ଭୁବନେଶ୍ବର : ପ୍ରାୟ ବର୍ଷେ ହେଲା ଆପାର୍ଟମେଣ୍ଟ କିଣାବିକା ଉପରେ ଲାଗିଥିବା କଟକଣା ହଟିବ। ନଗର ଉନ୍ନୟନ ବିଭାଗ ଆଜି ନୂତନ ଅଧିନିୟମ, ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ, ୨୦୨୩ ଆଣିଛି। ଏହି ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିବା ପରେ ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଖୋଲିଛି।
ଗତ ବିଧାନସଭା ଅଧିବେଶନରେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା)- ୨୦୨୩ ଅଧିନିୟମ ଆଣିଥିଲେ ହେଁ ଶେଷ ମୁହୂର୍ତ୍ତରେ ଏହାକୁ ପ୍ରତ୍ୟାହାର କରିନେଇଥିଲେ। ଫଳରେ ହଜାର ହଜାର ଘର କ୍ରେତାଙ୍କ ଆଶା ମଉଳି ଯାଇଥିଲା। ଘର କ୍ରେତା/ବିକ୍ରେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାରୁ ଏବଂ ଏବେ ବିଧାନସଭାର କୌଣସି ଅଧିେବଶନ ନଥିବାରୁ ରାଜ୍ୟ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ଏଥିରେ ଆପାର୍ଟମେଣ୍ଟଗୁଡ଼ିକର ଉତ୍ତମ ପରିଚାଳନା ନିମନ୍ତେ ପ୍ରଚଳିତ ଆଇନର ବିଭିନ୍ନ ବ୍ୟବସ୍ଥାରେ ବିବିଧ ସଂଶୋଧନ ଏବଂ ବିଭିନ୍ନ ଧାରାଗୁଡ଼ିକର ସଂଯୋଗ ଏବଂ ପରିବର୍ତ୍ତନ ଅଣାଯାଇଛି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ (ଓଡ଼ିଶା ଅଧିନିୟମ ୧୯୮୪ର ୧) ପ୍ରତ୍ୟାହାର କରିବା ପ୍ରସ୍ତାବକୁ ବିଚାରକୁ ନେଇ ଏହି ନୂଆ ଅଧିନିୟମ ଆଣିଛନ୍ତି। ଏଥିରେ ଆପାର୍ଟମେଣ୍ଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ ନିମନ୍ତେ ବ୍ୟବସ୍ଥା ରହିଛି।
ସେହିପରି ଆଜି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ,୧୯୭୨ର ଚାପ୍ଟର ‘ଭି’ର ଧାରା ୩୪ ଏବଂ ୩୫କୁ ଉଚ୍ଛେଦ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ସଂଶୋଧନ ଦ୍ବାରା ଜମିମାଲିକମାନେ ସେମାନଙ୍କର ଚକ ଜମି ବିକ୍ରୟ/ବିଭାଜନ କରିପାରିବେ ଏବଂ ଜମି ପଟ୍ଟାଗୁଡ଼ିକ ସଂଶୋଧନ ହୋଇପାରିବ। ଏହାଦ୍ବାରା ରେଜିଷ୍ଟ୍ରି ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ବ ଶୁଳ୍କର ଆଦାୟ ବୃଦ୍ଧି ପାଇବ ବୋଲି କୁହାଯାଇଛି।
ପୂର୍ବରୁ ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ,୧୯୭୨ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ଅଥବା ବିଭାଜନ ନିଷେଧ ଥିଲା। ଧାରା ୩୫ ଅନୁଯାୟୀ ଯଦି ଧାରା ୩୪କୁ ଉଲ୍ଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହୋଇଥିବ ତାହା ଅବୈଧ ବିବେଚିତ ହେଉଥିବା ଏବଂ ଉଲ୍ଲଂଘନକାରୀଙ୍କୁ ଜମିରୁ ଉଚ୍ଛେଦ କରାଯାଉଥିଲା।
ଏହାବ୍ୟତୀତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ରୂପାନ୍ତର ନିମନ୍ତେ ୨ହଜାର କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭିଏସ୍ଏସ୍ୟୁଟି ବିଶ୍ବବିଦ୍ୟାଳୟ ଅନେକ ବହୁ ବିଭାଗ ପାଠ୍ୟକ୍ରମ ଉପସ୍ଥାପନ କରିପାରିବ। ଏହା ଗୋଟିଏପଟେ ଏକାଡେମିକ୍ ଏବଂ ଅନୁସନ୍ଧାନ ସମ୍ପ୍ରଦାୟ ଏବଂ ଅନ୍ୟପଟେ ଶିଳ୍ପ ମଧ୍ୟରେ ସହଯୋଗ ଓ ପାରସ୍ପରିକ ସମ୍ପର୍କ ବୃଦ୍ଧି ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ।
ସେହିପରି କୋଣାର୍କ ମନ୍ଦିର ପରିସର ଓ ଚତୁଃପାର୍ଶ୍ବକୁ ବିକଶିତ ଓ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନ ଆକର୍ଷଣର ସମନ୍ବିତ ବିକାଶ ଯୋଜନା ଅଧୀନରେ ୨୦୯କୋଟି ୭୩ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ କରିବେ। ଏହି ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ ୧୮ମାସରେ ଶେଷ ହେବ।
ପୁରୁଣା ଭୁବନେଶ୍ବର ଅଞ୍ଚଳର ବିଭିନ୍ନ ପ୍ରାଚୀନ ସ୍ମାରକୀଗୁଡ଼ିକର ପୁନରୁଦ୍ଧାର ଓ ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ। ଏଥିପାଇଁ ୧୫୬କୋଟି ୨୧ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହା ମଧ୍ୟ ୧୮ମାସରେ ଶେଷ ହେବ।
ଏହାବ୍ୟତୀତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ଗୁଡ଼ଭେଲା, ମୁରିବାହାଲ ବ୍ଲକ ଅଧୀନରେ ଥିବା ୨୯ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୪୦ଟି ଗ୍ରାମର ୯୦,୩୦୮ଜଣ ଅଧିବାସୀଙ୍କୁ ଜଳ ଜୀବନ ମିସନ୍ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ। ଏଥିପାଇଁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ ଲିମିଟେଡର ୨୩୫କୋଟି ୫୩ଲକ୍ଷ ୧ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ପ୍ରକଳ୍ପ ୨୪ମାସରେ ଶେଷ ହେବ। ଟିଟିଲାଗଡ଼ ବ୍ଲକ ଅଧୀନରେ ଥିବା ୧୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୨ଟି ଗ୍ରାମରେ ବାସ କରୁଥିବା ୭୧୩୯୨ଜଣ ଲୋକଙ୍କୁ ଜଳ ଜୀବନ ମିସନ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ମେଘା ଇଞ୍ଜିନିୟରିଂର ୧୮୭କୋଟି ୫୦ଲକ୍ଷ ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି।
ଗଜପତି ଜିଲ୍ଲାର ଗୁମ୍ମା ଏବଂ ରାୟଗଡ଼ ବ୍ଲକର ୩୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୪୬ଟି ଗ୍ରାମରେ ବାସ କରୁଥିବା ୧,୩୧,୭୩୩ ଜଣଙ୍କୁ ବିଶୁଦ୍ଧ ଜଳଜୀବନ ମିସନ୍ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ ଲିମିଟେଡର ୩୭୯କୋଟି ୧୭ଲକ୍ଷ ୧୮ହଜାର ଟଙ୍କାର ଟେଣ୍ଡରକୁ ମଞ୍ଜୁରି ମିଳିଛି। ଏହା ମଧ୍ୟ ୨୪ମାସରେ ଶେଷ ହେବ।
ଗଞ୍ଜାମ ଜିଲ୍ଲାର ୧୨ଟି ବ୍ଲକ କେଏସ୍ ନଗର, ଆସ୍କା, ସୋରଡ଼ା, ପୁରୁଷୋତ୍ତମପୁର, ପୋଲସରା, ଜେ.ଏନ୍ ପ୍ରସାଦ, ବେଗୁନିଆପଡ଼ା, ଗଞ୍ଜାମ, ବୁଗୁଡ଼ା, ବେଲଗୁଣ୍ଠା, ଭଞ୍ଜନଗର, ଧରାକୋଟର ୨୨୮ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୭୦ଟି ଗ୍ରାମରେ ବାସ କରୁଥିବା ୯,୯୨,୩୬୮ ଜଣଙ୍କୁ ଜଳଜୀବନ ମିସନ୍ ଯୋଜନାରେ ପାନୀୟ ଜଳ ଯୋଗାଣ ହେବ। ଏଥିପାଇଁ ଏଲ୍ଆଣ୍ଡ୍ଟି ଲିମିଟେଡର ୧୫୦୯କୋଟି ୯୧ଲକ୍ଷ ୨୦ହଜାର ୧ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏହା ବି ୨୪ମାସରେ ଶେଷ ହେବ।
ଏହାବାଦ୍ ରାଜ୍ୟର ଦୂରଦୂରାନ୍ତରୁ ଆସୁଥିବା କର୍କଟ ରୋଗୀ ଓ ସହାୟକମାନଙ୍କର ରହିବା ପାଇଁ ଆବଶ୍ୟକ ଆଶ୍ରୟ ଗୃହ ନିର୍ମାଣ ନିମନ୍ତେ ଜଟଣୀ ତହସିଲ ଅନ୍ତର୍ଗତ ଚଣ୍ଡୀହତା ମୌଜାର ୨ଏକର ଜମିକୁ ବାଗ୍ଚୀ-ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ନାମରେ ଲିଜ୍ ଦଲିଲ୍ ନିବନ୍ଧନ ନିମନ୍ତେ ଷ୍ଟାମ୍ପ ଦେୟ ଓ ପଞ୍ଜୀକରଣ ଫି’ ବାବଦକୁ ୧୪ ଲକ୍ଷ ୨୮ ହଜାର ୭୦୦ଟଙ୍କା ଛାଡ଼ କରାଯାଇଛି। ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୩୩୦,୧୭କୋଟି ବ୍ୟୟବରାଦ ପ୍ରସ୍ତାକୁ ଅନୁମୋଦନ କରାଯାଇଛି। ଏହା ୫ବର୍ଷରେ ଖର୍ଚ୍ଚ ହେବ।
ଚାଷୀଙ୍କ ଫସଲ ସଘନତାକୁ ୨୦୦ ପ୍ରତିଶତ ବୃଦ୍ଧି କରିବା ସହ ତୃତୀୟ ଫସଲ କରିବାର ସମ୍ଭାବନା ସୃଷ୍ଟି କରିବା ପାଇଁ ରାଜ୍ୟରେ ଜଳସେଚିତ ଚାଷ ଉପଯୋଗୀ ବୃଦ୍ଧି କରାଯିବ। ଏଥିପାଇଁ ‘ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗ’ ଯୋଜନାର କାର୍ଯ୍ୟକାରିତା ପାଇଁ ୨୦୨୨-୨୩ରୁ ୨୦୨୪-୨୫ ବର୍ଷ ପାଇଁ ୩୬୪.୪୦କୋଟି ଅନୁମୋଦନ କରାଯାଇଛି।
ଓଡ଼ିଶା (ବେସରକାରୀ ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅନୁଦାନ ନିୟମ,୨୦୦୮ରୁ ସଂଶୋଧନ ପ୍ରସ୍ତାବ, କାର୍ଯ୍ୟକାରିତା ବୃଦ୍ଧି ଏବଂ କଲ୍ୟାଣକାରୀ କାର୍ଯ୍ୟକୁ ମଜବୁତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାଡର ପୁନର୍ଗଠନ ଯୋଜନା ପ୍ରସ୍ତାବ, ଅବକାରୀ ପ୍ରଶାସନର ସଫଳ ପରିଚାଳନା ନିମନ୍ତେ ଅବକାରୀ କନେଷ୍ଟବଳ ଏବଂ ସହକାରୀ ଅବକାରୀ ଉପନିରୀକ୍ଷକ ପଦବିକୁ ଜିଲ୍ଲାସ୍ତର ଏବଂ ଇ.ଆଇ ଓ ଇ.ବି ୟୁନିଟ ସ୍ତରରୁ ଡିଭିଜିନାଲ ସ୍ତର ଏବଂ ରାଜ୍ୟସ୍ତରକୁ ରୂପାନ୍ତରଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ପୂର୍ବରୁ ରାଜ୍ୟ ସରକାର ଡେଲିଭରି ବୟ ଓ ଜ୍ବିଗାଟୋ ଚଳଚ୍ଚିତ୍ରକୁ କର ମୁକ୍ତ କରିଥିଲେ। ଏହି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।