କୋରାପୁଟ: ଓଡ଼ିଶାର ଅଳସୀ ମଞ୍ଜି ଉପରେ ଏବେ ଆନ୍ଧ୍ର ଦଲାଲଙ୍କ ନଜର ପଡ଼ିଛି। ଗାଁ ଗାଁରେ ମାତିଛନ୍ତି ଆନ୍ଧ୍ର ଦଲାଲ। ଗାଁରେ ପଶି ଲୋକଙ୍କଠାରୁ ଘରକୁ ଘର ବୁଲି ସଂଗ୍ରହ କରୁଛନ୍ତି ଅଳସୀ। କୋରାପୁଟରୁ ଉତ୍ପାଦିତ ଅଳସୀକୁ କେଜି ପ୍ରତି ୫ଟଙ୍କାରୁ ୧୦ ଟଙ୍କାରେ କିଣି ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ତେଣୁ ପ୍ରଶାସନିକ ଅଳସ ପଣରୁ ଗତ ୯ ବର୍ଷ ତଳେ ଏଠାରେ ଆରମ୍ଭ ହୋଇଥିବା ଅଳସୀ ତେଲ ପ୍ରକଳ୍ପ ବୁଡ଼ିଯାଇଛି।
କୃଷି ପ୍ରଧାନ କୋରାପୁଟ ଜିଲ୍ଲାରେ କଫି, ଧାନ ସହିତ କପା ଓ ପନିପରିବା ଚାଷ ହେଉଛି। ଏହା ସହିତ ଯୋଡ଼ି ହୋଇଛି ଅଳସୀ ଫୁଲ ଚାଷ। ଏହି ଗଛର ମଞ୍ଜିରୁ ତେଲ ବାହାରୁଥିବାରୁ ଚାଷୀମାନେ ଆଗ୍ରହର ସହ ଏହି ଚାଷ କରୁଛନ୍ତି। ଏହା ବହୁ ପୂର୍ବରୁ ଏଠାରେ ଚାଷ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦୧୨ ମସିହାରେ ପ୍ରାୟ ୨୫ ଲକ୍ଷ ଟଙ୍କା ବିନିମୟରେ ଆଇଓଏପି ଫଣ୍ଡରେ ଆରମ୍ଭ ହୋଇଥିଲା ଏକ ପ୍ରକଳ୍ପ। ଦିନକୁ ୨୦୦ ଲିଟର ତେଲ ପ୍ରସ୍ତୁତ ହେଉଥିଲା। ସମାନୁପାତରେ ପିଡିଆ ମଧ୍ୟ ଉତ୍ପାଦିତ ହେଉଥିଲା।
ଏଥିପାଇଁ ୫ଜଣ ବୈଷୟିକ ମାନବ ସମ୍ବଳ କର୍ମଚାରୀ ରହି କାର୍ଯ୍ୟ ପରିଚାଳନା କରୁଥିଲେ। ମିଶନ ଶକ୍ତି ଜିଲ୍ଲା ଫେଡେରେସନ ଦାୟିତ୍ବରେ ଥିଲା ଏହି ପ୍ରକଳ୍ପ। ଏହି କାର୍ଯ୍ୟ ପାଇଁ ୧୫ଟି ଏସ୍ଏସ୍ଜି ନିୟୋଜିତ ଥିଲେ। ବିନା ପ୍ରୋସେସିଂ ଫି ଓ ସାମାନ୍ୟ ଲଗ ରଖି ଆରମ୍ଭ ହୋଇଥିଲା ତେଲ ଘଣା। ଏହାସହ ପ୍ରକଳ୍ପରୁ ବାହାରୁଥିବା ତେଲ ପାଇଁ ମଧ୍ୟ ବଜାର ପ୍ରସ୍ତୁତ ହୋଇଥିଲା। ବିଭିନ୍ନ ଘରୋଇ ସ୍କୁଲ, ପୁଲିସ ଓ ବିଏସଏଫ କ୍ୟାମ୍ପରେ ଏହାର ବଡ ବଜାର ରହିଥିଲା। ପ୍ରତି ମାସରେ ପ୍ରାୟ ୨ ଲକ୍ଷ ଟଙ୍କା ଆୟ କରୁଥିବାବେଳେ ପ୍ରଶାସନର ଅଳସ ପଣରୁ ଏହା ହଠାତ ବନ୍ଦ ହୋଇପଡିଲା ଯେ ଆଉ ଉଠି ପାରିଲାନି। କୋରାପୁଟ ଜିଲ୍ଲାରେ ଥିବା ଏହି ଏକ ମାତ୍ର ପ୍ରକଳ୍ପ ଆଜି ଚାଷୀଙ୍କ ପାଇଁ ସ୍ବପ୍ନ ହୋଇଯାଇଛି। ମାନସ ନିକଟରେ ରହିଥିବା ପ୍ରକଳ୍ପ ଗୃହ ସେହିପରି ପଡି ରହିଛି।
ଲକ୍ଷାଧିକ ଟଙ୍କାର ମେସିନ ଖତ ଖାଉଛି। ଖାଲି ଯେ ମେସିନ ଖତ ଖାଉଛି ତାହା ନୁହେଁ ଏଥିପାଇଁ ବ୍ୟବହୃତ ଏକ ମିନିଟ୍ରକ ମଧ୍ୟ କାର୍ଯ୍ୟରେ ନଲାଗି ନଷ୍ଟ ହୋଇସାରିଲାଣି। ତଥାପି ଚାଷୀ ଏହି ଚାଷ କରୁଛନ୍ତି। ଚଳିତବର୍ଷ ଜିଲ୍ଲାରେ ୨୩ ହଜାର ୯୦୦ ହେକ୍ଟର ଜମିରେ ଅଳସୀ ଫୁଲ ଚାଷ କରାଯାଇଛି। ମଞ୍ଜିର ବଜାରିକରଣ ନଥିବାରୁ ଆନ୍ଧ୍ର ଦଲାଲଙ୍କ ମୌକା ମିଳିଛି। ଗାଁ ଗାଁ ବୁଲି ସେମାନେ ଅଳସୀ ମଞ୍ଜି ସଂଗ୍ରହ କରୁଛନ୍ତି। ଏ ସଂକ୍ରାନ୍ତରେ କୁମ୍ଭା ଗାଁର ହରି ପରଜାଙ୍କୁ ଆମେ ଭେଟିଥିଲୁ। ତାଙ୍କ କହିବା କଥା ହେଲା ପ୍ରାୟ ୪ ଏକର ପାହାଡିଆ ଜମିରେ ସେ ଅଳସୀ ଚାଷ କରିଥିଲେ। ଏବେ ପ୍ରାୟ ଦେଢ ଏକର ଜମିରୁ ଅମଳ କରାଯାଇଛି। ଆହୁରି ସାଢେ ତିନି ଏକର ଜମିରୁ ଅମଳ ବାକି ରହିଛି। କିନ୍ତୁ ଦୁଇଦିନ ହେବ ଆନ୍ଧ୍ରରୁ କିଛି ଦଲାଲ ଆସି ଘର ଦୁଆରେ ବସି ରହୁଛନ୍ତି। ୫ ଟଙ୍କାରେ ଅଳସୀ ମଞ୍ଜି ନେବାକୁ ଅଖା ଧରି ଆସୁଥିବା ସେ କହିଛନ୍ତି।
ଏନେଇ ବୁଦ୍ଧିଜୀବୀ ଉତ୍ତମ ନାୟକ କହିଛନ୍ତି ଯେ କୋରାପୁଟ ଜିଲ୍ଲାରେ ଅଳସୀ ଚାଷ କରୁଥିବା ଆଦିବାସୀ ଚାଷୀ ଉପକୃତ ହେବେ ବୋଲି ଯୋଜନା ହୋଇଥିଲା। ନିଜେ ଚାଷ କରୁଥିବା ଅଳସୀକୁ ନିଜେ ତେଲ ଓ ପିଡିଆ ପ୍ରସ୍ତୁତ କରି ପରିବାରର ଆର୍ଥିକ ସହଭାଗିତାକୁ ବୃଦ୍ଧି କରିବେ। କିନ୍ତୁ ସବୁ ଆଶା ଆଶାରେ ରହିଗଲା ପରି ମନେ ହେଉଛି। ଏବେ ଏହି ଗୃହରେ ଦୀର୍ଘ ୭ ବର୍ଷ ହେବ ପ୍ରଶାସନର ପାଦ ପଡି ନ ଥିଲାବେଳେ ମେସିନର ଯନ୍ତ୍ରାଂଶ ସବୁ ବାହାରେ ପଡିଛି। ମେସିନର ଘଣା ଓ ତେଲ ତିଆରି ସରଞ୍ଜାମ ସହ ସବୁ ଜିନିଷ ବାହାରେ ପଡିଛି। ଏହିଠାରେ ଜଣେ ଅଣଓଡ଼ିଆ ରହୁଥିବା ସେ କହିଛନ୍ତି।
ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ଯେ ଅଳସୀ ମଞ୍ଜିରୁ ତେଲ ପ୍ରସ୍ତୁତ କରିବା ପ୍ରକଳ୍ପ ସମ୍ପର୍କରେ ଜାଣିବାକୁ ପାଇଛି। ଏନେଇ ସରକାରୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।