କଟକ : ଓଡ଼ିଶା ଜୁଡିସିଆଲ ଏକାଡେମିରେ ହାଇକୋର୍ଟର ବାର୍ଷିକ ରିପୋର୍ଟ ଉନ୍ମୋଚନ କରାଯାଇଛି। ରିପୋର୍ଟ ଅନୁଯାୟୀ ୨୦୨୧ ତୁଳନାରେ ୨୦୨୨ରେ ହାଇକୋର୍ଟରେ ମାମଲା ଫଏସଲା ସଂଖ୍ୟା ୨୯. ୮୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ ବର୍ଷରେ ହାଇକୋର୍ଟରେ ୧,୦୫,୧୮୨ଟି ମାମଲା ଫଏସଲା ହୋଇଥିଲା ବେଳେ ୨୦୨୨ ବର୍ଷରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୩୬ ହଜାର ୫୯୯ରେ ପହଞ୍ଚିଛି। ଗୁରୁତ୍ବପୂର୍ଣ୍ଣ ହେଉଛି ୨୦୨୨ରେ ଯେତିକି ସଂଖ୍ୟାରେ ମାମଲା ଦାୟର ହୋଇଥିଲା ତା ଠାରୁ ଅଧିକ ସଂଖ୍ୟକ ମାମଲା ଫଏସଲା ହୋଇଥିଲା। ଅର୍ଥାତ ୨୦୨୨ରେ ମାମଲା ଫଏସଲା ହାର ୧୩୦.୯୪ ପ୍ରତିଶତ ଥିଲା। ସେହିଭଳି ଭାବେ ଜିଲ୍ଲା ବିଚାରବିଭାଗରେ ମଧ୍ୟ ମାମଲା ଫଏସଲା ହାର ୨୦୨୧ ତୁଳନାରେ ୨୦୨୨ରେ ୧୧୬.୦୨ ପ୍ରତିଶତ ଅଧିକ ଥିଲା। ୨୦୨୧ରେ ଜିଲ୍ଲା ଅଦାଲତ ଗୁଡିକରେ ୨ ଲକ୍ଷ ୩୮ ହଜାର ୫୮୮ ମାମଲା ଫଏସଲା ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୫ ଲକ୍ଷ ୧୫ ହଜାର ୩୯୨ରେ ପହଞ୍ଚି ଥିଲା। ୨୦୨୧ରେ ହାଇକୋର୍ଟ ପକ୍ଷରୁ ୮୧୦ଟି ରାୟ (ଜଜ୍ମେଣ୍ଟ) ପ୍ରକାଶ ପାଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୨୧୧୮। ସେହିଭଳି ଜିଲ୍ଲା ବିଚାରବିଭାଗରେ ୨୦୨୧ରେ ୭୨ ହଜାର ୮୦୬ ରାୟ ପ୍ରକାଶ ପାଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧ ଲକ୍ଷ ୬୧ ହଜାର ୨୬୩ରେ ପହଞ୍ଚିଥିଲା।
ତଥ୍ୟ ଅନୁଯାୟୀ ୨୦୨୨ ଆରମ୍ଭରେ ଓଡ଼ିଶା ହାଇକୋର୍ଟରେ ୧୮ଜଣ କାର୍ଯ୍ୟରତ ବିଚାରପତି ଥିବା ବେଳେ ଅଗଷ୍ଟ ମାସରେ କାର୍ଯ୍ୟରତ ବିଚାରପତି ସଂଖ୍ୟା ୨୪ରେ ପହଞ୍ଚିଥିଲା। କିନ୍ତୁ ୨୦୨୨ ବର୍ଷ ଶେଷକୁ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚି ଥିଲା। ନିକଟରେ ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବି ସଂଖ୍ୟାକୁ ୨୭ରୁ ୩୩କୁ ବୃଦ୍ଧି କରାଯାଇଛି। ଏହି ହିସାବରେ ହାଇକୋର୍ଟରେ ଆହୁରି ୧୧ ଜଣ ବିଚାରପତିଙ୍କ ନିଯୁକ୍ତି ସୁଯୋଗ ରହିଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟର ସବୁ ଜିଲ୍ଲାରେ ସମ୍ବେଦନଶୀଳ ସାକ୍ଷୀ ଜମାନବନ୍ଦୀ କେନ୍ଦ୍ର (ଭିଡବ୍ଳୁଡିସି) ପ୍ରତିଷ୍ଠା କରାଯାଇଛି। ସବୁ ଜିଲ୍ଲାରେ ପେପରଲେସ୍ କୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ଦେଶରେ ପ୍ରଥମ ରାଜ୍ୟ ହୋଇଛି ଓଡ଼ିଶା। ୨୦୨୨, ସେପ୍ଟେମ୍ବର ୧୭ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୪ଟି ପେପରଲେସ୍ କୋର୍ଟକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉଦଘାଟନ କରିଥିଲେ। ରେକର୍ଡ ଡିଜିଟାଇଜେସନ୍ ପ୍ରସଂଗରେ ୨୦୨୨ରେ ବିଶେଷ ପଦକ୍ଷେପ ନିଆଯାଇଥିଲା। ପୂର୍ବରୁ ଥିବା ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ ସେଣ୍ଟର ଗୁଡିକୁ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ ହବ୍ସରେ ପରିବର୍ତ୍ତିତ କରାଯାଇଥିଲା। ଏଥି ସହିତ ଆଉ ୧୦ଟି ଜିଲ୍ଲାରେ ଏପରି ଡିଜିଟାଇଜେସନ୍ ହବ୍ସ ଖୋଲାଯାଇଥିଲା। ୩,୨୪,୯୦୦ ମାମଲା ବିଭିନ୍ନ ଟ୍ରାଏଲ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ୨୫ଟି ନୂଆ କଗନିଜାନ୍ସ ଟେକିଂ କୋର୍ଟ ଉଦଘାଟନ କରାଯାଇଥିଲା। ବିଭିନ୍ନ ଜିଲ୍ଲା ଅଦାଲତ ଗୁଡିକର ପ୍ରଦର୍ଶନ ଆକଳନ ପାଇଁ ହାଇକୋର୍ଟ ପକ୍ଷରୁ ଯୋଜନା ପ୍ରଣୟନ କରାଯାଇଥିଲା। ତିନିଟି ଜୋନ ଗଠନ କରାଯାଇଥିଲା। ବଲାଙ୍ଗୀର, ନୟାଗଡ଼ ଓ ଦେବଗଡ଼ ଜିଲ୍ଲାକୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି।
ଓଡ଼ିଶା ହାଇକୋର୍ଟ ରେକର୍ଡ ସଂରକ୍ଷଣ କରିବାରେ ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ସେଣ୍ଟର ଫର୍ ଜୁଡିସିଆଲ ଆର୍କାଇଭ୍ସ (ଅଭିଲେଖାଗାର) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ସମସ୍ତ ନ୍ୟାୟିକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ପାଇଁ ଜୁଡିସିଆଲ ଇନଫ୍ରାଷ୍ଟ୍ରକଚର ମ୍ୟାନେଜମେଣ୍ଟ ଏଜେନ୍ସି ପ୍ରତିଷ୍ଠା କରାଯାଇଛି। ଆଇନଜୀବୀଙ୍କ ପାଇଁ ସମସ୍ତ ୩୦ଟି ଜିଲ୍ଲା ସହିତ ୨ଟି ସ୍ଥାନରେ ଇ-ଲାଇବ୍ରେରି ପ୍ରତିଷ୍ଠା କରାଯାଇଛି। 'ଲୟର ଅଫ୍ ଦି ଇୟର ଆୱାର୍ଡ' ବ୍ୟବସ୍ଥା ନୂଆ କରି ଆରମ୍ଭ କରାଯାଇଛି। ୨୦୨୨ରେ ଓଡ଼ିଶା ହାଇକୋର୍ଟ ଓ ବିଭିନ୍ନ ଜିଲ୍ଲା ବିଚାରବିଭାଗରେ ଅନେକ କିଛି ନୂଆ କଥା ଦେଖିବାକୁ ମିଳିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।