ଚନ୍ଦ୍ରଶେଖରପୁର: ୫-ଟି ଅଧୀନ ହାଇସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟରେ ଆଜି ରାଜ୍ୟର ୫ଟି ଜିଲ୍ଲାର ୩୦୦ରୁ ଅଧିକ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ବିଦ୍ୟାଳୟ ସମେତ ବରଗଡ଼ ଜିଲ୍ଲାର ୬୨, ମୟୂରଭଞ୍ଜ ଜିଲ୍ଲାର ୧୦୦ ବିଦ୍ୟାଳୟ ରହିଛି। ଏହାବ୍ୟତୀତ ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାର କିଛି ବିଦ୍ୟାଳୟକୁ ମଧ୍ୟ ସାମିଲ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ୬୨ ବିଦ୍ୟାଳୟ ମଧ୍ୟରୁ ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ବ୍ଲକରେ ୩୦ରୁ ଅଧିକ ବିଦ୍ୟାଳୟକୁ ରୂପାନ୍ତରଣ କରାଯାଇଛି। ଅପରାହ୍ଣରେ ଭର୍ଚୁଆଲ୍ରେ ଅନୁଷ୍ଠିତ ହେବାକୁ ଥିବା ଲୋକାର୍ପଣ ଉତ୍ସବ ପାଇଁ ବରମୁଣ୍ଡାସ୍ଥିତ ସରକାରୀ ନୋଡାଲ ହାଇସ୍କୁଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାୟକଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।
ଖୋର୍ଦ୍ଧା ଜିଲ୍ଲାର ୬୨ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ଆଜି
ବରମୁଣ୍ଡା ନୋଡାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
ଏହି ପର୍ଯ୍ୟାୟରେ ଲୋକର୍ପିତ ହେବାକୁ ଥିବା ଅଧିକାଂଶ ହାଇସ୍କୁଲ ଭିତ୍ତିଭୂମି ଦୂର୍ବଳ ରହିଥିଲା। କେଉଁଠି ପଢ଼ିବା ଲାଗି ଆବଶ୍ୟକୀୟ ଶ୍ରେଣୀଗୃହ ନ ଥିଲା ତ ଆଉ କେଉଁଠି ଖେଳିବା ଲାଗି ସାମଗ୍ରୀର ଅଭାବ ପରିଲକ୍ଷିତ ହୋଇଥିଲା। ଶିକ୍ଷକ ଅଭାବ ଯୋଗୁଁ ମଧ୍ୟ କେତେକ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହୋଇଥିଲା। ପ୍ରଶାନ୍ତିବିହାରସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ୍ ହାଇସ୍କୁଲରେ ବହୁ ବର୍ଷ ଧରି ଲାଗିରହିଥିବା ଶ୍ରେଣୀଗୃହ ଅଭାବ ସମସ୍ୟାର ଏବେ ସମାଧାନ ହେବାକୁ ଯାଉଛି। ସେହିପରି ପଟିଆସ୍ଥିତ ଏସ୍ଏନ୍ ସରକାରୀ ହାଇସ୍କୁଲ, ଚନ୍ଦ୍ରଶେଖରପୁର-୧ ରେଳ ବିହାର ସରକାରୀ ହାଇସ୍କୁଲ, ଫୁଲନଖରାସ୍ଥିତ ଲାଲ୍ ବାହାଦୂର ସରକାରୀ ହାଇସ୍କୁଲ, ପଳାସୁଣିସ୍ଥିତ ସରକାରୀ ହାଇସ୍କୁଲ, ବାଣୀବିହାରସ୍ଥିତ ୟୁନିଭରସିଟି ହାଇସ୍କୁଲ, ଭିଏସ୍ଏସ୍ନଗର ସରକାରୀ ହାଇସ୍କୁଲ, ବରମୁଣ୍ଡାସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ, ବରମୁଣ୍ଡା ମ୍ୟୁନିସିପାଲଟି ହାଇସ୍କୁଲ, ୟୁନିଟ୍-୮ ସରକାରୀ ବାଳିକା ହାଇସ୍କୁଲ, ୟୁନିଟ୍-୪ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୮ ପାୱାରହାଉସ୍ କଲୋନିସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ, ଯଦୁପୁରସ୍ଥିତ ସୟଦ୍ ମମତାଜ୍ ଅଲ୍ଲି ସରକାରୀ ହାଇସ୍କୁଲକୁ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି।
ଏହାବ୍ୟତୀତ ଚିନ୍ତମଣିଶ୍ବର ଓ ୟୁନିଟ୍-୬ ସରକାରୀ ବିଦ୍ୟାଳୟ, ୟୁନିଟ୍-୧ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ହରିହର ସରକାରୀ ହାଇସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ ଗୌତମ ନଗର, କପିଳପ୍ରସାଦ ମ୍ୟୁନିସିପାଲଟି ହାଇସ୍କୁଲ, କପିଳେଶ୍ବର ସରକାରୀ ହାଇସ୍କୁଲ, ସାମନ୍ତରାପୁରସ୍ଥିତ ମା ଭୂଆଶୁଣି ସରକାରୀ ହାଇସ୍କୁଲ, ଖଣ୍ଡଗିରି ତପୋବନ ହାଇସ୍କୁଲ, ସରକାରୀ ହାଇସ୍କୁଲ ପାତ୍ରପଡ଼ା ଭଗବାନପୁର ଆଦି ରହିଛି। ଭୁବନେଶ୍ବର ବ୍ଲକର ଦାରୁଠେଙ୍ଗ ସରକାରୀ ହାଇସ୍କୁଲ, ନଁପୁଟସ୍ଥିତ ନୀଳକଣ୍ଠ ସରକାରୀ ହାଇସ୍କୁଲ, କଲ୍ୟାଣପୁର ଶାସନଠାରେ ଥିବା ନୃସିଂହନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ଲିଙ୍ଗିପୁରସ୍ଥିତ ଜେମାଦେବୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ହୋଇଥିବା ସୂଚନା ମିଳିଛି।