ବାସୁଦେବପୁର/ଶିମୁଳିଆ: ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଘଟିଛି ଏହି ଅଘଟଣ। ତେବେ ଭାଗ୍ୟକୁ ଆମ୍ବୁଲାନ୍ସରେ ଥିବା ଆହତ ଯୁବକ ଓ ଅନ୍ୟମାନେ ବର୍ତ୍ତି ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ; ଆଜି ଅପରାହ୍ଣରେ ନରସିଂହପୁର ପଞ୍ଚାୟତର କାଳିଦାସପୁର ଗ୍ରାମର ଉପେନ୍ଦ୍ର କୁମାର ସାହୁଙ୍କ ପୁଅ ବସନ୍ତ(୩୦) ବାଇକ୍ରେ ଜାମୁଝାଡ଼ିକୁ କୌଣସି କାମରେ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ନିକଟରେ ଏକ ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଇ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ବସନ୍ତଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବେତଡ଼ା ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସଟି ଅଳ୍ପ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲା। ବସନ୍ତଙ୍କୁ ଆମ୍ବୁଲାନ୍ସ ଚାଳକଙ୍କ ସମେତ କର୍ମଚାରୀ ଓ ସ୍ଥାନୀୟ ଯୁବକ ଗାଡ଼ି ମଧ୍ୟକୁ ଟେକି ନେଇଥିଲେ। ତେବେ ଠିକ୍ ଏହି ସମୟରେ ହଠାତ ଆମ୍ବୁଲାନ୍ସ ଭିତରେ ନିଆଁ ଲାଗିଯାଇଥିଲା। ଚାଳକ ଓ କର୍ମଚାରୀ ବୁଦ୍ଧି ଖଟାଇ ତୁରନ୍ତ ବସନ୍ତଙ୍କୁ ତଳକୁ ଓହ୍ଲାଇ ଆଣିଥିଲେ। ୨ ମିନିଟ୍ ଭିତରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଜଳିଯିବା ସହିତ ଗଡ଼ି ଗଡ଼ି ରାସ୍ତାକଡ଼ ନୟନଜୋରୀକୁ ଖସି ଯାଇଥିଲା। ଖବର ପାଇ ବାସୁଦେବପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ଆମ୍ବୁଲାନ୍ସଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏପଟେ ବସନ୍ତଙ୍କୁ ଅନ୍ୟ ଏକ ଗାଡ଼ିରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉଦ୍ଧାର କରିବାକୁ ଯାଇଥିବା ଆମ୍ବୁଲାନ୍ସ ଜଳିଗଲା: ଅଳ୍ପକେ ବର୍ତ୍ତିଲେ ଆହତ ଯୁବକ ଓ କର୍ମଚାରୀ
/sambad/media/post_attachments/wp-content/uploads/2024/06/sfhfshfhsfh.jpg)