ସଂସ୍କୃତିଙ୍କର ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ

ସାନ୍‌ଫ୍ରାନ୍ସିକୋ: ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଆମେରିକାର କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଛି। ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥିଏଟରରେ ଅନୁଷ୍ଠିତ ହୋଇଥିଲା। ସାନ୍‌ଫ୍ରାନ୍ସିକୋସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ ପରିବେଷଣକୁ ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଭାରତୀୟ ତଥା ବିଦେଶୀ ଦର୍ଶକ ମନଭରି ଉପଭୋଗ କରିଥିଲେ। ନୃତ୍ୟାରମ୍ଭ ପୂର୍ବରୁ ପାରମ୍ପରିକ ପ୍ରଥା ଅନୁଯାୟୀ ସଂସ୍କୃତି ତାଙ୍କ ଗୁରୁ ଜ୍ୟୋତି ରାଉତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଶ୍ରୀମତୀ ରାଉତ ତାଙ୍କୁ ଶୁଭକାମନା ଜଣାଇବା ସହ ପାଦରେ ଘୁଙ୍ଗୁର ବାନ୍ଧି ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଂସ୍କୃତି ମଙ୍ଗଳାଚରଣରେ ସରସ୍ୱତୀ ବନ୍ଦନା, ଶୁଦ୍ଧ ନୃତ୍ୟ ମୁଦ୍ରା ପଲ୍ଲବୀ, ଗୀତା ସାର ଓ ନବରସ ଏବଂ ଶେଷରେ ମୋକ୍ଷ ପ୍ରଦର୍ଶନ କରିଥିଲେ।
ସଂସ୍କୃତିଙ୍କର ପ୍ରତ୍ୟେକ ପ୍ରସ୍ତୁତି ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା। ଉପସ୍ଥିତ ଦର୍ଶକମାନଙ୍କୁ ଭଗବତ୍‍ ସତ୍ତାରେ ବାନ୍ଧି ରଖିଥିଲା।

ମାତ୍ର ଚାରିବର୍ଷ ବୟସରୁ ସଂସ୍କୃତି, ଗୁରୁ ଗାୟତ୍ରୀ ଯୋଶୀଙ୍କଠାରୁ ଓଡ଼ିଶୀ ଶିକ୍ଷା ଆରମ୍ଭ କରିଥିଲେ। ପରବର୍ତ୍ତୀ କାଳରେ ସେ ଗୁରୁ ଜ୍ୟୋତି ରାଉତ, ଗୁରୁ ନୀଲଞ୍ଜନା ରାୟ ଏବଂ ଗୁରୁ କେଶିନୀ ଦେଶାଇଙ୍କ ଠାରୁ ନୃତ୍ୟ ଶିକ୍ଷା ଲାଭ କରିଥିଲେ। ଜ୍ୟୋତି କଳା ମନ୍ଦିରର ଅନ୍ୟ ସଦସ୍ୟମାନଙ୍କ ସହିତ ସେ ସାନ୍‌ଫ୍ରାନ୍ସିକୋର ସମୁଦ୍ର ତଟବର୍ତ୍ତୀ ଇଲାକାରେ ବହୁବାର ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି। ଏହା ସାଙ୍ଗକୁ ୨୦୧୭ ମସିହାରେ ଭୁବନେଶ୍ୱରଠାରେ ଆନ୍ତର୍ଜାତିକ ଓଡ଼ିଶୀ ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ବୋଷ୍ଟନ୍‍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଡିଗ୍ରି ଶିକ୍ଷାର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ଦୀର୍ଘ ୪ଘଣ୍ଟା ଧରି ଚାଲିଥିବା ‘ରଙ୍ଗ ପୂଜା’ କାର୍ଯ୍ୟକ୍ରମକୁ ସଂସ୍କୃତିଙ୍କର ପିତା ଧୀରେନ ମୋହନ ବେବର୍ତ୍ତା, ମା’ ମୋନାଲିସା ବେବର୍ତ୍ତା, ଭାଇ ସାତ୍ତ୍ୱିକ ବେବର୍ତ୍ତା ଏବଂ ମାଉସୀ ଶ୍ରୀଜା ପଟ୍ଟନାୟକ ପ୍ରମୁଖ ସଫଳତାର ସହିତ ଆୟୋଜନ କରିଥିଲେ।

ସମ୍ବନ୍ଧିତ ଖବର