‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ ଅ‌କ୍ଟୋବର ୪ରେ: ଏଥରର ଅତିଥି ପ୍ରମୋଦ ଭଗତ, ଯୋଗେନ୍ଦ୍ର ଯାଦବ

ଭୁବନେଶ୍ବର: ଆସନ୍ତା ଅ‌କ୍‌ଟୋବର ୪ ତାରିଖ ସନ୍ଧ୍ୟା ୬ଟାରେ ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପରେ ‘ସମ୍ବାଦ’ର ୩୭ତମ ଏବଂ ‘କନକ ନ୍ୟୁଜ୍‌’ର ଦ୍ବାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଭାରତର ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ କ୍ରୀଡ଼ାବିତ୍ ପ୍ରମୋଦ ଭଗତ ଏବଂ ବିଖ୍ୟାତ ସ୍ତମ୍ଭକାର ଯୋଗେନ୍ଦ୍ର ଯାଦବ ବିଶିଷ୍ଟ ଅତିିଥି ଭାବେ ଯୋଗଦେବେ। ବରଗଡ଼ ଜିଲ୍ଲା ଅତାବିରାର ଭଗତ ନିକଟରେ ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ବ୍ୟାଡ୍‌ମିଣ୍ଟନ୍‌ରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ପାରାବ୍ୟାଡ୍‌ମିଣ୍ଟନ୍‌ରେ ବିଶ୍ବର ଏକ ନମ୍ବର ରୢାଙ୍କ୍‌ ହାସଲ କରିଥିବା ଏହି ପ୍ରତିଭାଶାଳୀ ଖେଳାଳି ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି।

ଅନ୍ୟପକ୍ଷରେ ଜଣେ ଚିନ୍ତାଶୀଳ ସ୍ତମ୍ଭକାର, ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀ ଭାବରେ ଯୋଗେନ୍ଦ୍ର ଯାଦବଙ୍କ ଖ୍ୟାତି ରହିଛି। ସ୍ବରାଜ ଅଭିଯାନ ଏବଂ ଜୟ କିଶାନ ଆନ୍ଦୋଳନର ସେ ପ୍ରତିଷ୍ଠାତା ସଦସ୍ୟ। ‘ସ୍ବରାଜ ଇଣ୍ଡିଆ’ ରାଜନୈତିକ ଦଳର ସେ ପ୍ରତିଷ୍ଠାତା ସଭାପତି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ। ଏହି ଅବସରରେ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ସହିତ ‘ସମ୍ବାଦ’ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବରେ ‘ସମ୍ବାଦ’ର ଶୁଭେଚ୍ଛୁ ଓ ରାଜ୍ୟର ବୁଦ୍ଧିଜୀବୀମାନେ ଯୋଗଦେବା ପାଇଁ ‘ସମ୍ବାଦ’ ପରିବାର ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର