ଧର୍ମଶାଳା: ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ ଅରଙ୍ଗାବାଦ ଗ୍ରାମରେ ରହିଛି ୮ଶହ ବର୍ଷର ପ୍ରାଚୀନ ଶ୍ୟାମସୁନ୍ଦର ମନ୍ଦିର। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ୟାମସୁନ୍ଦରଙ୍କ ନାମରେ ପୂଜା ପାଆନ୍ତି। ଏଠାରେ ପୁରୀ ଜଗନ୍ନାଥ ମନ୍ଦିର ଭଳି ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥାଏ। ବ୍ୟତିକ୍ରମ ହେଉଛି ମନ୍ଦିର ପ୍ରତିଷ୍ଠା ଦିନରୁ ଏପର୍ଯ୍ୟନ୍ତ ଏଠାରେ କେବେ ରଥଯାତ୍ରା ହୋଇନାହିଁ। ବଉଳମାଳିଆ ପଥର ଉପରେ ଦେଉଳ ନିର୍ମିତ ହୋଇଛି। ମନ୍ଦିରର ଉଚ୍ଚତା ପ୍ରାୟ ୩୫ ଫୁଟ ଓ ପ୍ରସ୍ଥ ୨୫ ଫୁଟ।
ମନ୍ଦିରର ଗର୍ଭଗୃହ, ଭୋଗ ମଣ୍ତପ, ନାଟ ମଣ୍ତପ ଓ ସିଂହଦ୍ବାର ଚାରି ଭାଗରେ ବିଭକ୍ତ। ପାର୍ଶ୍ବ ଦେବତା ଭାବେ ବରାହ ବାମନ ଓ ପ୍ରଭୁ ନୃସିଂହ ରହିଛନ୍ତି। ଚାରି ଦିଗରେ ଚାରୋଟି ଦ୍ବାର ରହିଛି। ପୂର୍ବ ଦ୍ବାର ବା ସିଂହଦ୍ବାରରେ ଗଜସିଂହ, ଅରୁଣ ସ୍ତମ୍ଭ, ତୁଳସୀ ଚଉରା, ଉତ୍ତର ପାର୍ଶ୍ବରେ ଚନ୍ଦନ ପୁଷ୍କରିଣୀ, ଚନ୍ଦନ ବେଦୀ, ମହାଗ୍ରହ ଶନିଦେବ ଓ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ଅବସ୍ଥିତ। ଦକ୍ଷିଣ ପାର୍ଶ୍ବରେ ଝୁଲଣ ମଣ୍ତପ, ଦୋଳ ବେଦୀ, ଚନ୍ଦନ ଯାତ୍ରା ମଣ୍ତପ ଓ ଗ୍ରାମ ଦେବତୀ ମା ତିମିରାଶୁଣୀ ରହିଛନ୍ତି। ପଶ୍ଚିମ ପାର୍ଶ୍ବରେ ଶ୍ରୀ ଜିଉଙ୍କ ସେବକ ନିଯୋଗ ବ୍ରାହ୍ମଣ ଶାସନ ଓ ମନ୍ଦିର ବେଢ଼ାର ମଧ୍ୟସ୍ଥଳରେ ସ୍ନାନ ମଣ୍ତପ ରହିଛି। କାରୁକାର୍ଯ୍ୟ ଦୃଷ୍ଟିରୁ ମନ୍ଦିରର ଶୋଭା ଅତି ସୁନ୍ଦର। ଗର୍ଭଗୃହର ରତ୍ନ ସିଂହାସନରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଶ୍ୟାମସୁନ୍ଦର। ସେବକମାନେ ପ୍ରତିଦିନ ମହାପ୍ରଭୁଙ୍କୁ ତୁଳସୀ ମାଳ, ପଦ୍ମଫୁଲ ଓ ବଡସିଂହାର ବେଶରେ ସଜାଇ ଥାଆନ୍ତି।
ଲୋକକଥା ଅନୁଯାୟୀ, ପ୍ରାୟ ୮ଶହ ବର୍ଷ ପୂର୍ବେ ଶ୍ୟାମ ବାବା ନାମକ ଜଣେ ପଶ୍ଚିମା ବାବାଜି ଅରଙ୍ଗାବାଦ ଗ୍ରାମରେ ଏକ ଝୁମ୍ପୁଡ଼ି ଘରେ ବାସ କରୁଥିଲେ। ସେ ଜଗନ୍ନାଥଙ୍କୁ ପାଖରେ ରଖି ପୂଜାର୍ଚ୍ଚନା କରୁଥିଲେ। ତାଙ୍କ ଦେହାନ୍ତ ପରେ ସ୍ଥାନୀୟ ପଟ୍ଟନାୟକ ବଂଶର ଜମିଦାର ଠାକୁରଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିଲେ। ଶ୍ୟାମ ବାବାଙ୍କ ନାମ ଓ ଜଗନ୍ନାଥଙ୍କ ନାକ ଗଢ଼ଣ ସୁନ୍ଦର ହୋଇଥିବାରୁ ମନ୍ଦିରର ନାମକରଣ ଶ୍ୟାମସୁନ୍ଦର କରାଯାଇଛି।
ପ୍ରଭୁଙ୍କ ସେବା ନିମନ୍ତେ ଅନ୍ୟ ଅଞ୍ଚଳରୁ ବ୍ରାହ୍ମଣ ଓ ମାଳିଙ୍କୁ ଏଠାକୁ ଅଣାଯାଇ ଥଇଥାନ କରାଯାଇଥିଲା। ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ପ୍ରାଚୀନ ମନ୍ଦିର ଆଜି ଅବହେଳିତ। ମନ୍ଦିର ଟ୍ରଷ୍ଟ୍ ଦ୍ବାରା ଏହାର ଦେଖାଶୁଣା ଓ ରକ୍ଷଣାବେକ୍ଷଣ କରାଯାଉଛି। ଏଠାରେ ଥିବା ଚନ୍ଦନ ପୁଷ୍କରିଣୀ ଦଳ ଓ ପଙ୍କରେ ଭର୍ତ୍ତି। ଟ୍ରଷ୍ଟର ସ୍ବଳ୍ପ ଆୟରେ ମନ୍ଦିରର ବିକାଶ ସମ୍ଭବ ହୋଇ ପାରୁନାହିଁ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରୀନିବାସ କିମ୍ବା ଶୌଚାଳୟଟିଏ ନାହିଁ। ମନ୍ଦିର ଚତୁଃପାର୍ଶ୍ବରେ ଫୁଲବଗିଚା ହେଲେ ଏହା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିପାରନ୍ତା। ପୁରାତନ ମଠମନ୍ଦିରର ସୌନ୍ଦର୍ଯ୍ୟୀକରଣ କରୁଥିବା ରାଜ୍ୟ ସରକାର ଶ୍ୟାସସୁନ୍ଦର ମନ୍ଦିରର ବିକାଶ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।