ଭୁବନେଶ୍ବର : ଏଣିକି ଓଡ଼ିଶାର ନିୟମିତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆବଣ୍ଟନ କଂପାନିମାନେ ଆଉ ଆନୁପାତିକ ହାରରେ (ପ୍ରୋରୋଟା) ବିଲ୍ ପ୍ରଦାନ କରିପାରିବେ ନାହିଁ। ଏହା ଅବୈଧ। ବରଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଦ୍ବାରା ଧାର୍ଯ୍ୟ ଶୁକ୍ଳ ସୂଚୀର ସ୍ଲାବ୍ ଅନୁଯାୟୀ କଂପାନିମାନେ ମାସିକ ବିଲ୍ ପ୍ରସ୍ତୁତ କରି ଉପଭୋକ୍ତାଙ୍କୁ ଦେବେ। ଏ ଦିଗରେ ବିଦ୍ୟୁତ୍ ସଂହିତାର ରେଗୁଲେସନ୍ ୧୦୯କୁ ନିଷ୍ଠାର ସହିତ ଅନୁପାଳନ କରିବାକୁ ଓଇଆର୍‌ସି ଆଜି ଓଡ଼ିଶାର ଚାରିଟି ବିଦ୍ୟୁତ ବିତରଣ କଂପାନିକୁ ନିର୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟର କୋଟିଏ ବିଦ୍ୟୁତ୍‌ ଉପଭୋକ୍ତା ପରିବାରକୁ ଆଜି ଏକ ବଡ଼ ଆଶ୍ବସ୍ତି ମିଳିଛି।

Advertisment

‘ବିଜୁଳି ବିଲ୍ ପାଇଁ କାରସାଦି’ ସଂକ୍ରାନ୍ତରେ ‘ସମ୍ବାଦ’ରେ କ୍ରମାଗତ ଭାବେ ରିପୋର୍ଟ ପ୍ରକାଶ ପାଉଥିଲା। ଆବଣ୍ଟନ କଂପାନିମାନଙ୍କ ଦ୍ବାରା ଆନୁପାତିକ ଭିତ୍ତିରେ ବିଦ୍ୟୁତ ବିଲ୍ ପ୍ରସ୍ତୁତ କରାଯିବା ଦ୍ବାରା ଉପଭୋକ୍ତା ଅଯଥା ଅଧିକ ବିଲ୍ ପୈଠ କରୁଥିଲେ। ବିଳମ୍ବରେ ହେଲେ ମଧ୍ୟ ଆୟୋଗ ବିଦ୍ୟୁତ୍ ବିଲ୍‌ରେ ଥିବା ଏଭଳି ତ୍ରୁଟି ହୃଦୟଙ୍ଗମ କରିଛନ୍ତି ଓ ଆବଶ୍ୟକ ସଂଶୋଧନ ନିର୍ଦେଶ ଦେଇଛନ୍ତି।

ରାଜ୍ୟରେ ବିଦ୍ୟୁତ୍ କ୍ଷେତ୍ର ଭୀଷଣ କେଳେଙ୍କାରୀରେ ଛନ୍ଦି ହୋଇଯାଇଥିବା ବେଳେ ଉପଭୋକ୍ତାଙ୍କୁ ଖୋଲା ଶୋଷଣ ଚାଲିଥିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିସ୍ଥଳେ ଉପଭୋକ୍ତାଙ୍କ ଚାପରେ ବିଦ୍ୟୁତ୍ ବିଲ୍ ବୃଦ୍ଧି ନ ହେବା ପ୍ରଥମ ସଫଳତା ଥିଲା। ଏବେ ପ୍ରୋରୋଟା ବିଲ୍‌ରୁ ଆବଣ୍ଟନ କଂପାନିଙ୍କୁ ଦୂରେଇ ରହିବା ଲାଗି ଆୟୋଗଙ୍କ ପରାମର୍ଶକୁ ଦ୍ବିତୀୟ ସଫଳତା ବୋଲି କୁହାଯାଉଛି।

ଆନୁପାତିକ ଭିତ୍ତିରେ ବିଦ୍ୟୁତ୍ ବିଲ୍‌ ଆଦାୟ ଅବୈଧ
ଆବଣ୍ଟନ କଂପାନିଙ୍କୁ ନିର୍ଦେଶ ଦେଲେ ଆୟୋଗ
ରାଜ୍ୟର କୋଟିଏ ବିଦ୍ୟୁତ୍ ଉପଭୋକ୍ତା ଆଶ୍ବସ୍ତ

publive-image lmd.lk

ଗତ କିଛି ଦିନ ଧରି ବିଜୁଳି ବିଲ୍‌କୁ ନିରେଖି ଦେଖିବା ପରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ବିରୋଧରେ ଗୋଟିଏ ସାଂଘାତିକ ଷଡ୍‌ଯନ୍ତ୍ର ଚାଲିଥିବା ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ଯଦିଓ ନିୟମ ଅନୁସାରେ ଗୋଟିଏ ମାସ ପୂରଣ ହେବା ମାତ୍ରେ ବିଜୁଳି ବିଲ୍ ଉପଭୋକ୍ତାକୁ ଧରାଇବା ଦାୟିତ୍ବ ସଂପୃକ୍ତ ବଣ୍ଟନ କଂପାନିମାନଙ୍କର, ଓଡ଼ିଶାରେ କିନ୍ତୁ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଥିବା ଶକ୍ତି ସମୀକ୍ଷକ ଧରିଥିଲେ। ଦେଖାଯାଇଥିଲା ଯେ ଆଜି ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରତିମାସରେ ବିଲିଂ ହୋଇପାରୁନାହିଁ। ଓଲଟା ଆନୁପାତିକ ହାରରେ ବିଲିଂ ଦିଆଯାଉଛି। ଅର୍ଥାତ୍ କେବେ ୨୫ ଦିନରେ ବିଲ୍ ହେଉଛି ତ ଆଉ କେବେ ୩୫ ଦିନ ଅଥବା ୩୭ ଦିନରେ। ଏହାର ସିଧା ପ୍ରଭାବ ବିଲ୍‌ ଉପରେ ପଡ଼ୁଥିଲା। ଧୀରେ ଧୀରେ ଉପଭୋକ୍ତା ଅଧିକ ଅର୍ଥ ପୈଠ କରୁଥିବା ନେଇ ଅଭିଯୋଗ କରିଥିଲେ। ଅର୍ଥାତ୍ ଓଇଆର୍‌ସି ଧାର୍ଯ୍ୟ କରୁଥିବା ସ୍ଲାବ୍ ଏପଟସେପଟ ହୋଇ ବିଲିଂ କରାଯାଉଥିବା ଉପଭୋକ୍ତା ଜଣାଇଥିଲେ।

ସେପଟେ ଏହି ଖବର ପ୍ରକାଶ କରିବା ବେଳେ ବଣ୍ଟନ କଂପାନି ପ୍ରତିବାଦ କରି ଯୁକ୍ତି ରଖିଥିଲେ ଯେ ପ୍ରୋରୋଟା ବା ଦିନିକିଆ ବିଲିଂ ଦ୍ବାରା ଉପଭୋକ୍ତାମାନେ ଯେଉଁ କ୍ଷତି ସହୁଛନ୍ତି, ତାହା ପରମାସରେ ପୂରଣ ବା ଭରଣା ହେଉଛି। ଏଥିରେ କଂପାନିର କୌଣସି ଲାଭ ନାହିଁ। ହେଲେ ଉପଭୋକ୍ତାଙ୍କ ପ୍ରଶ୍ନ ଥିଲା ଯେ ଯଦି କଂପାନିର ଲାଭ ନାହିଁ, ତେବେ ବିଲ୍‌ରେ ଏଭଳି ଜଟିଳତା କାହିଁକି ଓ କାହା ସ୍ବାର୍ଥରେ କରାଯାଉଛି? ଓଇଆର୍‌ସି ଚୁପ୍ କାହିଁକି?

publive-image Vox

ଶକ୍ତି ସମୀକ୍ଷକମାନେ ଯୁକ୍ତି ରଖି କହିଥିଲେ ଯେ ଓଡ଼ିଶା ବିଦ୍ୟୁତ୍ ଆବଣ୍ଟନ ସର୍ତ୍ତ କୋଡ୍ ବା ସଂହିତା-୨୦୧୯ର ଧାରା ୧୦୯ ଅନୁସାରେ, ଆବଣ୍ଟନ କଂପାନିମାନେ ସାଧାରଣ ଓ ଘରୋଇ ଉପଭୋକ୍ତାଙ୍କ ପାଇଁ ମାସିକିଆ ବିଲିଂ ବା ସାଇକେଲ୍ ଭିତ୍ତିରେ ବିଲିଂ କରିବା ବ୍ୟବସ୍ଥା ରହିଛି। ଏହି ସର୍ତ୍ତରେ ସ୍ପଷ୍ଟ କରାଯାଇଛି ଯେ ଆବଣ୍ଟନ କଂପାନିମାନେ ମିଟର ରିଡିଂ, ବିଲିଂ ସାଇକେଲ୍‌ର ଶେଷଦିନର ଅତି କମ୍ ବା ବେଶିରେ ତିନି ଦିନ ଅନ୍ତର ମଧ୍ୟରେ ସମାପନ କରି ବିଲ୍ କରିବେ। ଏଠାରେ ଦୈନିକ ବିଲିଂ ବା ପ୍ରୋରୋଟା ବିଲିଂ ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ଆବଣ୍ଟନ ସର୍ତ୍ତ କୋଡ୍‌ର ୧୪୭ ନମ୍ବର ଅନୁସାରେ ଭାରପ୍ରାପ୍ତ ବିଦ୍ୟୁତ ଯନ୍ତ୍ରୀ ବା ତାଙ୍କ ଦ୍ବାରା ପ୍ରାଧିକୃତ ଏଜେଣ୍ଟ ମାସିକିଆ ବିଲିଂ ସାଇକେଲ୍ ଅବଧି ଶେଷ ହେବାର ଦଶ ଦିନ ମଧ୍ୟରେ ଉପଭୋକ୍ତଙ୍କୁ ବିଲ୍ ପ୍ରଦାନ କରିବା ନିଶ୍ଚିତ କରିବେ। ଏଠାରେ ବି ଦିନିକିଆ ବିଲିଂର କୌଣସି ବ୍ୟବସ୍ଥା ନାହିଁ।

ଆବଣ୍ଟନ ସର୍ତ୍ତର ଧାରା ୧୪୮ରେ ଯେଉଁ ପ୍ରୋରୋଟା ବିଲିଂ ନିର୍ଦେଶ ଅଛି, ତାହା ମାସିକିଆ ଅଟେ, ଦିନିକିଆ ନୁହେଁ। କାରଣ ସମୁଦାୟ ବିଦ୍ୟୁତ ଦେୟରେ ମିଟର ମୂଲ୍ୟକୁ ଭଡା ସୂତ୍ରରେ ଉପଭୋକ୍ତା ପୈଠ କରିବା ବିଲ୍‌ର ଏକ ଅଂଶ ଅଟେ। ଏହାର ଅବଧି ଷାଠିଏ ମାସ। ମିଟର ମୂଲ୍ୟକୁ ମାସିକିଆ ପ୍ରୋରୋଟା କରି ମାସିକ ୪୦ ଟଙ୍କା ଧାର୍ଯ୍ୟ କରାଯାଉଛି। ସେହିଭଳି ଉପଭୋକ୍ତା ପୈଠ କରୁଥିବା ସର୍ବନିମ୍ନ ମାସିକ ସ୍ଥିର ଦେୟ (ଏମ୍‌ଏମ୍ଏଫ୍‌ସି) ମାସିକିଆ ଅଟେ। ଯେତେେବଳେ ଏସବୁକୁ ଦିନିକିଆ କରାଯାଉନାହିଁ; ସେତେବେଳେ ଏନର୍ଜି ଚାର୍ଜ ବା ବିଦ୍ୟୁତ୍ ବିଲିଂକୁ ପ୍ରୋରୋଟା କିଭଳି କରାଯିବ? ଅର୍ଥାତ୍ ଆବଣ୍ଟନ କଂପାନିମାନେ ମାସିକିଆ ବିଲିଂକୁ ପ୍ରତ୍ୟାଖ୍ୟାନ କରିବାର କୌଣସି ସୁଯୋଗ ନାହିଁ।

publive-image Ommcom News

ପ୍ରକାଶଥାଉକି, ଓଇଆର୍‌ସି ବିଜ୍ଞପିତ ଆବଣ୍ଟନ ସର୍ତ୍ତ-୨୦୦୪କୁ ନବୀକରଣ କରି ୨୦୧୯ ମସିହାରେ ଆୟୋଗ ଆବଣ୍ଟନ ସର୍ତ୍ତ-୨୦୧୯ ବିଜ୍ଞପିତ କରିଛନ୍ତି। ୨୦୧୯ ମସିହାରେ ଧାରା ୧୦୯, ୧୪୭ ଓ ୧୪୮ ସର୍ତ୍ତଗୁଡିକ ୨୦୦୪ ମସିହା ବିଜ୍ଞପିତ ଆବଣ୍ଟନ ସର୍ତ୍ତର ଧାରା ୬୦, ୮୯ ଓ ୯୦ର ଅବିକଳ ଅଟେ। ୨୦୦୪ ମସିହାରେ ବିଜ୍ଞପିତ ସର୍ତ୍ତ ଅନୁସାରେ ଆବଣ୍ଟନ କଂପାନିମାନେ ଉପଭୋକ୍ତାଙ୍କୁ ମାସିକିଆ ବିଲ୍ ପ୍ରଦାନ କରି ରାଜସ୍ବ ଆଦାୟ କରିବା ପ୍ରକ୍ରିୟା ୨୦୧୯ ଯାଏ ବଳବତ୍ତର ଥିଲା। ସେବେ ଆବଣ୍ଟନ କଂପାନିମାନେ ପ୍ରୋରୋଟା ବିଲ୍ କରୁନଥିଲେ। ତେବେ ଶେଷରେ ଓଇଆର୍‌ସି ଏହା ଉପରେ କଟକଣା ଲାଗୁ କରିବା ଫଳରେ ରାଜ୍ୟର କୋଟିଏ ଉପଭୋକ୍ତା ପରିବାର ଆଶ୍ବସ୍ତ ହୋଇଛନ୍ତି।