କେନ୍ଦୁଝର, (ସୁବ୍ରତ ସ୍ବାଇଁ): ଗଙ୍ଗା ନଦୀର ସଫେଇ ପାଇଁ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯମୁନା ନଦୀକୁ ପରି‌ଷ୍କାର ପରିଚ୍ଛନ୍ନ ପାଇଁ ବି ଏକାଧିକ ଯୋଜନା ହାତକୁ ନିଆଯାଇଛି। କିନ୍ତୁ ଯେଉଁ ନଦୀର ଜଳ ବ୍ୟବହାର ଯୋଗ୍ୟ ଅଛି ସେଥିରେ ସହରସାରାର ବର୍ଜ୍ୟ ପକାଇ ଅପମୃତ୍ୟୁ ପାଇଁ ଅପେକ୍ଷା କରାଯାଉଛି। କେନ୍ଦୁଝର ଜିଲ୍ଲାର ଅରଡ଼େଇ ନଦୀ ଏହାର ଅନ୍ୟତମ ଉଦାହରଣ।

Advertisment

କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ପରେ ଅନ୍ୟତମ ପ୍ରମୁଖ ନଦୀ ହେଉଛି ଅରଡ଼େଇ। ଏହି ନଦୀ ବାଂଶପାଳ ବ୍ଲକର ବାରହାରାଶି ପାହାଡ଼ରୁ ବାହାରି କେନ୍ଦୁଝର, ଝୁମ୍ପୁରା ବ୍ଲକ୍‌ ଅତିକ୍ରମ କରି ଚମ୍ପୁଆ ବ୍ଲକ୍‌ର ସରେଇଠାରେ ବୈତରଣୀରେ ମିଶିଛି। ଅରଡ଼େଇ ନଦୀର ଜଳ ଉପରମୁଣ୍ଡରେ ଚାଷଜମିକୁ ଜଳସେଚନ ସାଙ୍ଗକୁ ନଈକୂଳିଆ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ସହାୟକ ହେଉଛି। ତେବେ କେନ୍ଦୁଝର ସହରର ଆବର୍ଜନା ଏବଂ ଡ୍ରେନର ଅପରିଷ୍କାର ପାଣି ନଦୀରେ ମିଶିବା ଏହା ପୋତି ହେବା ସହିତ ଜଳ ବିଷାକ୍ତ ହେବାରେ ଲାଗିଛି।

publive-image
କେନ୍ଦୁଝର ସହର ଦେଇ ଯାଇଥିବା ଏହି ନଦୀ କୂଳରେ ଗୋବିନ୍ଦପୁର, ଚକ, ମଣ୍ଡୁଆ, କାଶିପୁର ଭଳି ଏକାଧିକ ଗାଁ ରହିଛି। କେନ୍ଦୁଝର ସହରର ଡ୍ରେନ ପାଣି, ପାଇଖାନା ଆବର୍ଜନା ସହିତ ସହରର ଅନ୍ୟ ବର୍ଜ୍ୟବସ୍ତୁ ସିଧା ସଳଖ ଯାଇ ଡ୍ରେନ ଯୋଗେ ଏହି ଅରଡେଇ ନଦୀରେ ମିଶୁଥିବାରୁ ନଈକୂଳିଆ ଲୋକେ ପ୍ରଭାବିତ ହେଉଛନ୍ତି। ଅରଡ଼େଇ ନଦୀରେ ସହରର ଆବର୍ଜନା ମିଶିବା ରୋକିବା ପାଇଁ କେନ୍ଦୁଝର ନାଗରିକ ମଞ୍ଚ ପକ୍ଷରୁ ୨୦୧୭ ଅକ୍ଟୋବରରେ ସ୍ଥାୟୀ ଲୋକ ଅଦାଲତରେ ଅଭିଯୋଗ ପରେ ତନାଘନା ହୋଇଥିଲା। ନାଗରିକ ମଞ୍ଚ ପକ୍ଷରୁ ଦର୍ଶାଯାଇଥିଲା ଯେ, କେନ୍ଦୁଝର ସହରର ଭୌଗୋଳିକ ସ୍ଥିତି ଅନୁସାରେ ସହରର ପଶ୍ଚିମ ଦିଗରେ ପାହାଡ଼ ଥିବା ବେଳେ ପୂର୍ବ ଦିଗରେ ନଦୀ ଅବସ୍ଥିତ। ଏହାକୁ ଲକ୍ଷ୍ୟ କରି ସହରରେ ଡ୍ରେନ ନିର୍ମାଣ କରାଯିବା କଥା। ଏହା ହୋଇଥିଲେ ସହରର ବର୍ଷା ଜଳ ସ୍ବାଭାବିକ ଭାବେ ପହାଡିଆ ଅଂଚଳରୁ ଡ୍ରେନ ଯୋଗ ଖସି ଯିବାରେ କୌଣସି ସମାସ୍ୟା ନ ଥାନ୍ତା। ମାତ୍ର ଏଭଳି ଭୌଗୋଳିକ ସ୍ଥିତିକୁ ନଜର ନ ଦେଇ ଉତ୍ତର-ଦକ୍ଷିଣ ଦିଗ ଅନୁସାରେ ସହରର ଡ୍ରେନ ନିର୍ମାଣ କରାଯାଇଥିଲା। ଅପରପକ୍ଷରେ ସହରରେ ଯେଉଁ ଡ୍ରେନ କରାଯାଇଛି,  ସେଥିରେ ଆବର୍ଜନା ପାଣି ଯାଇ ଅରଡ଼େଇ ନଦୀରେ ମିଶୁଛି। ଏଥିରେ ପ୍ଲାଷ୍ଟିକ ଆବର୍ଜନାଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ରସାୟନିକ ଆବର୍ଜନା ଏବଂ ପାଇଖାନା ଆବର୍ଜନା ମଧ୍ୟ ସିଧାସଳଖ ଏହି ଡ୍ରେନ ଯୋଗେ ଯାଇ ଅରଡ଼େଇ ନଦୀରେ ମିଶୁଛି। ଏହାଦ୍ବାରା ନଦୀ ଜଳ ସଂପୂର୍ଣ୍ଣ ବିଷାକ୍ତ ହେବା ସହ ଅନେକ ସ୍ଥାନରେ ଆବର୍ଜନା ଜମି ନଦୀ ସଂକୁଚିତ ହେବାରେ ଲାଗିଛି।

publive-image youtube.com

ଅରଡ଼େଇକୁ ପ୍ରଦୂଷଣ ମୁକ୍ତ ପାଇଁ ସ୍ଥାୟୀ ଲୋକ ଅଦାଲତ ପୌର ପ୍ରଶାସନକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ସହ ଆବର୍ଜନା ନଦୀରେ ନଛାଡିବା ପାଇଁ କହିଥିଲେ। ହେଲେ ଏହି ନିର୍ଦ୍ଦେଶକୁ ପ୍ରଶାସନ ଅଣଦେଖା କରିଥିଲା। ସ୍ଥାୟୀ ଲୋକ ଅଦାଲତର ନିର୍ଦ୍ଦେଶ ପ୍ରଶାସନ ନମାନିବାରୁ ସିଭିଲ କୋର୍ଟରେ ମଧ୍ୟ ମାମଲା ନଂ-୧୩୬/୨୦୧୯ ରୁଜୁ ହୋଇଥିଲା। କିନ୍ତୁ କୌଣସି ସୁଫଳ ମିଳୁନି।

ଉପରମୁଣ୍ଡରେ ପୋଡ଼ୁ ଚାଷ ପାଇଁ ଜଙ୍ଗଲ ନଷ୍ଟ ହେଉଛି। ଜଳବାୟୁ ପରିବର୍ତ୍ତନ କାରଣରୁ କମ୍ ବର୍ଷା ହେଉଛି। ଅଧିକାଂଶ ସମୟ ଅରଡେଇ ଶୁଖିଲା ପଡୁଛି। ଏଭଳି ସ୍ଥଳେ ଯେଉଁ କିଛି ସ୍ଥାନରେ ଏହାର ଜଳ ସ୍ରୋତ ସ୍ବାଭାବିକ ରହିଛି, ସେଥିରେ ଆବର୍ଜନା ମିଶୁଛି। ଏଭଳି ସ୍ଥିତି ହୋଇଛି ଯେ, ସତେ ଯେମିତି ଅରଡ଼େଇକୁ ମାରିବାକୁ ଚକ୍ରାନ୍ତ ଚାଲିଛି।