ଜ୍ୟୋତିପ୍ରକାଶ ମହାପାତ୍ର
କଟକ: କଟକ ହେଉଛି ୧୪ଶହ ବର୍ଷର ପୁରୁଣା ସହର। ବାରବାଟୀ ଦୁର୍ଗ ଖନନରୁ ବାହାରିଥିବା ପ୍ରାଚୀନ ଭଗ୍ନାବଶେଷ, ଭଗ୍ନ ପାତ୍ର ଓ ପଥରରୁ ଏହି ତଥ୍ୟ ସାମନାକୁ ଆସିଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦ୍ବାରା ବାରବାଟୀ ଦୁର୍ଗ ପରିସରରେ ଏବେ ଖନନ ଚାଲିଥିବା ବେଳେ ବାହାରିଥିବା ବିଭିନ୍ନ ଭଗ୍ନ ସାମଗ୍ରୀ ଗୁଡିକ ୬ ଶହରୁ ୯ଶହ ଖ୍ରୀଷ୍ଟାବ୍ଦ ସମୟର ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ନୌବାଣିଜ୍ୟ କ୍ଷେତ୍ରରେ କଟକ ଚୀନ୍, ଆରବ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହିତ ବ୍ୟବସାୟ କରୁଥିବାର ମଧ୍ୟ ଏଥିରୁ ପ୍ରମାଣ ମିଳିଛି ବୋଲି ଦୁର୍ଗଖନନର ମୁଖ୍ୟ ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିଦ୍ ଡକ୍ଟର ଡି. ଗଡ଼ନାୟକ କହିଛନ୍ତି।
ଐତିହାସିକ ବାରବାଟୀ ଦୁର୍ଗ ପରିସରରେ ଏଏସ୍ଆଇ ପକ୍ଷରୁ ଚଲିଥିବା ଦ୍ବିତୀୟ ପର୍ଯ୍ୟାୟ ଖନନରୁ ମିଳିଥିବା ପ୍ରାଚୀନ କୀର୍ତ୍ତିରାଜି, ଭଗ୍ନ ପାତ୍ର ଓ ପଥର କଟକ ଇତିହାସର ନୂଆ ଫର୍ଦ୍ଦ ଉନ୍ମୋଚନ କରିବାକୁ ଯାଉଛି। ଖନନରୁ ଏକ ବିଶେଷ ପ୍ରକାରର ଧଳା ରଙ୍ଗ ପଥର (ହ୍ବାଇଟ୍ ସେରାମିକ୍)ରେ ନିର୍ମାଣ ହୋଇଥିବା ଏକ ଭଗ୍ନ ପାତ୍ର ଆବିଷ୍କାର କରାଯାଇଛି। ଏହା ଦୁର୍ଗ ଖନନର ତଳ ଅଂଶରେ ମିଳିଛି। ଯାହା ୬ଶହ ଖ୍ରୀଷ୍ଟାବ୍ଦ ସମୟରେ ବହୁଳ ଭାବେ ବ୍ୟବହାର କରାଯାଉଥିଲା। ଏହା ସହିତ ବାରବାଟୀ ଖନନରୁ ଭିଏତ୍ନାମ, ଚୀନ, ଆରବ ଦେଶର ବହୁ ଭଗ୍ନ ପାତ୍ର ବାହାରିଛି। ସେଥିମଧ୍ୟରୁ କିଛି ପାତ୍ରରେ ଚୀନ ଓ ଅନ୍ୟ ଭାଷାରେ ଲେଖା ଯାଇଥିବା ଦେଖିବାକୁ ମିଳିଛି। ଆରବିଆନ୍ ଗ୍ଲେଜ୍ ୱେରରେ ନିର୍ମାଣ ହୋଇଥିବା ବିଭିନ୍ନ ପାତ୍ରର ଅଂଶ ବି ମିଳିଛି। ଭୌମ୍ୟଙ୍କ ସୋମବଂଶ ସମୟରେ ବ୍ୟବହାର ହେଉଥିବା ପାତ୍ର ଦୁର୍ଗ ଖନନରୁ ବାହାରିଛି। ଯାହା କଟକ ୧୪ ଶହ ବର୍ଷରୁ ଅଧିକ ପୁରୁଣା ସହର ବୋଲି ପ୍ରମାଣ କରୁଛି। ଦୁର୍ଗ ଖନନରୁ ବାହାରିଥିବା ବିଭିନ୍ନ ଭଗ୍ନ ମାଟି ଓ ପଥର ପାତ୍ରରୁ କଟକର ସିଧାସଳଖ ଚୀନ, ଆରବ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶ ସହ ନୌବାଣିଜ୍ୟ ସମ୍ପର୍କ ଥିବାର ସୂଚନା ଦେଉଛି ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।
ଦୁର୍ଗ ଖନନରୁ ବାହାରିଥିବା ବିଭିନ୍ନ ଭଗ୍ନ ଅଂଶକୁ ବରିଷ୍ଠ ପ୍ରତ୍ନତତ୍ତ୍ବବିଦ୍ ଅଶୋକ ପଟେଲ, ଡକ୍ଟର ଜୀବନ ପଟ୍ଟନାୟକ, ଡକ୍ଟର ସୁନିଲ ପଟ୍ଟନାୟକ, ସୁଶାନ୍ତ କର, ଡକ୍ଟର ପ୍ରସନ୍ନ ଦୀକ୍ଷିତ, ବୈଜ୍ଞନିକ ଶିବଶଙ୍କର ପଣ୍ଡା ପ୍ରମୁଖ ଦେଖିବା ସହ ସେଗୁଡିକୁ ବିଶ୍ଲେଷଣ କରି ଏହା ୬ରୁ ୯ଶହ ଖ୍ରୀଷ୍ଟାବ୍ଦର ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବାରବାଟୀ ଦୁର୍ଗର ଅନୁଧ୍ୟାନ ପାଇଁ ୧୯୮୯ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଏହାର ଖନନ କରାଯାଇଥିଲା। ବାରବାଟୀ ଦୁର୍ଗ ଖନନ କାର୍ଯ୍ୟକ୍ରମ ପ୍ରାୟ ୧୬ ବର୍ଷ ପରେ ପୁଣି ଆରମ୍ଭ ହୋଇଛି। ଏଥିରେ ବହୁ ପୁରାତନ ସାମଗ୍ରୀ ମିଳିବା ସହ ରାଜକୀୟ ଚଲାପଥ, ବିଶାଳକକ୍ଷ ଓ ତାମ୍ରଖଣ୍ଡ ଦୃଷ୍ଟିକୁ ଆସିଛି।