ଜାରି ରହିଲା କ୍ରସର ବିରୋଧୀ ଆନ୍ଦୋଳନ

ଛୁଆପିଲା ଧରି ଏକଜୁଟ୍‌ ହୋଇ ଧାରଣା ଦେଲେ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୂଇଁଠାରେ ଗତ ୧୬ଦିନ ଧରି ଚାଲିଥିବା କ୍ରସର ବିରୋଧୀ ଆନ୍ଦୋଳନ ବୁଧବାର ଉଗ୍ର ରୂପ ଧାରଣ କରିଛି। ଏପରିକି ରାତିରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ଭଣ୍ତୁର କରିବା ପାଇଁ ପୁଲିସ ପ୍ରଶାସନ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଆଇଏନ୍‌ଟିୟୁସି ନେତା ଅବକାଶ ସାହୁଙ୍କୁ ମଙ୍ଗଳବାର ଗିରଫ କରିବା ପରେ ବି  ଆନ୍ଦୋଳନ ଥମିବାରେ ନାଁ ଧରୁନି। ପୁଲିସର ଗିରଫ ଧମକକୁ ଖାତିର ନକରି ବୁଧବାର ସକାଳ ୧୦ଟା ସମୟରେ ଗାଁର ଶତାଧିକ ମହିଳା, ପୁରୁଷ ଛୁଆ ପିଲା ଧରି ଏକଜୁଟ୍ ହୋଇ ଘରଛାଡ଼ି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ଏହି ସମୟରେ ଖରଭୂଇଁ ତ୍ରିନାଥ ମନ୍ଦିର ନିକଟରେ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର, ପୁଲିସ ପ୍ରଶାସନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଧାରଣାସ୍ଥଳକୁ ଯିବାକୁ ବାରଣ କରିଥିଲେ। ତହସିଲଦାର ଆନ୍ଦୋଳନକାରୀଙ୍କୁ ବୁଝାଇବା ସହିତ ଯେମିତି ହେଲେ କ୍ରସର ଚାଲିବ ବୋଲି କହିବା ପରେ ଲୋକେ ଉତ୍ତେଜିତ ହୋଇ ପଡ଼ିଥିଲେ। କିଛି ସମୟ ଧରି ତହସିଲଦାରଙ୍କ ସହିତ ଆନ୍ଦୋଳନକାରୀଙ୍କ ସହ ଧସ୍ତାଧସ୍ତି ଓ କଥା କଟାକଟି ହୋଇଥିଲା। ପୁଲିସ୍‌ ପ୍ରଶାସନର ବାରଣ ସତ୍ତ୍ବେ ଆନ୍ଦୋଳନକାରୀ ଧାରଣାସ୍ଥଳରେ ପହଞ୍ଚି ନାରାବାଜି କରିଥିଲେ। ସେହି ସମୟରେ ଏ୍‌ଆର୍‌ଏସ୍‌ଏସ୍‌ କମ୍ପାନିର ଏକ ଜେସିବି ମେସିନ କ୍ରସର ରାସ୍ତାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲା। ଫଳରେ ଆନ୍ଦୋଳନକାରୀମାନେ ବସିପଡ଼ି ପ୍ରତିବାଦ କରିଥିଲେ। ଶେଷରେ  କମ୍ପାନି ଗାଡ଼ି ପଛଘୁଞ୍ଚା ଦେଇଥିଲା। ଫଳରେ ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ପୁଲିସ ଘଟଣାସ୍ଥଳରେ ରହି ସ୍ଥିତି ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର