କବର ସ୍ଥାନ ଯିବା ପାଇଁ ପ୍ରାୟ ୪ ଶହ ମିଟର ରାସ୍ତା ନିର୍ମାଣ ହୋଇଛି।

ଏକ ଜେସିବି ମେସିନ ସାହାଯ୍ୟରେ ତିନିଦିନ ର ପରିଶ୍ରମ ପରେ ରାସ୍ତା ନିର୍ମାଣ ହୋଇପାରିଛି। ସେହିପରି ବନ୍ଧଗୁଡା ଗ୍ରାମର ଥବିର ବାଘ ଯିଏକି ଏବେଞ୍ଜର ମିଶନ ନାମକ ଏକ ସ୍ବେଛାସେବୀ ସଂସ୍ଥାର ରାଜ୍ୟ ସଂଯୋଜକ ଅଛନ୍ତି ତାଙ୍କରି ଉଦ୍ୟମରେ ବନ୍ଧଗୁଡା ଶ୍ମଶାନ ଓ କବର ସ୍ଥାନ ପାଇଁ ଏକ ନଳକୂପ ସ୍ଥାପନ କରାଯାଇଛି। ନିଜସ୍ୱ ଉଦ୍ୟମରେ ଶ୍ମଶାନ ଓ କବର ସ୍ଥାନକୁ ରାସ୍ତା ନିର୍ମାଣ କରିବା ବନ୍ଧଗୁଡା ଗ୍ରାମର ହିନ୍ଦୁ ଓ ଖିଷ୍ଟ ଭାଇଙ୍କ ଭାଇଚାରା ଓ ଏକତା ସମସ୍ତ ଙ୍କ ପାଇଁ ଉଦାହରଣ ପାଲଟିଛି।

ସମ୍ବନ୍ଧିତ ଖବର