ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିଲାନି। ବିରୋଧୀ ଦଳର ସଦସ୍ୟମାନେ ପୁଣି ସେହି ସମାନ ଦାବି ଦୋହରାଇଥିଲେ। ମାହାଙ୍ଗା ଡବଲ୍ ମର୍ଡର୍ ଘଟଣାରେ ବିଜେପି ସଦସ୍ୟମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ  ବହିଷ୍କାର ଦାବି କଲେ। ଏଣେ କଂଗ୍ରେସ ସଦସ୍ୟମାନେ ଚାଷୀମାନଙ୍କ ପ୍ରସଙ୍ଗ ଉଠାଇଥିଲେ। ମରୁଡ଼ି ପାଇଁ ସରକାର ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ସର୍ବଦଳୀୟ ବୈଠକରେ କହିଥିଲେ। ତଥାପି ସନ୍ତୁଷ୍ଟ ନ ଥିଲେ ବିରୋଧୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଅପରାହ୍ଣ ୪ଟା  ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି।

Advertisment

ଅପରପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମାହାଙ୍ଗା ଡବଲ ମର୍ଡର ଏତଲାରେ ୧୩ ନଂରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। ତା’ଛଡ଼ା ଜେ ଏମ୍ ଏଫ୍ ସି କୋର୍ଟ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାରଣରୁ ସେ ଇସ୍ତଫା ଦେବା ଉଚିତ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ।

ସୂଚନାଯୋଗ୍ୟ, ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ବତୀୟ ଦିନରେ ବି ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ଏହାପରେ ଦିନ ୧୧ଟା ୩୦ ମିନିଟ୍ ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେ ଗୃହକାର୍ଯ୍ୟକୁ ସ୍ବାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡକାଇଥିଲେ। କିନ୍ତୁ ସର୍ବଦଳୀୟ ବୈଠକ ପରେ ପୁଣି ବିଜେପି ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାନ ଜେନାଙ୍କ ଇସ୍ତଫା  ଓ ମରୁଡ଼ି ପ୍ରସଙ୍ଗ ଉଠାଇଥିଲେ।