କେନ୍ଦ୍ରାପଡ଼ା: କେଶବ ମଳିକ। ୨୦ମାସ ତଳୁ ମୃତ୍ୟୁ ହେଲାଣି। ସେହିପରି, ମାନଗୋବିନ୍ଦ ନାୟକ। ୧୭ ମାସ ହେବ ଏ ଦୁନିଆରେ ନାହାନ୍ତି। ଉଭୟଙ୍କ ଘର ରାଜକନିକା ବ୍ଲକ୍ ତରାସ ପ˚ଚାୟତ ଗୁଆଳି ଗାଁରେ। ହେଲେ ଉଭୟ ମୃତକଙ୍କ ନାଁରେ ଭତ୍ତା ଟଙ୍କା ମାସକୁ ମାସ ଉଠୁଛି। ଗଲା ମାର୍ଚ୍ଚରେ ବି ଟଙ୍କା ଉଠାଯାଇଥିବା ସରକାରୀ ପୋର୍ଟାଲ୍ରେ ଦର୍ଶାଯାଇଛି। ପରିବାର ଲୋକ କହୁଛନ୍ତି ଆମେ ଜାଣିନାହୁଁ କି ମୃତ୍ୟୁ ପରଠୁ କେବେ ଭତ୍ତା ଟଙ୍କା ଗ୍ରହଣ କରିନାହୁଁ। ଏଭଳି ସ୍ଥିତିରେ ୨୦୨୦ମସିହାରେ ମୃତ୍ୟୁ ହୋଇଥିବା ଦୁଇ ବୃଦ୍ଧଙ୍କ ନାଁରେ କିଏ ଏତେ ମାସ ହେଲାଣି ଭତ୍ତା ଟଙ୍କା ଉଠାଉଛି, ତାହାର ତଦନ୍ତ ଦାବି ଜିଲ୍ଲାପାଳଙ୍କ ପାଖେ ହୋଇଛି। ଏହି ଦୁଇ ବ୍ୟକ୍ତିଙ୍କ ଘଟଣାକୁ ଯଦି ଉଦାହରଣ ଭାବେ ନେବା, ତେବେ ସାରା ଜିଲ୍ଲାରେ ଭତ୍ତା ବଣ୍ଟନ ନାଁରେ କିଭଳି ବଡ଼ଧରଣର କେଳେଙ୍କାରୀ ଚାଲିଛି, ତାହା ସହଜେ ଅନୁମାନ କରିହେବ।
ଆଶ୍ଚର୍ଯ୍ୟର କଥା ହେଉଛି, ତରାସ ପ˚ଚାୟତରେ ଭତ୍ତା କେଳେଙ୍କାରୀ ନୂଆ ନୁହେଁ। ଦୁଇ ବର୍ଷ ତଳେ ବି ଅନୁରୂପ କେଳେଙ୍କାରୀ ସାମ୍ନାକୁ ଆସିଥିଲା। ସେହି ଗୁଆଳି ଗାଁର ଗଙ୍ଗାଧର ନାୟକଙ୍କ ମୃତ୍ୟୁର ଦୁଇବର୍ଷ ଯାଏ ଭତ୍ତା ଟଙ୍କା ଉଠାଯାଉଥିଲା। ଗଣମାଧୢମରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ବିଡିଓ ଘଟଣାର ତଦନ୍ତ କଲେ। ଭତ୍ତା ଟଙ୍କା ହଡ଼ପର ପ୍ରମାଣ ମିଳିବା ପରେ ବି ଦୋଷୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।
କେବଳ ତାଲିକାରୁ ସ୍ବର୍ଗତ ନାୟକଙ୍କ ନାଁକୁ ବାଦ୍ ଦେଇ କର୍ତୃପକ୍ଷ ହାତଝାଡ଼ି ବସିଗଲେ। ଏବେ ସମାନ କେଳେଙ୍କାରୀର ପୁନରାବୃତ୍ତି ଦେଖିବାକୁ ମିଳିଛି ସେହି ଗାଁର ଆଉ ଦୁଇ ମଲା ଲୋକଙ୍କ କ୍ଷେତ୍ରରେ। ବୃଦ୍ଧ କେଶବ ମଳିକଙ୍କ ୨୦୨୦, ଜୁଲାଇ ୧୮ତାରିଖରେ ୭୦ ବର୍ଷ ବୟସରେ ହୃଦ୍ଘାତ କାରଣରୁ ମୃତ୍ୟୁ ଘଟିଥିଲା। ମାତ୍ର ମୃତ୍ୟୁର ୨୦ମାସ ପରେ ବି ସ୍ବର୍ଗତ ମଳିକଙ୍କ ନାଁରେ ମାସକୁ ମାସ ଭତ୍ତା ଟଙ୍କା ଉଠାଯାଉଥିବା ସରକାରୀ ପୋର୍ଟାଲ୍ରେ ଦର୍ଶାଯାଇଛି। ଅନୁରୂପ ଚିତ୍ର ମାନଗୋବିନ୍ଦ ନାୟକଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି।
ବୟସାଧିକ କାରଣରୁ ୨୦୨୦, ଅକ୍ଟୋବର ୨ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏବେବି ତାଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଉଛି। ଗତ ମାର୍ଚ୍ଚରେ ବି ଉଭୟଙ୍କ ନାଁରେ ଟଙ୍କା ଉଠିଥିବା ସରକାରୀ ପୋର୍ଟାଲ୍ରେ ଦର୍ଶାଯାଇଛି। ଉଲ୍ଲେଖନୀୟ କଥା ହେଉଛି, ଉଭୟଙ୍କ ଭତ୍ତା ଗୋଟିଏ ଦିନ ୨୦୧୬, ଅକ୍ଟୋବର ୨୬ତାରିଖରେ ହିଁ ମ˚ଜୁର ହୋଇଥିଲା। କେଶବଙ୍କ ଭତ୍ତା ଆଇଡି ନମ୍ବର ଓଆର-ଏ-୦୬୧୪୩୬୧୬ ହୋଇଥିବା ବେଳେ ମାନଗୋବିନ୍ଦଙ୍କ ଆଇଡି ନମ୍ବର ହେଉଛି ଓଆର-ଏ-୦୬୧୪୨୭୮୯।
ହେଲେ ପ୍ରଶ୍ନ ଉଠୁଛି, ଉଭୟଙ୍କର ୨୦୨୦ମସିହାରୁ ମୃତ୍ୟୁ ହୋଇ ସାରିଥିବା ବେଳେ ପ୍ରଶାସନ କିଭଳି ସେମାନଙ୍କ ନାଁରେ ଭତ୍ତା ଟଙ୍କା ଇସ୍ୟୁ କରୁଛି? କିଏ ଏମାନଙ୍କ ଭତ୍ତା ଟଙ୍କା ଉଠାଉଛି? ସ୍ବର୍ଗତ କେଶବଙ୍କ ପୁଅ ଗଣେଶ ମ ଳିକ କହିଛନ୍ତି ଯେ ସେ ଗୋଆରେ ରହୁଛନ୍ତି। ବାପା ମରିବା ପରଠୁ ତାଙ୍କ ପରିବାରର କେହି ଭତ୍ତା ଟଙ୍କା ଆଣୁନାହାନ୍ତି। ସ୍ବର୍ଗତ ମାନଗୋବିନ୍ଦଙ୍କ ପୁଅ ଧନଞ୍ଜୟ ନାୟକ ବି ସମାନ କଥା ଦୋହରାଇଛନ୍ତି। ବାପାଙ୍କ ନାଁରେ ଭତ୍ତା ଉଠୁଥିବା ସ˚ପର୍କରେ ଜାଣିନାହିଁ। ଅନ୍ୟପକ୍ଷରେ ତରାସ ପ˚ଚାୟତ ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ନାୟକ କହିଛନ୍ତି ଯେ ଭତ୍ତା ଟଙ୍କା ଜିଆର୍ଏସ୍ ବାଣ୍ଟନ୍ତି। ରେକର୍ଡ ଦେଖିଲା ପରେ ଯାହା କିଛି କହିଜହେବ ବୋଲି ସଫେଇ ଦେଇ ଶ୍ରୀ ନାୟକ ନିଜ ମୁଣ୍ତରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/22-8.jpg)