ପୁରୀ : ଶ୍ରୀମନ୍ଦିର ପ୍ରଶାସନ ଓ ପାଞ୍ଜିକାରଙ୍କୁ ନେଇ ଆଜି ଶେଷ ପାଞ୍ଜି ସମନ୍ବୟ ବୈଠକ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୩-୨୪ ବର୍ଷ ପାଇଁ ଶ୍ରୀମନ୍ଦିରର ନାନାଦି ପର୍ବପର୍ବାଣୀର ତାରିଖ, ସମୟ ଆଦି ଧାର୍ଯ୍ୟ ହୋଇଛି।
୭ଟି ପାଞ୍ଜିର ପାଞ୍ଜିକାରମାନଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାଣ୍ଡୁଲିପି ଦାଖଲ ପାଇଁ କୁହାଯାଇଥିଲା। ସେଥିମଧ୍ୟରୁ ରାଧାରମଣ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକା ଓ କୋହିନୁର ପଞ୍ଜିକା େସମାନଙ୍କ ପଞ୍ଜିକା ପାଣ୍ଡୁଲିପି ସଂଶୋଧନ ପାଇଁ ପଠାଇଥିଲେ। ଅରୁଣଦୟ ପଞ୍ଜିକା ଓ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା କେବଳ ୨୦୨୩-୨୪ ବର୍ଷର ତାଳିକା ପଠାଇଥିଲେ। ସବୁକୁ ତର୍ଜମା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଦିିନେ ଦୁଇଦିନ ଭିତରେ ସର୍ବସାଧାରଣଙ୍କ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ନୀତି ପ୍ରଶାସକ ଶ୍ରୀ ସାହୁ କହିଛନ୍ତି।
ବୈଠକରେ ଶ୍ରୀମନ୍ଦିର ପାଞ୍ଜି କମିଟିରେ ଥିବା ପୂଜାପଣ୍ଡା, ମୁକ୍ତିମଣ୍ଡପ ପ୍ରତିନିଧି, କମାଣ୍ଡର, ତଢ଼ଉକରଣ, ଦେଉଳକରଣ ପ୍ରମୁଖ ଉପସ୍ଥିତ ଥିଲେ।
ସେପଟେ କମିଟି ନିଷ୍ପତ୍ତି ଉପରେ ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର କହିଛନ୍ତି, ଅତୀତରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ୱୀକୃତ ପଞ୍ଜିକାରେ ତ୍ରୁଟିପୂର୍ଣ୍ଣ ଗଣନା ଓ ସିଦ୍ଧାନ୍ତ ଯୋଗୁ ଚନ୍ଦ୍ରଗ୍ରହଣ ଓ ମହାଶିବରାତ୍ରୀ ନିର୍ଣ୍ଣୟ ସଭିଙ୍କୁ ବିଭ୍ରାନ୍ତ କରିଥିଲା। ଏଥିପାଇଁ ଏହି ସମନ୍ବୟ ବୈଠକରେ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ପର୍ବ ନିର୍ଣ୍ଣୟ କରାଯାଇ ଆସୁଛି। ପଞ୍ଜିକାରେ ଗଣନା ଠିକ୍ ରହିଲେ, ସିଦ୍ଧାନ୍ତ ମଧ୍ୟ ଠିକ୍ ରହିବ। ଏହାକୁ ଗୁରୁତ୍ବର ସହ ବିଚାର କରାଯାଉ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଥିବା ବିଭିନ୍ନ ପାଞ୍ଜିରେ ପର୍ବପର୍ବାଣୀରେ ଦିନ, ସମୟ ଆଦି ମେଳକ ନ ହେବା ଓ ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ କିଛିବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ଏହି ପାଞ୍ଜି ସମନ୍ବୟ ବୈଠକ କରି ଆସୁଛି। ଏଥିପାଇଁ ରାଜ୍ୟର ବଛା ବଛା ପାଞ୍ଜିକାରମାନଙ୍କୁ ନେଇ ମନ୍ଦିର ପ୍ରଶାସନ ବୈଠକ କରି ଆସୁଛି।