କଳାବାଡ଼ିଆ: ସ୍ବାମୀଙ୍କ ସହ ରହିବାକୁ ଦାବି କରି ନିଜ ୫ ବର୍ଷର ପଅକୁ ଧରି ଶାଶୂଘର ଆଗରେ ଧରଣା ଦେଇଛନ୍ତି ଜଣେ ମହିଳା। ଏପଟେ ସ୍ବାମୀ କିନ୍ତୁ ତାଙ୍କୁ ଘରେ ପୂରାଇବାକୁ ନାରାଜ। ଏ ଘଟଣା ହେଉଛି ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ସାରସପୋଷି ଗ୍ରାମର। ଏହି ଗ୍ରାମର ଶ୍ରୀବତ୍ସ ସେଠୀଙ୍କ ସାନ ପୁଅ ରବୀନ୍ଦ୍ର ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମର ପରମେଶ୍ବର ସେଠୀଙ୍କ ସାନ ଝିଅ ବନିତାଙ୍କୁ ୮ ବର୍ଷ ଦ୍ବିତୀୟ ବିବାହ କରିଥିଲେ। ଉଭୟଙ୍କର ଏକ ୫ ବର୍ଷର ପୁଅ ରହିଛି। ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ କଳିଝଗଡ଼ା ଲାଗି ରହୁଥିଲା।

Advertisment

ଏପରିକି ଗତବର୍ଷ ସ୍ବାମୀଙ୍କ ବିରୋଧରେ ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିଲେ ବନିତା। ଉକ୍ତ ମାମଲା ପରିବାର ଅଦାଲତରେ ବିଚାରାଧୀନ ରହିଛି। ତେବେ ମାମଲାର ଫଇସଲା ହୋଇନଥିବା ବେଳେ ସ୍ବାମୀ ଅନ୍ୟ ଝିଅ ସହିତ ସଂପର୍କ ରଖୁଥିବା ଅଭିଯୋଗ କରି ନିଜ ଛୁଆ ସହିତ ଶାଶୂଘର ଆଗରେ ଧାରଣା ଦେଇଛନ୍ତି ବନିତା। ଏପଟେ ରବୀନ୍ଦ୍ରଙ୍କ କହିବା କଥା ହେଲା; ମୋ ସ୍ତ୍ରୀ ମୋ ବିରୁଦ୍ଧରେ ୨ଟି କେସ୍‌ କରିଛି। ଆସନ୍ତା ଅଗଷ୍ଟ ୪ ତାରିଖରେ ଅଦାଲତରେ ଏହାର ଶୁଣାଣି ତାରିଖ ଅଛି। ତେଣୁ ଅଦାଲତଙ୍କ ନିର୍ଦ୍ଦେଶ ନଆସିବା ଯାଏ ସ୍ତ୍ରୀକୁ ଘରେ ପୂରାଇ ଦେବିନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ରବୀନ୍ଦ୍ର। ଖବର ଲେଖାହେବା ପର୍ଯ୍ୟନ୍ତ ଉଭୟ ମା’ ପୁଅ ଧାରଣାରେ ବସିଛନ୍ତି। ଘଟଣାର ଆପୋସ ସମାଧାନ ପାଇଁ ପୁଲିସ ପ୍ରୟାସ କରୁଥିବା ଥାନା ଅଧିକାରୀ ସଞ୍ଜୟ ପରିଡ଼ା କହଛନ୍ତି।