ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା କାହିଁ କେତେ ରୂପରେ ବିଭିନ୍ନ ସଂଗ୍ରହାଳୟରେ ମହଜୁଦ ରହିଛି। ଉନବିଂଶ ଶତାବ୍ଦୀରେ କାନ୍ଭାସରେ ଚିତ୍ରିତ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ବିଶ୍ବର ଶୀର୍ଷସ୍ତରର ସଂଗ୍ରହାଳୟ ତଥା ଲଣ୍ଡରନ ଭିକ୍ଟୋରିଆ ଓ ଆଲବର୍ଟ ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯାଇଛି। ଅଥଚ ରାଜଧାନୀର ରାଜ୍ୟ ସଂଗ୍ରହାଳୟରେ ମହଜୁଦ ଥିବା ୧୩୦୦ ଖ୍ରୀଷ୍ଟାବ୍ଦର ରଥଯାତ୍ରା ସ୍ଥାପତ୍ୟ ଖୋଲାମେଲାରେ ଅବେହଳିତ ଅବସ୍ଥାରେ ପଡ଼ିରହିଛି। ରଥଯାତ୍ରା ବେଳେ ଏହି ଐତିହ୍ୟକୁ ଏଭଳି ହତାଦାରର ଚିତ୍ର ସାମ୍ନାକୁ ଆସିବା ପରେ ଏନେଇ ଇନ୍ଟାକ୍ ଓଡ଼ିଶା ଚାପ୍ଟରର ପ୍ରକଳ୍ପ ସାହାୟକ ଦୀପକ ନାୟକ ପ୍ରଶ୍ନ ଉଠାଇଛନ୍ତି। ବାହାର ଦେଶରେ ରଥଯାତ୍ରାର ଏକ ଚିତ୍ରକୁ ବିଶ୍ବର ବଡ଼ ସଂଗ୍ରହାଳୟରେ ଏତେ ଆଦର ମିଳୁଥିବା ବେଳେ ୭୦୦ ବର୍ଷ ତଳର ରଥଯାତ୍ରା ସ୍ଥାପତ୍ୟକୁ କାହିଁକି ହତାଦାର କରାଯାଉଛି ବୋଲି ସେ ପ୍ରଶ୍ନ କରିବା ସହ ଏହାକୁ ରାଜ୍ୟ ସଂଗ୍ରହାଳୟ କକ୍ଷକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସଂଗ୍ରହାଳୟକୁ ଚିଠି ଲେଖିଛନ୍ତି।
ସେହିଭଳି ୧୮୧୮ ମସିହାରେ ରଥଯାତ୍ରା ଓ ଶ୍ରୀମନ୍ଦିରକୁ ନେଇ ଅଙ୍କିତ ଚିତ୍ର ମଧ୍ୟ ବ୍ରିଟିଶ୍ ଲାଇବ୍ରେରିରେ ସ୍ଥାନ ପାଉଛି। ମାତ୍ର ରାଜ୍ୟର ପ୍ରମୁଖ ସଂଗ୍ରହାଳୟରେ ଏହାକୁ ସଂଗ୍ରହାଳୟ ବାହାରେ ରଖାଯାଇଛି। ରଥଯାତ୍ରା କେବଳ ପୁରୀର ବାସିନ୍ଦାମାନଙ୍କ ଭାବାବେଗ ସହ ଜଡ଼ିତ ନୁହେଁ ବରଂ ସମଗ୍ର ବିଶ୍ବ ରଥଯାତ୍ରା ଦେଖିବା ପାଇଁ ବ୍ୟାକୁଳ। ପ୍ରତିବର୍ଷ ଲକ୍ଷଲକ୍ଷ ଭକ୍ତ ସୁଅ ଭଳି ଶ୍ରୀକ୍ଷେତ୍ରକୁ ମାଡ଼ି ଆସିଥାନ୍ତି। ତେଣୁ ଏହାକୁ ଉପଯୁକ୍ତ ଯତ୍ନ ନେବା ସହ ସଂଗ୍ରହାଳୟ ମଧ୍ୟରେ ସ୍ଥାନିତ କରାଯିବା ଉଚିତ୍। ଏଥିସହ ଏହି ସ୍ଥାପତ୍ୟ ସମ୍ପର୍କରେ ଯଥେଷ୍ଟ ସୂଚନା ସହ ଏହାକୁ ରଖାଗଲେ ସଂସ୍କୃତି ପ୍ରେମୀମାନଙ୍କ ପାଇଁ ଏହା ଆକର୍ଷଣ ସାଜିବ।
ଶ୍ରୀ ନାୟକ କହିଛନ୍ତି, ପ୍ରାଚୀନ ସ୍ଥାପତ୍ୟ ଆମ ଗୌରବମୟ ଇତିହାସର ମୁକସାକ୍ଷୀ। ଏହା ପରପିଢ଼ିକୁ ଆମ ସମୃଦ୍ଧ ସଂସ୍କୃତି ସମ୍ବନ୍ଧରେ ସଚେତନ କରାଇଦିଏ। ତେଣୁ ଏହାର ଗୁରୁତ୍ବକୁ ଉପଲବ୍ଧି କରିବା ଉଚିତ୍। ଏନେଇ ସେ ରାଜ୍ୟ ସଂଗ୍ରହାଳୟର କ୍ୟୁରେଟରଙ୍କୁ ଅବଗତ ଚିଠି ଲେଖି ଅବଗତ କରାଇଥିବା କହିଛନ୍ତି। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର ଭାବେ ଦାୟିତ୍ବ ତୁଲାଇଥିବା ସ୍ବର୍ଗତ ରମେଶ ପ୍ରସାଦ ମହାପାତ୍ର ତାଙ୍କ ରଚିତ ପୁସ୍ତକ ‘ଆର୍କିଓଲୋଜି ଇନ୍ ଓଡ଼ିଶା’’(ସାଇଟ୍ସ ଆଣ୍ଡ ମନୁମେଣ୍ଟ୍ସ) ଭଲ୍ୟୁମ-୨ର ୮୯-୯୦ ପୃଷ୍ଠାରେ ଏହି ସ୍ଥାପତ୍ୟ ସମ୍ପର୍କରେ ଚିତ୍ର ସହ ଉଲ୍ଲେଖ କରିଛନ୍ତି। ସଂପ୍ରତି ଅବହେଳିତ ଭାବେ ପଡ଼ିଥିବା ରଥଯାତ୍ରା ଖୋଦେଇ ସ୍ଥାପତ୍ୟ ଯାଜପୁର ତେଲିଗଡ଼ରୁ ରାଜ୍ୟ ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ବ ଗଙ୍ଗ ରାଜତ୍ବ ସମୟରେ ତେଲିଗଡ଼ ଏକ ଦୁର୍ଗ ଥିବା ବେଳେ ସେଇଠାରୁ ଏହାକୁ ଉଦ୍ଧାର କରାଯାଇ ସଂରକ୍ଷଣ କରିବା ପାଇଁ ରାଜ୍ୟ ସଂଗ୍ରହାଳୟକୁ ଅଣାଯାଇଥିଲା।
ରଥାରୂଢ଼ ଦେବତାଙ୍କ ରଥ ଦଉଡ଼ି ଧରି କିଛି ଭକ୍ତ ରଥ ଟାଣୁଥିବାର ସ୍ଥାପତ୍ୟ ନକହି ବି ଅନେକ କିଛି ବୟାନ କରିଦେଉଛି। ଐତିହ୍ୟକୁ ସୁରକ୍ଷିତ ରଖିବା ଲାଗି ସଂରକ୍ଷଣର ଆବଶ୍ୟକତା ଗୁରୁତ୍ବପୂର୍ଣ୍ଣ। ନଚେତ ଗୁରୁତ୍ବ ଅଭାବରୁ ଏହା ଆଜି ସଂଗ୍ରହାଳୟ ବାହାରେ ପଡ଼ିଥିଲେ ହେଁ କୌଣସି ନିର୍ମାଣ କାମ ବେଳେ ହୁଏତ ଏହାକୁ ବି କେତେବେଳେ ସ୍ଥାନାନ୍ତର କରିଦିଆଯିବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଅନ୍ତତଃ ଯେଉଁ ସ୍ଥାପତ୍ୟ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନିହିତ ସେଗୁଡ଼ିକୁ ସଂରକ୍ଷଣ ସହ ଉପଯୁକ୍ତ ଯତ୍ନ ସହ ସାଇତି ରଖିବା ଆବଶ୍ୟକ ବୋଲି ଶ୍ରୀ ନାୟକ କହିଛନ୍ତି।