କଟକ : ସରକାରୀ ହାଇସ୍କୁଲ୍ରେ ଚୁକ୍ତିଭିତ୍ତିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି କ୍ଷେତ୍ରରେ ବାଣିଜ୍ୟ ଓ ଲାଇଫ୍ସାଇନ୍ସ ସ୍ନାତକ ପାସ୍ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳି ପାରିବ। ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଦାୟର ପାଞ୍ଚଟି ରିଟ୍ ଅପିଲ୍ ଖାରଜ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଣଶିକ୍ଷା ବିଭାଗ ତରଫରୁ ଦାୟର ସମସ୍ତ ୫ଟି ରିଟ୍ ଅପିଲ୍କୁ ଖାରଜ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ବାଣିଜ୍ୟ ସ୍ନାତକ ଡିଗ୍ରି ଓ ଲାଇଫ୍ସାଇନ୍ସ ଡିଗ୍ରି ଥିବା ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ଖାରଜ ନିର୍ଦ୍ଦେଶକୁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୨, ମେ ୬ରେ ରଦ୍ଦ କରିଥିଲେ। ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଗ୍ରହଣ କରି ନିଯୁକ୍ତି ପ୍ରଦାନ ପ୍ରସଂଗରେ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଣିକିଆ ବିଚାରପତିଙ୍କ ଏହି ରାୟ ବିରୋଧରେ ଗଣଶିକ୍ଷା ବିଭାଗ ଦୁଇଜଣିଆ ବିଚାରପତିଙ୍କ ନିକଟରେ ରିଟ୍ ଅପିଲ ଦାୟର କରିଥିଲା।
ପ୍ରତିପକ୍ଷଙ୍କ ମଧ୍ୟରୁ ଜ୍ୟୋତିରଂଜନ ଜେନାଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।