ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବଢ଼ିବ। ଏହି ଭତ୍ତା ୩ହଜାର ଟଙ୍କାକୁ ବଢ଼ାଇବା ଲାଗି ଯୋଜନା ହେଉଛି। ଏଥିପାଇଁ ବ୍ୟୟ ଅଟକଳ ସଂପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି। ଅର୍ଥ ବିଭାଗର ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟରେ ପୂର୍ବରୁ ଥିବା ବାର୍ଦ୍ଧକ୍ୟ ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ମିଶାଇ ୨୦୦୮ରୁ ମଧୁବାବୁ ପେନସନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିରେ ୨୭ଲକ୍ଷ ୮୦ହଜାର ୧୬୩ଜଣଙ୍କୁ ପେନସନ ଦିଆଯାଉଛି। ଏଥିରେ ୬୦-୭୯ବର୍ଷର ବୟସ୍କଙ୍କୁ ହଜାର ଟଙ୍କା, ୮୦ବର୍ଷରୁ ଅଧିକଙ୍କୁ ୧୨ଶହ, ବିଧବା, କୁଷ୍ଠ ରୋଗୀ, ଏଚ୍‌ଆଇଭି ଆକ୍ରାନ୍ତଙ୍କ ମଧ୍ୟ ହଜାର ଟଙ୍କା ପାଉଛନ୍ତି। ଚଳିତବର୍ଷ ଫେବ୍ରୁଆରିରେ ତତ୍କାଳନୀ ରାଜ୍ୟ ସରକାର ଏହି ଭତ୍ତାକୁ ବୃଦ୍ଧି କରିଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନାରେ ୫ଶହ, ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ ଯୋଜନାରେ ୧୮-୭୯ବର୍ଷର ବ୍ୟକ୍ତି ୭ଶହ ଟଙ୍କା ଭତ୍ତା ପାଉଛନ୍ତି। ଉଲ୍ଲେଖ ଯେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ନିର୍ବାଚନୀ ଇସ୍ତହାରରେ କହିଥିଲା। ସେହି ଅନୁଯାୟୀ ଦଳ ଏବେ ତାହାକୁ ପାଳନ କରିବାକୁ ଯାଉଛି।