ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମୁନି। ତେନ୍ତୁଳିଖୁଣ୍ଟି ବ୍ଲକ୍ ବରଡ଼ାଯୋଡ଼ି ଗାଁକୁ ପକ୍କା ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆସଥିବା ଆମ୍ବୁଲାନ୍ସ ଗାଁଠୁ ୨କିମି ଦୂରରେ ଅଟକି ଗଲା। ଫଳରେ ଗର୍ଭବତୀଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସାର କିଛି ସମୟ ପରେ ମହିଳା ଜଣଙ୍କ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।
ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ବରଡ଼ାଯୋଡ଼ି ଗାଁ କଳାହାଣ୍ଡି ସୀମାନ୍ତରେ ଅବସ୍ଥିତ। ପଞ୍ଚାୟତ କାର୍ଯ୍ୟାଳୟରୁ ଗାଁର ଦୂରତା ୧୨ କିମି। ୧୦ କିମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିବା ବେଳେ ବାକି ୨ କିମି ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ରାସ୍ତା ନିର୍ମାଣ ହୋଇପାରିନି। ରବିବାର ସକାଳେ ଗ୍ରାମର ଲଛମନ ଜାନିଙ୍କ ପତ୍ନୀ ସୁନିତା ପ୍ରସବ ବେଦନା ଅନୁଭବ କରିଥିଲେ। ପରିବାର ଲୋକ ଆଶାକର୍ମୀକୁ ଯୋଗାଯୋଗ କରିଥିଲେ। ଆଶାକର୍ମୀ ଆମ୍ବୁଲାନ୍ସକୁ ସୂଚନା ଦେବା ପରେ ବରଡ଼ାଯୋଡ଼ି ଅଭିମୁଖେ ବାହାରିଥିଲା ଆମ୍ବୁଲାନ୍ସ। କିନ୍ତୁ ପକ୍କା ରାସ୍ତା ନଥିବାରୁ ଗାଁଠାରୁ ପ୍ରାୟ ୨କିମି ଦୂର ଡାଇକ୍-୧ ଗ୍ରାମରେ ଅଟକି ଯାଇଥିଲା। ଆଶାକର୍ମୀ, ଗ୍ରାମବାସୀ ଓ ପରିବାର ଲୋକ ସୁନିତାଙ୍କୁ ଜଙ୍ଗଲିଆ ରାସ୍ତାରେ ୨ କିମି ଭାରରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ ସୁନିତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ଣରେ ସୁନିତା ଯାଆଁଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଦୁଇ କନ୍ୟା ସନ୍ତାନଙ୍କ ଓଜନ ୨କିଲୋ ୨୦୦ ଗ୍ରାମ ଓ ୨କିଲୋ ୩୦୦ ଗ୍ରାମ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡା. ଆଶୁତୋଷ ରଥ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବହୁ ଦାବି ପରେ ବି ବରଡ଼ାଯୋଡ଼ି ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଗ୍ରାମବାସୀ ଜଙ୍ଗଲ ତଥା ପାହାଡ଼ିଆ ରାସ୍ତା ଦେଇ ଯାତାୟାତ କରୁଥିବାରୁ ଜରୁରୀ ସମୟରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।