ମୌସୁମୀ ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଶେଷ: ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଆଲୋଚନା

ଭୁବନେଶ୍ବର: ଆସନ୍ତା ୧ ତାରିଖରେ ଆରମ୍ଭ ହେଉଥିବା ମୌସୁମୀ ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଏଥିରେ ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ଆଲୋଚନା ହୋଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସେ କହିଛନ୍ତି, ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ସବୁ ବିଧାୟକ ଓ ମନ୍ତ୍ରୀଙ୍କର ଆଣ୍ଟିବଡି ଟେଷ୍ଟ ହେବ। ଯେଉଁ ଦିନ କରୋନା ଟେଷ୍ଟ ହେବ, ସେହିଦିନ ଆଣ୍ଟିବଡି ଟେଷ୍ଟ ହେବଗ। ଶନିବାର ବି ବିଧାନସଭା ଚାଲିବ।

ସାଢ଼େ ୧୦ ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ଣରେ ୪ଟାରୁ ୬ ଟାଯାଏଁ ଏପରି ଦିନକୁ ୫ ଘଣ୍ଟା ହେବ ଗୃହ କାର୍ଯ୍ୟ। ମୁଲତବୀ ପ୍ରସ୍ତାବ ଆଲୋଚନା ରହିବ। ବିଜେପି ୪ ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ। ଗତଥର ଭଳି ବିଧାୟକ ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ। ବିଧାୟକମାନେ ଓକାକ ବିଲ୍ଡିଂ, ଲୋକସେବା ଭବନ ଓ ଅନ୍ୟସ୍ଥାନରେ ବସିବେ। ହାଉସରେ କୌଣସି କାଗଜ ଦିଆଯିବନି। ବିରୋଧ ଦଳ ନେତା ପ୍ରଦୀପ୍ତ ନାୟକ ହସ୍ପିଟାଲରେ ଥିବାରୁ, ସେ ଚାହିଁଲେ ଭିଡିଓ କନ୍ଫରେସିଂରେ ଯୋଗ ଦେବେ।  ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ୫୫ ମିନିଟ ଓ ସରକାରୀ ଦଳ ୩୫ ମିନିଟ କହିବେ।

ସର୍ବଦଳୀୟ ବୈଠକ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସୁରୁଖୁରୁରେ ବିଧାନସଭା ଚଳାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି। ସମସ୍ୟା ବହୁଳ ରାଜ୍ୟ ଓଡ଼ିଶା। ମରୁଡି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଆଇନଶୃଙ୍ଖଳା, ଦୁର୍ନୀତି, ପାନୀୟଜଳ ସମସ୍ୟା, ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଓ ଶିକ୍ଷା ସମସ୍ୟା ଉଠାଇବ କଂଗ୍ରେସ। ବିଲ ଉପରେ ଆଲୋଚନା ହେଉନି। ଗୁରୁତ୍ୱପୂର୍ଣ୍ଣ ବିଲ ଆଲୋଚନା ନ ହୋଇ ପାସ ହେଉଥିବାରୁ କୋର୍ଟ ସ୍ୱୀକୃତି ଦେଉନି। ପୁଲିସ ବିଲ୍ ଭଳି ଅନେକ ବିଲ୍ କାର୍ଯ୍ୟକାରୀ ହେଉନି। ସଠିକ ଭାବେ ଆଲୋଚନା କରି ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର