ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ବଢ଼ିଛି। ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନ୍‌ଭେନ୍‌ସନଠାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କହିଲେ, ଗଢିବାର ପ୍ରକ୍ରୟାଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ନିର୍ମାଣ କ୍ଷେତ୍ର କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରେ ନାହିଁ, ଏହା ମଧ୍ୟ ବ୍ୟାପକ କର୍ମସଂସ୍ଥାନ ଯୋଗାଇଥାଏ। ଶ୍ରମିକ ଭାଇମାନଙ୍କ ଅଭାବ ଅସୁବିଧା ଓ ପ୍ରତିକୂଳତାକୁ ସରକାର ଗୁରୁତ୍ୱର ସହ ଦୃଷ୍ଟି ରଖିଛନ୍ତି। ନିର୍ମାଣ ଶ୍ରମିକଙ୍କ ପରିବାରର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ‘ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି। ତେଣୁ ନିର୍ମାଣ ଶ୍ରମିକମାନେ ନିଜକୁ ଏହି ‘ଶ୍ରମିକ କଲ୍ୟାଣ ବୋର୍ଡ’ରେ ସାମିଲ କରାଇ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବାକୁ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ। 

Advertisment

ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶି ୬ ଲକ୍ଷ ଟଙ୍କା ହେଲା
ଦେଶ ନିର୍ମାଣର ମେରୁଦଣ୍ଡ ହେଉଛନ୍ତି ନିର୍ମାଣ ଶ୍ରମିକ: ମୁଖ୍ୟମନ୍ତ୍ରୀ

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଓ ଶ୍ରମ କମିସନର ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ଥି‌ଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରୁ  ହିତାଧିକାରୀଙ୍କ ପରିବାରର ଏମ୍.ଟେକ୍ କରିଥିବା କାଦମ୍ବିନୀ ସାହୁ ନିର୍ମାଣ ଶ୍ରମିକ କଲ୍ୟାଣ ଛାତ୍ରବୃତ୍ତି ସହାୟତା ଯୋଗୁ ଉଚ୍ଚଶିକ୍ଷା କରି ସେ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଖଲ୍ଲିକୋଟ ଅଞ୍ଚଳର କାଠ ମିସ୍ତ୍ରୀ ନିରାକାର ମହାରଣା ସରକାରୀ ଅଧିକାରୀ ତାଙ୍କ ପାଖକୁ ଯାଇ ନାମ ପଞ୍ଜୀକରଣ କରି ପରିଚୟ ପତ୍ର ଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲାର ପ୍ରଭାତି ନାୟକଙ୍କୁ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ଚେକ୍, ରେବତୀ ଦାସଙ୍କୁ ପ୍ରସୂତିକାଳୀନ ସହାୟତା ୧୦ ହଜାର ଟଙ୍କାର ଚେକ୍, ମଦନ ମହାଲିଙ୍ଗଙ୍କୁ ପୁଅର ଶିକ୍ଷାବୃତ୍ତି ପାଇଁ ୧୦ ହଜାର ଟଙ୍କାର ଚେକ୍, ମନମୋହନ ପ୍ରଧାନଙ୍କୁ ଝିଅର ଉଚ୍ଚ ଶିକ୍ଷା ପାଇଁ ୪୮ ହଜାର ଟଙ୍କାର ଚେକ୍ ଓ ସ୍ୱର୍ଗତ ନରେନ୍ଦ୍ର ବେହେରାଙ୍କ ପତ୍ନୀ ସୁଷମା ବେହେରାଙ୍କୁ ୨ ଲକ୍ଷ ୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ସେହିପରି କଟକ ଜିଲ୍ଲାର ସୁଶିଳା ପ୍ରଧାନ ଓ ବିନୋଦିନୀ ଦେବତାଙ୍କୁ ସେମାନଙ୍କ ସ୍ୱାମୀଙ୍କ ସ୍ୱଭାବିକ ମୃତ୍ୟୁ ପାଇଁ ମୃତ୍ୟୁକାଳୀନ ସହାୟତା ବାବଦରେ ୨ ଲକ୍ଷ ୫ ହଜାର ଟଙ୍କା, ବାଲୋ ବିବି ଓ ହିରୋ ମଲିକଙ୍କୁ ବିବାହ ସହାୟତା ବାବଦକୁ ୫୦ ହଜାର ଟଙ୍କା ଏବଂ ଦିଲ୍ଲୀପ ସାହୁଙ୍କ ଝିଅ ପାଇଁ ଶିକ୍ଷାବୃତ୍ତି ବାବଦକୁ ୪୮ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।