ବାରଯାତ୍ରୀ ପହଞ୍ଚିବା ପୂର୍ବରୁ କନ୍ୟା ଚମ୍ପଟ, କନ୍ୟାର ସାନ ଭଉଣୀକୁ ବାହା ହୋଇ ଅଡ଼ୁଆରେ ବର

ନବବିବାହିତା ନାବାଳିକାକୁ ଉଦ୍ଧାର କଲା ପ୍ରଶାସନ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅଞ୍ଚଳରେ ବାରାତି ପହଞ୍ଚିବା ବେ‌ଳକୁ କନ୍ୟା ଚମ୍ପଟ୍‌ ମାରିବା ଓ କନ୍ୟାର ସାନ ଭଉଣୀକୁ ବାହା ହୋଇ ବର ଅଡ଼ୁଆରେ ପଡ଼ିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ବାହାଘରର ଖବର ପାଇ ପ୍ରଶାସନ ନବବିବାହିତା ନାବାଳିକାକୁ ଉଦ୍ଧାର କରିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, କଲମପୁର ବ୍ଲକ୍‌ ତେନ୍ତୁଳିଖୁଣ୍ଟି ଗ୍ରାମର ହର ବେହେରାଙ୍କ ପୁଅ ଦେବାନନ୍ଦ ବେହେରାଙ୍କ ବିବାହ ସମ୍ବନ୍ଧ ଜୟପାଟଣା ବଡ଼କର୍ଲାକୋଟ ପଂଚାୟତର ମାଳଗୁଡ଼ା ଗାଁର ଦୁର୍ଲ୍ଲଭ ରାଉତଙ୍କ ଝିଅ ସାଙ୍ଗରେ ଚୂଡ଼ାନ୍ତ ହୋଇଥିଲା। ତେବେ ବାହାଘର ଦିନ ବରଯାତ୍ରୀ ପହଞ୍ଚିବା ପୂର୍ବରୁ କନ୍ୟା ଫେରାର ହୋଇଯାଇଥିଲା। ପରେ ଉଭୟ ପକ୍ଷ ସାମାଜିକ ସ୍ତରରେ ଏକ ମୀମାଂସା କରି କନ୍ୟାର ସାନ ଭଉଣୀ ଯିଏକି ବଡ଼କର୍ଲାକୋଟ ଉନ୍ନୀତ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ, ତା’କୁ ବର ହାତରେ ଟେକି ଦେଇଥିଲେ। ଏ ନେଇ ଜଣେ ସାମାଜିକ କର୍ମୀ ସିଡିପିଓ ସୁକାନ୍ତି ବେହେରାଙ୍କୁ ଫୋନ୍ ଯୋଗେ ସୂଚନା ଦେବା ପରେ ସିଡିପିଓ ଜୟପାଟଣା ପୁଲିସକୁ ଜଣାଇଥିଲେ।

ଟେଲିଫୋନ୍ ମାଧ୍ୟମରେ ବରର ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି ଆଇନ ବିରୋଧୀ କାମ ନ କରିବା ପାଇଁ ବୁଝାଇବା ସତ୍ତ୍ବେ ସେମାନେ ଝିଅକୁ ହସ୍ତାନ୍ତର କରିବା ପାଇଁ ସଂପୂର୍ଣ୍ଣ ମନା କରି ଦେଇଥିଲେ। ପରେ ସ୍ଥାନୀୟ ଆଇଆଇସି ରଶ୍ମିତା ପ୍ରଧାନ ଓ ସିଡିପିଓ ଶ୍ରୀମତୀ ବେହେରା ତେନ୍ତୁଳିଖୁଣ୍ଟି ଯାଇ ନାବାଳିକାକୁ ଉଦ୍ଧାର କରିଥିଲେ। ପରେ ମାଳଗୁଡ଼ା ଯାଇ ନାବାଳିକାର ବାପା ମା’ଙ୍କୁ ଝିଅକୁ ଅର୍ପଣ କରିଥିବା ସୂଚନାରୁ ପ୍ରକାଶ। ଗୁରୁବାର ଶିଶୁ ମଙ୍ଗଳ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଆସି ସବିଶେଷ ଅନୁଧ୍ୟାନ ସହ ନାବାଳିକାଙ୍କ ଥଇଥାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର