ବିଧାନସଭାରେ ୨୦୨୨-୨୩ ପାଇଁ ୨୧,୧୬୬ କୋଟିର କୃଷି ବଜେଟ୍ ଉପସ୍ଥାପିତ

ସହରାଞ୍ଚଳରେ ଖୋଲିବ ମତ୍ସ୍ୟ ବଜାର
କୋରାପୁଟର ଝଞ୍ଜାବତୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ
କାଳିଆ ଯୋଜନାକୁ ୧,୮୭୪ କୋଟି
ମତ୍ସ୍ୟଚାଷ, ପଶୁପାଳନକୁ ସ୍ବତନ୍ତ୍ର ଗୁରୁତ୍ବ

ଭୁବନେଶ୍ବର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ଦିନ ବିଧାନସଭାରେ ୨୧,୧୬୬ କୋଟି ଟଙ୍କାର ସ୍ବତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରିଛନ୍ତି। ୨୦୧୮-୧୯ରୁ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ସେ ୧,୮୭୪ କୋଟି ଟଙ୍କା ଦେଇଛନ୍ତି। ଏହି ଯୋଜନାରେ ୩୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷର ଓ ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସହାୟତା ଦିଆଯାଉଛି। କୃଷି ଗବେଷଣା, ଶିକ୍ଷା‌ ଓ ଭିତ୍ତିଭୂମିର ବିକାଶ ପାଇଁ ୧୬୧ କୋଟି ଟଙ୍କା ଦିଆଯାଇଛି ଯାହା ୨୦୧୯-୨୦ର ଅଟକଳର ୫ ଗୁଣ ଅଟେ। ଓୟୁଏଟିକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୩୧୨ କୋଟି ଟଙ୍କା ଓ ଜାତୀୟ ଉଦ୍ୟାନ କୃଷି ମିସନ ପାଇଁ ୧୨୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଯନ୍ତ୍ରପାତି ଓ ଡିଜେଲ୍ ପମ୍ପ୍‌ ସେଟ୍‌ର ଚାହିଦା ବଢ଼ାଇବା ଲାଗି ୪୩୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ପାଇଁ ୨୫ କୋଟି ଟଙ୍କାର ସହାୟତା ଦେବାକୁ କୃଷି ବଜେଟ୍‌ରେ ପ୍ରସ୍ତାବ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୨ ଲକ୍ଷ ୮୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୧୬ଟି ଇନ୍‌-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍‌ଚର୍‌ (ଆଇଏସ୍‌ଏସ୍‌) ନିର୍ମାଣ କରିବା ଲାଗି ୧୪୪ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି।

The Financial Express

୨୦୨୨-୨୩ରେ ସରକାର କୋରାପୁଟର ଝଞ୍ଜାବତୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ମହାନଦୀ-ଚିତ୍ରୋତ୍ପଳା ଦ୍ବୀପ ଜଳସେଚନ ଏବଂ ଦେଓ ପ୍ରକଳ୍ପକୁ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି କୃଷି ବଜେଟ୍‌ରେ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଲାଗି ୨,୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଳ କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧,୦୨୨ କୋଟି ଟଙ୍କା ଦିଆଯାଇଛି। ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ପାଇଁ ୯୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅତିରିକ୍ତ ୨ ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇବା ଲାଗି ଆସନ୍ତା ପାଞ୍ଚ ବର୍ଷରେ ୧୦,୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦ଟି ନିର୍ମାଣାଧୀନ ପ୍ରକଳ୍ପକୁ ଶେଷ କରିବା ଲାଗି ୪୮୫ କୋଟି ଟଙ୍କା ଦିଆଯାଇଛି। ଜଳ ନିଧି ଯୋଜନାରେ ଆର୍‌ଆଇଡିଏଫ୍ ସହାୟତା ଭାବେ ୨୩୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ୧୨,୫୦୦ ଗଭୀର ନଳକୂପ ଖନନ ନିମନ୍ତେ ୪୦୦ କୋଟି ଟଙ୍କାର ବରାଦ କରାଯାଇଛି। ବିଜୁ କୃଷକ ବିକାଶ ଯୋଜନା‌ରେ ୧୫୦୦ ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟ୍ ସ୍ଥାପନ ପାଇଁ ୪୨୨ କୋଟି ଟଙ୍କା ଦିଆଯାଇଛି। ସେଚାଞ୍ଚଳ ଉନ୍ନୟନ ଓ ଜଳ ପ୍ରବନ୍ଧନ ଯୋଜନା ପାଇଁ ୨୦୦ କୋଟି ଟଙ୍କା କେନାଲରେ ଜଳ ସଂଚାଳନ କ୍ଷତି ହ୍ରାସ ପାଇ ୪୪୦ କୋଟି ଟଙ୍କା ଓ ପୁରୁଣା ସେଚ ପ୍ରକଳ୍ପର ଆଧୁନିକୀକରଣ ଓ ପୁନରୁଦ୍ଧାର ପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୫୦ କୋଟି ଟଙ୍କା ଦିଆଯାଇଛି। କୃଷି ସହନଶୀଳ ଚାଷ ପାଇଁ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ ନିମନ୍ତେ ୫୩୮ କୋଟି ଟଙ୍କା ଦିଆଯାଇଥିବା ବେଳେ ୫୩୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନବୀକରଣ ଓ ପୁନରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୯୫ କୋଟି ଟଙ୍କା ଦିଆଯାଇଛି।

pakistantoday.com.pk

ଚାଷୀମାନଙ୍କୁ ସୁଧ ରିହାତି ପ୍ରଦାନ କରିବା ଲାଗି ୮୯୩ କୋଟି ଟଙ୍କା, ସମବାୟ ସଂସ୍ଥାଗୁଡ଼ିକୁ ଆର୍ଥିକ ସହାୟତା ଦେବା ଲାଗି ୩୭ କୋଟି ଟଙ୍କା ଓ ସମବାୟ ବ୍ୟାଙ୍କଗୁଡ଼ିକୁ ସାଧାରଣ ଅଂଶ ସହାୟତା ଭାବେ ୧୫୦ କୋଟି ଟଙ୍କା ଦେବାକୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷି ବଜେଟ୍‌ରେ ଘୋଷଣା କରିଛନ୍ତି। ଅଣ ଧାନ ଶସ୍ୟ କ୍ରୟ ନିମନ୍ତେ ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନ୍‌କୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଦିଆଯାଇଛି। ସାର ଓ ବିହନ କିଣା ପାଇଁ ସୁଧ ମୁକ୍ତ ଋଣ ବାବଦକୁ ୨୦୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦକୁ ବଜେଟ୍‌ରେ ୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମିଲେଟ୍‌ ମିସନ ପାଇଁ ୩୬୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରର ବ୍ୟୟବରାଦକୁ ୧୭% ବୃଦ୍ଧି କରି ୧୬୫୮ କୋଟି ଟଙ୍କା କରାଯାଇଛି। ସଘନ ଓ ଆଭ୍ୟନ୍ତରୀଣ ମାଛ ଚାଷର ଉନ୍ନତି ନିମନ୍ତେ ୧୮୨ କୋଟି ଟଙ୍କା ଦିଆଯାଇଥିବା ବେଳେ ମାଛଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାରେ ୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମତ୍ସ୍ୟ ଚାଷୀମାନଙ୍କ ଦକ୍ଷତା ବିକାଶ, ପ୍ରଶିକ୍ଷଣ, ସଶକ୍ତୀକରଣ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମତ୍ସ୍ୟଚାଷ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଗୁଆ ଜାଆଁଳା ପ୍ରଜନନ ଓ ପାଳନ ଏବଂ ସହରାଞ୍ଚଳରେ ଆଧୁନିକ ମତ୍ସ୍ୟ ବଜାର ନିର୍ମାଣ ପାଇଁ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଗ୍ରାମ ପଞ୍ଚାୟତ ପୋଖରୀରେ ମହିଳା ଏସ୍‌ଏଚ୍‌ଜିଙ୍କ ଦ୍ବାରା ମାଛ ଚାଷ ପାଇଁ ଇନପୁଟ୍‌ ସହାୟତା ଦେବା ଲାଗି ୩୮ କୋଟି ଟଙ୍କା ଏବଂ ମାଛଧରା ନିଷିଦ୍ଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ବିକଳ୍ପ ଜୀବିକା ପ୍ରଦାନ କରିବା ଲାଗି ୨୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

The Daily Star

ନୀଳ ବିପ୍ଳବ ପାଇଁ ୧୭୭ କୋଟି ଟଙ୍କା ଦିଆଯାଇଛି। କୁକୁଡ଼ା ଚାଷ ବିକାଶ ଅଧୀନରେ ୧୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଛେଳି ଚାଷ ପାଇଁ ୩୭ କୋଟି ଟଙ୍କା, ରା‌ଷ୍ଟ୍ରୀୟ ପଶୁଧନ ବିକାଶ ପାଇଁ ୧୧୨ କୋଟି ଟଙ୍କା, ଓମ୍‌ଫେଡ୍ ମାଧ୍ୟମରେ ୫ ଲକ୍ଷ ଏଲ୍‌ପିଡି ବିଶିଷ୍ଟ ଡେରି ପ୍ଲାଣ୍ଟ୍ ନିର୍ମାଣ ପାଇଁ ୨୮ କୋଟି ଟଙ୍କାର ଆର୍‌ଆଇଡିଏଫ୍‌ ସହାୟତା ଦେବାକୁ ବଜେଟ୍‌ରେ ଘୋଷଣା କରାଯାଇଛି। ନୂତନ ଗୋଶାଳା ପାଇଁ ୧୫ କୋଟି ଟଙ୍କା ଦିଆଯାଇଛି। ପଶୁ ସମ୍ପଦ ସ୍ବାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ପାଇଁ ୨୪୧ କୋଟି ଟଙ୍କା ଦେବାର ପ୍ରସ୍ତାବ ରହିଛି। ପଶୁମାନଙ୍କୁ ସେମାନଙ୍କ ବାସସ୍ଥଳୀ ସେବା ପ୍ରଦାନ ନିମନ୍ତେ ୨୧୪ଟି ଭ୍ରାମ୍ୟମାଣ ୟୁନିଟ୍ ପାଇଁ ୧୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗୋରୁମାନଙ୍କ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ପାଇଁ ୧୮ କୋଟି ଟଙ୍କା ଓ ବ୍ଲକ୍‌ ଭେଟେରିନାରି କାର୍ଯ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା ଲାଗି ୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ପଶୁପାଳନ ପାଇଁ କୃଷକଙ୍କୁ ଉପଯୁକ୍ତ ତାଲିମ ଦେବା ଲାଗି ୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର