‌କୋଭିଡ୍ କଟକଣାରେ ଆରମ୍ଭ ହେଲା ବିଧାନସଭା: ବିଶ୍ବବିଦ୍ୟାଳୟ ବିଲ୍‌କୁ ନେଇ ଝଡ଼

ବିଲ୍‌ ଚିରିଲେ ତାରା, ଗର୍ଜନ କଲେ ବିରୋଧୀ

ଭୁବନେଶ୍ବର: ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ଗୃହ ସରଗରମ। ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ଆଗତ ବେଳେ ଗୃହରେ ବିରୋଧୀ ଗର୍ଜନ ତର୍ଜନ କରିଛନ୍ତି। ଅଭିଯୋଗ କରିଛନ୍ତି, ଏହା ଏକ କଳା ବିଲ୍‌। ଉଦ୍ଦେଶ୍ୟମୂଳକ ଭାବେ ସରକାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ସବୁ କ୍ଷମତା ଆଣି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ବିଶ୍ବବିଦ୍ୟାଳୟର ଶୈକ୍ଷିକ ଓ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ କରିବା କ୍ଷମତା ରାଜ୍ୟର ନାହିଁ। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଏହା କେନ୍ଦ୍ରର ବିଷୟ। ତେଣୁ ଏହାକୁ ସଂଶୋଧନ କରିବା କ୍ଷମତା ବିଧାନସଭାର ନାହିଁ। ଏହି ବିଲ୍‌ ସହିତ କରୋନା ମହାମାରୀର କୌଣସି ସମ୍ପର୍କ ନାହିଁ। କଣ ପାଇଁ ତରବରିଆ ଭାବେ ସରକାର ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଅଧିକ ତର୍ଜମା ପାଇଁ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦାବି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ବିଲ୍‌କୁ ଚିରି ଫୋପାଡ଼ି ଦେଇଥିଲେ। ସେପଟେ ଗୃହକୁ ଆଶ୍ବାସନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଏହି ସଂଶୋଧନ ଦ୍ବାରା ବିଶ୍ବବିଦ୍ୟାଳୟର କୌଣସି କ୍ଷମତା ସଂକୁଚିତ ହେବ ନାହିଁ।

ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କଲେ ବିରୋଧୀ ଦଳ ନେତା
ଆଇନ ସଂଶୋଧନ କ୍ଷମତା ବିଧାନସଭାର ନାହିଁ: ନରସିଂହ
ବିଶ୍ବବିଦ୍ୟାଳୟ କ୍ଷମତା ସଂକୁଚିତ ହେବନି: ମନ୍ତ୍ରୀ

ମଙ୍ଗଳବାର ଅପରାହ୍ନ ଅଧିବେଶନରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ ଆଗତ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଡାକିବା ମାତ୍ରେ ସରକାରଙ୍କୁ ପ୍ରବଳ ବିରୋଧର ସାମନାକୁ କରିବାକୁ ପଡ଼ିଥିଲା। ମନ୍ତ୍ରୀ ଶ୍ରୀ ସାହୁ ବିଲ୍‌ ଆଗତ କରିବା ପୂର୍ବରୁ ପ୍ରାୟ ୪୦ ମିନିଟ ଧରି ବିରୋଧୀ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏପରି ବୈଧାନିକ ପ୍ରଶ୍ନ ଉଠାଇଲେ ଯେ ତାକୁ ନେଇ ନା ନିଜେ ମନ୍ତ୍ରୀ କି ଶାସକ ଦଳର କୌଣସି ସଭ୍ୟ କିଛି ବି କହିପାରିନଥିଲେ। ବିଲ୍‌କୁ ବିରୋଧ କରି ପ୍ରଥମେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, କରୋନା ପାଇଁ ସରକାର ବହୁ ଆଇନରେ ଆବଶ୍ୟକତା ଦୃଷ୍ଟିରୁ ସଂଶୋଧନ କରିବାକୁ ଯାଉଛନ୍ତି। ଏଥିପାଇଁ ଅନେକ ଆଇନରେ ପରିବର୍ତ୍ତନ କରି ଅଧ୍ୟାଦେଶ ଜାରି କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ-୨୦୨୦ର କୋଭିଡ ମହାମାରୀ ସହିତ କିଛି ବି ସମ୍ପର୍କ ନାହିଁ। ଏହି ଅଧ୍ୟାଦେଶ ବି କାର୍ଯ୍ୟକାରୀ ହୋଇନି। ଏବେ ବିଲ୍‌ ଆକାରରେ ଆଣି ତରବରିଆ ଭାବେ ପାରିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କାହିଁକି ଓ କଣ ପାଇଁ? କଣ ଏହି ବିଲ୍‌ ଆଇନରେ ପରିଣତ ହୋଇଗଲେ ରାଜ୍ୟରୁ କରୋନା ସଂକ୍ରମଣ ଦୂର ହୋଇଯିବ କି? କଣ ଏମିତି ପୂର୍ବ ଆଇନରେ ଅଶୁଦ୍ଧି ଥିଲା ଯେ ସରକାରଙ୍କ କୋଟି କୋଟି ରାଜସ୍ବ କ୍ଷତି ହୋଇଯାଉଥିଲା। ମୂଳରୁ ହିଁ ସରକାରଙ୍କ ଏହି ସଂଶୋଧନ ପ୍ରସ୍ତାବକୁ କଂଗ୍ରେସ ଦଳ ବିରୋଧୀ କରୁଛି ଓ ଏ ଗୃହର ସବୁ ବିରୋଧୀ ସଦସ୍ୟମାନେ ମଧ୍ୟ ଏଥିରେ ଏକମତ ହେବେ। କାରଣ ଏଥିରେ ଏପରି ବ୍ୟବସ୍ଥା କରାଯାଇଛି ଯାହାକି ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନର ଗରିମା ଓ ସ୍ବାୟତ୍ତତାକୁ ସମ୍ପୂର୍ଣ୍ଣ ଭାବେ କ୍ଷୁଣ୍ଣ କରାଯିବ।

ଶ୍ରୀ ମିଶ୍ର କହିଥିଲେ, ଏ ସମ୍ପର୍କରେ ସରକାର ରାଜ୍ୟବାସୀ ଓ ସମସ୍ତଙ୍କୁ ଅନ୍ଧାରରେ ରଖିଛନ୍ତି। ବାସ୍ତବରେ ବିଶ୍ବବିଦ୍ୟାଳୟ ଆଇନକୁ ସଂଶୋଧନ କରିବା ପାଇଁ ସରକାର ଆଜି ନୁହଁ ପ୍ରଥମେ ୨୦୧୬ରେ ଉଦ୍ୟମ ଆରମ୍ଭ କରିଥିଲେ। ଏହା କେନ୍ଦ୍ର ବିଷୟ ହୋଇଥିବାରୁ ରାଜ୍ୟ ଆଇନ ବିଭାଗ ସରକାରଙ୍କୁ ଅନୁମତି ଦେଇ ନଥିଲା। ଏ କଥା କାଳେ ଧରାପଡ଼ିଯିବ, ସେଥିପାଇଁ ସେ ଫାଇଲକୁ ସରକାର ଚାପିଦେଲେ। ପରେ ୨୦୧୯ ମସିହାରେ ପୁଣି ଥରେ ଗଳାବାଟ ଖୋଜି ଫାଇଲ୍‌ ପ୍ରସ୍ତୁତ ହେଲା। ଯାହାର ରୂପ ଆଜି ଏପରି ବିଲ୍‌ ଆକାରରେ ଦେଖିବାକୁ ମିଳୁଛି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଛାତ୍ରମାନଙ୍କ ସଂସଦ ବା ସିନେଟ୍‌ ଆଉ ରହିବ ନାହିଁ। ସିଣ୍ଡିକେଟ୍‌ରେ ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀ ସଦସ୍ୟ ରହିବେ। କୁଳପତି ଓ ପ୍ରଫେସରମାନଙ୍କ କ୍ଷମତା ସଂକୁଚିତ ହେବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକତା ଅନୁଯାୟୀ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଅଧ୍ୟାପକ ନିଯୁକ୍ତି ମଧ୍ୟ ଚୟନ ସଂସ୍ଥା କରିବେ। ଯାହା ଜଣାପଡ଼ୁଛି ସରକାର ବୌଦ୍ଧିକ ସ୍ତରରେ କୋମାକୁ ଚାଲିଗଲେଣି। ଗୋଟିଏ ଦିନରେ ଏକାଧିକ ବିଲ୍‌ ଆଗତ କରାଗଲା। କିନ୍ତୁ ଏପରି ଏକ ବିବାଦୀୟ ବିଲ୍‌ ଉପରେ ଅଧିକ ଆଲୋଚନା ହେବା ଦରକାର। ଏ ଗୃହକୁ ପ୍ରତ୍ୟେକ ସଦସ୍ୟ ନିର୍ବାଚିତ ହୋଇ ବିଧେୟକ ତିଆରି କରିବା ପାଇଁ ଆସିଛନ୍ତି। ଯାହାକି ସେମାନଙ୍କର ମୌଳିକ ଅଧିକାର। ଅଦୂରଦର୍ଶୀ ଭାବେ ଯେପରି ସରକାର ଏହି ବିଲ୍‌ ଆଣିଛନ୍ତି, ଯଦି ପାରିତ ହୁଏ, ତାହେଲେ ଭବିଷ୍ୟତର ଛାତ୍ରଛାତ୍ରୀ କେବେ ବି କ୍ଷମା ଦେବେନି ବୋଲି ଶ୍ରୀ ମିଶ୍ର ସତର୍କ କରାଇଦେଇଥିଲେ। ଏହାସହିତ ବିଲ୍‌କୁ ଆଗତ କରିବାକୁ ଅନୁମତି ନ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବିଲ୍‌କୁ ବିରୋଧ କରି କହିଥିଲେ, ଅତୀତରେ ଖଣି ବିଲ୍‌ ତରବରିଆ ଭାବେ ଏହି ସରକାର ବିଧାନସଭାରେ ପାରିତ କରିଥିଲେ। ବିରୋଧୀଙ୍କ କଥାକୁ ନ ଶୁଣି ଖଣି ମାଲିକ ଓ ଦଲାଲଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଯେଉଁ ଆଇନ କରିଥିଲେ ତାକୁ ପରେ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଦେଇଥିଲେ। ସରକାର ଏବେ ଏହି ବିଲ୍‌ ଆଣି ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରି କହିଥିଲେ, ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ରୋଗୀ ମରୁଛନ୍ତି। ସାଧାରଣ ରୋଗ ପାଇଁ ମେଡିକାଲ ଗଲେ କୋଭିଡ୍‌ ପରୀକ୍ଷା କରିବା ବାହାନାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳୁନି। ଫଳରେ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛି। ବିଶ୍ବବିଦ୍ୟାଳୟ ଆଇନରେ କୌଣସି ସଂଶୋଧନ କରିବାକୁ ହେଲେ ତାହା କେବଳ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ।

ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ଏହି ସଂଶୋଧନ ଫଳରେ ଛାତ୍ରଛାତ୍ରୀଙ୍କ ନ୍ୟାଯ୍ୟ ଅଧିକାର ସିନେଟ୍‌ ବ୍ୟବସ୍ଥା ଲୋପ ପାଇବ। ସିଣ୍ଡିକେଟ୍‌ ପାଇଁ ନୂଆ ବିଲ୍‌ରେ ଯେଉଁ ବ୍ୟବସ୍ଥା ହୋଇଛି, ତାକୁ ରାଜ୍ୟର କୌଣସି ବି ଶିକ୍ଷାବିତ୍‌ ଗ୍ରହଣ କରିପାରୁନାହାନ୍ତି। ଏହି ବିଲ୍‌ ପାରିତ ହେଲେ ରାଜ୍ୟବାସୀଙ୍କ ପ୍ରତି ବିଶ୍ବାସଘାତକତା କଲାଭଳି ହେବ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଡ଼କୁ ଇଙ୍ଗିତ କରି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଥିଲେ, ନିଜେ ମନ୍ତ୍ରୀ ଦିନେ ବିଶ୍ବବିଦ୍ୟାଳୟର ଛାତ୍ର ନେତା ଥିଲେ। ଛାତ୍ରନେତାରୁ ଆଜି ସେ ରାଜନେତା ହୋଇ ମନ୍ତ୍ରୀ ହୋଇଛନ୍ତି। ସେ ନିଜେ କଣ ଛାତ୍ର ମାନସିକତା ଓ ଅଧିକାରକୁ ବୁଝିପାରୁନାହାନ୍ତି ବୋଲି ତାରା ପ୍ରଶ୍ନ କରିଥିଲେ। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମଧ୍ୟ ବିଲ୍‌କୁ ବିରୋଧ କରି ଗୃହରେ ଗର୍ଜିଥିଲେ। ଶ୍ରୀ ମାଝୀ କହିଥିଲେ, ବିଲ୍ ତିଆରି କରିବା ପାଇଁ ବର୍ଷ ବର୍ଷ ସମୟ ନେଉଛନ୍ତି। ଅନୁମୋଦନ ବେଳେ ୧୫ମିନିଟ୍ ଦିଆଯାଉନାହିଁ। ଇଏ କି ନ୍ୟାୟ? ବିଧାୟକମାନଙ୍କ ମର୍ଯ୍ୟାଦା ଓ ଛାତ୍ରଛାତ୍ରୀଙ୍କ ଅଧିକାର କ୍ଷୁଣ୍ଣ କରୁଛି। ଏଭଳି ବିଲ୍‌କୁ ଆଗତ କରିବା ପାଇଁ ସରକାର କାହିଁକି ତରବର ହେଉଛନ୍ତି। ଏହାକୁ ପ୍ରଥମେ ସିଲେକ୍ଟ କମିଟିକୁ ପଠାଯାଉ। ପରେ ବାଚସ୍ପତି ଶ୍ରୀ ପାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କୁ ବିବୃତି ରଖିବାକୁ କହିଥିଲେ। ମନ୍ତ୍ରୀ କହିଥିଲେ, ବିଲ୍‌କୁ ସବୁ ଦିଗରୁ ବିଚାର କରି ସରକାର ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବୋଧୁହୁ୍‌ଏ ବିଲ୍‌ରେ ଥିବା ବ୍ୟବସ୍ଥାକୁ ଗୃହର ବିରୋଧୀ ସଦସ୍ୟମାନେ ଠିକ୍‌ ଭାବେ ବୁଝିପାରିନାହାନ୍ତି। ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉତଥାପନ କରିଛନ୍ତି ବିଲ୍‌ର ଆଲୋଚନା ବେଳେ ସେସବୁର ଉତ୍ତର ଦିଆଯିବ। ଏହି ସଂଶୋଧନ ଦ୍ବାରା ବିଶ୍ବବିଦ୍ୟାଳୟ କ୍ଷମତା ପରିସର ସଂକୁଚିତ ହେବା ପରିବର୍ତ୍ତେ ଅଧିକ ବୃଦ୍ଧି ପାଇବ। ମନ୍ତ୍ରୀ ଏହା କହିବା ପରେ ବିରୋଧୀ ସଦସ୍ୟମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ହୋହଲ୍ଲା ଓ ପାଟିତୁଣ୍ଡ ଭିତରେ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌-୨୦୨୦ ଗୃହରେ ଉପସ୍ଥାପିତ ହୋଇଥିଲା।

ସମ୍ବନ୍ଧିତ ଖବର