ରବି ନାରାୟଣ ଦାସଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ ଆଉ ନାହାନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଅସୁସ୍ଥତା କାରଣରୁ ୨ଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କୁ ୮୭ବର୍ଷ ହୋଇଥିଲା। ରାଜ୍ୟର ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳରେ ମୁଖ୍ୟ ଶାସନ ସଚିବ ଦାୟିତ୍ବ ତୁଲାଇବାରେ ସ୍ବର୍ଗତ ଦାସଙ୍କ ବିରଳ ରେକର୍ଡ ରହିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଫରେଷ୍ଟ ପାର୍କସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି।

୧୯୩୫ ମସିହାରେ ଯାଜପୁରର କମାଗଡ଼ରେ ସ୍ବର୍ଗତ ଦାସ ଜନ୍ମ ଗ୍ରହଣ କରିଥିଲେ। ରେଭେନ୍‌ସା କଲେଜିଏଟ୍‌ ସ୍କୁଲ ଓ ରେଭେନ୍‌ସା କଲେଜରୁ ଶିକ୍ଷା ଲାଭ କରିଥିଲେ। ପରବର୍ତୀ ସମୟରେ ପାଟନାରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବା ସହିତ ୧୯୫୯ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ନିଜର ଚାକିରି ଜୀବନରେ ସେ ଶିଳ୍ପ, ଗୃହ, ଅର୍ଥ ବିଭାଗରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ୧୯୯୨ ମସିହା ଡିସେମ୍ବର ପହିଲାରେ ମୁଖ୍ୟ ଶାସନ ସଚିବ ଭାବେ ପଦବି ସମ୍ଭାଳିଥିଲେ। ଉଭୟ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ କାର୍ଯ୍ୟ କରିଥିଲେ। ଏହାସହ ସରକାରଙ୍କ ଉପଦେଷ୍ଟା ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ସ୍ବର୍ଗତ ଦାସ ଦୁଇ ଝିଅ ପଞ୍ଚମୀ, ସଂଜନା, ପୁଅ ରାଜେଶ ଓ ପତ୍ନୀ ଜୟଶ୍ରୀଙ୍କୁ ଛାଡ଼ି ଯାଇଛନ୍ତି।

ଫରେଷ୍ଟ ପାର୍କ ବାସଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଅପରାହ୍‌ଣରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର