ସରିଲା ବିଧାନସଭା : ବିତର୍କ କମ୍, ବିବାଦ ବେଶି

ଭୁବନେଶ୍ବର : ଦୁଇ ଦୁଇଟି ଅଭାବନୀୟ ଘଟଣା ଆଜି ଶେଷ ହୋଇଥିବା ବିଧାନସଭାର ବଜେଟ୍ ଅଧିବେଶନରେ କଳଙ୍କିତ ଅଧ୍ୟାୟ ଯୋଡ଼ିଲା। ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ଆତ୍ମହତ୍ୟା ଉଦ୍ୟମ କଲେ। ଆଉ ଶେଷ ଦିନରେ ବିଜେପି ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ। ଆନ୍ଦୋଳିତ କରୁଥିବା ପ୍ରସଙ୍ଗଟି ହେଲା, ଯେଉଁ ଅଧିବେଶନରେ ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପାଇଁ ସ୍ବତନ୍ତ୍ର ଆଲୋଚନା ହେଲା, ସଂକଳ୍ପ ପାରିତ ହେଲା, ସମସ୍ତେ ମହାତ୍ମାଙ୍କ ଅହିଂସା ନୀତିର ଭୁରି ଭୁରି ପ୍ରଶଂସା କରି ପରପିଢ଼ି ପାଇଁ ମାର୍ଗଦର୍ଶନ କଲେ, ସେହି ଅଧିବେଶନରେ କିଛି ବିଧାୟକ ବିଧାନସଭା ଭିତରେ ହିଂସାର ଆଶ୍ରୟ ନେଲେ।

ଏଥିସହିତ ୫ଟି କାର୍ଯ୍ୟଦିବସ ବାକି ଥାଇ ଆଜି ହଠାତ୍ ବିଧାନସଭାର ବଜେଟ୍ ଅଧିବେଶନ ଅତି ବିବାଦୀୟ ପରିସ୍ଥିତିରେ ଶେଷ ହୋଇଛି। ମୁଖ୍ୟ ବିରୋଧୀ ଦଳ ଅର୍ଥାତ୍ ବିଜେପି ବିଧାୟକମାନଙ୍କ ଅନୁପସ୍ଥିତିରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଓ ଏହି ସମୟରେ ମୋଟ ୨୬ଟି ବୈଠକ ବସିଥିବା ଜଣାପଡ଼ିଛି।

ଏହି ଅଧିବେଶନ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଥିଲେ ଓ ବ୍ୟାପକ ତର୍ଜମା ପରେ ତାହା ବିଧାନସଭାର ଅନୁମୋଦନ ଲାଭ କରିଥିଲା। କେବଳ ସେତିକି ନୁହେଁ, ଏହି ଅଧିବେଶନରେ ମୋଟ ୧୦ଟି ବିଲ୍ ଆଗତ ହୋଇଥିଲେ ହେଁ ୯ଟି ବିଲ୍ ପାରିତ ହୋଇଥିଲା।

ପ୍ରକାଶଥାଉକି, ବିଧାନସଭାରେ ଅଭିଜ୍ଞ ଓ ଜ୍ଞାନୀଗୁଣି ସଦସ୍ୟଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ହେଲେ କାହିଁକି କେଜାଣି ବିତର୍କରୁ ଦୂରେଇ ଯାଇ ବିବାଦରେ ଛନ୍ଦି ହୋଇଯାଉଛି ବିଧାନସଭା ଅଧିବେଶନ। ଏମିତି ଯେ ସାଧାରଣ ଲୋକଙ୍କ ସ୍ବାର୍ଥ ସଂପର୍କିତ ଅନେକ ପ୍ରସଙ୍ଗର ଅପମୃତ୍ୟୁ ଘଟୁଛି। ଏଥର ବିଧାନସଭା ବଜେଟ୍ ଅଧିବେଶନ ଏ ଦୃଷ୍ଟିରୁ ଏକ ଉଦାହରଣ ବୋଲି ନିଆଯାଇପାରେ। ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ବିଧାନସଭା ଅଧିବେଶନରେ ବିରୋଧୀ ବେଶ୍ ତମ୍ବିତୋଫାନ କରିଛନ୍ତି। ଗୃହ କାର୍ଯ୍ୟ ଦିନ ଦିନ ଧରି ଅଚଳ ହୋଇପଡ଼ିଥିଲା। ମନ୍ତ୍ରୀ ବିଧାନସଭାରେ ଏକାଧିକବାର ପ୍ରତିଶ୍ରୁତି ଦେଲେ ଯେ ସବୁ ଚାଷୀଙ୍କ ଧାନ ଉଠିବ। ହେଲେ ମାର୍ଚ୍ଚ ୩୧ ତାରିଖ ଦିନ ଯେବେ ଖରିଫ୍ ଧାନ କିଣା ଅବଧି ଶେଷହେଲା, ପଞ୍ଜୀକୃତ ଲକ୍ଷାଧିକ ଚାଷୀ ନିରାଶ ହେଲେ।

ଆହୁରି ଉଦ୍‌ବେଗର ବିଷୟ ହେଲା, ଚାଷୀଙ୍କୁ ଆଢ଼ୁଆଳ କରି ଗଣତନ୍ତ୍ର ମନ୍ଦିରରେ ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଯେଭଳି ଆତ୍ମହତ୍ୟା ଉଦ୍ୟମ କଲେ, ତାହା ଭାରତ ବର୍ଷର ରାଜନୀତି ଇତିହାସରେ ସବୁଦିନ ମନେ ରଖିବା ଭଳି ଗୋଟିଏ ଘଟଣା। ବିଜେଡି ବିଧାୟକମାନେ ଏହି ପ୍ରସଙ୍ଗକୁ ଧରି ଗୃହକୁ ଅଚଳ କଲେ, କାର୍ଯ୍ୟାନୁଷ୍ଠାନ ଦାବି କଲେ। ଏତେ ବଡ଼ ଘଟଣା ପାଇଁ ସ୍ବତନ୍ତ୍ର ସ୍ବାଧିକାର କମିଟି ଗଠନ ହେଲା। କିନ୍ତୁ ଏକାଧିକ ଦିନ ବିଧାନସଭାର କାର୍ଯ୍ୟଦିବସ ବାଏଁ ବାଏଁ ଉଡ଼ିଗଲା। ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କାର ଟିକସ ଅର୍ଥକୁ ଫୁ କରି ସମସ୍ତେ ଉଡ଼ାଇଦେଲେ, ଓଡ଼ିଶା ମୁକସାକ୍ଷୀ ରହିଲା।

କେବଳ ସେତିକି ନୁହେଁ, ବିଧାନସଭାର ଶେଷ ଦିନରେ ଖୋଦ୍‌ ବାଚସ୍ପତିଙ୍କ ଉପରକୁ ଜୋତା ମାଡ଼ ଘଟଣା କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ଓଡ଼ିଶାରେ ଗଣତନ୍ତ୍ର ସୁସ୍ଥ ବା ସୁରକ୍ଷିତ ଅବସ୍ଥାରେ ନାହିଁ। ଏହି ଘଟଣାରେ ତିନିଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ହେଲେ କେଉଁ ପରିସ୍ଥିତିରେ ବିଧାୟକମାନେ ଏଭଳି କାଣ୍ଡ ଭିଆଇଲେ, ଇ-ବିଧାନସଭା କରି ନିଜକୁ ଆଗୁଆ ବୋଲି ଦାବି କରୁଥିବା ଓଡ଼ିଶା ବିଧାନସଭା ବାରମ୍ବାର କାହିଁକି ଭୁଲ ପ୍ରସଙ୍ଗ ପାଇଁ ଚର୍ଚ୍ଚାକୁ ଆସୁଛି, ତାହା ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆଚମ୍ବିତ କଲାଣି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ବିଧାନସଭାରେ ଏକ ପ୍ରସଙ୍ଗ ହେଲା। ଏହି ପ୍ରସଙ୍ଗକୁ ଆୟୁଧ କରି ବିଜେପି ବିଧାୟକମାନେ ନବୀନ ନିବାସ ପର୍ଯ୍ୟନ୍ତ ଯାଇ ତାଙ୍କ ଘରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ। କିନ୍ତୁ ଠିକ୍ ତା’ ପରଦିନ ବିରୋଧୀ ଦଳ ନବୀନଙ୍କ ସହିତ ନବୀନ ନିବାସରେ ଆଲୋଚନାକୁ ନିଜେ ଭୁଲ୍ ବୋଲି କହିବାକୁ ପଛାଇଲେ ନାହିଁ। ନବୀନ ନିବାସ ସାମ୍ନାରେ ଧାରଣାରତ ବିଧାୟକମାନଙ୍କ ନିକଟକୁ ନିଜେ ମୁଖ୍ୟମନ୍ତ୍ରୀ ଆସି ତାଙ୍କୁ ଭିତରକୁ ଆମନ୍ତ୍ରଣ କରିବା ରାଜନୈତିକ ଦୃଷ୍ଟିକୋଣରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା। ନବୀନ ରାଜନୀତିର ଗୋଟିଏ ଉଚ୍ଚତର ସୋପାନ ସଂପର୍କରେ ନିଜେ ଉଦାହରଣ ରଖିଲେ। କିନ୍ତୁ ଏହାଦ୍ବାରା ଓଡ଼ିଶାର ଅନ୍ୟ ସମସ୍ତଙ୍କ ପାଇଁ ଯେଉଁ ଆହ୍ବାନ ସୃଷ୍ଟି ହେଲା, ତାହା ହେଉଛି ଯଦି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ କଥା ଶୁଣିବା ପାଇଁ ନିଜେ ନବୀନ ନିବାସ ବାହାରକୁ ଆସିପାରନ୍ତି, ତେବେ ତାଙ୍କ ପ୍ରଶାସନର ଅନ୍ୟମାନେ ଆସିବେନି କାହିଁକି?

ସେହିଭଳି ଆଉ ଗୋଟିଏ ଭଲ ସଙ୍କେତ ଏହି ଅଧିବେଶନରୁ ମିଳିଛି। ତାହା ହେଲା, ବିଧାନସଭାର ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଯେଉଁଭଳି ବାରମ୍ବାର ସର୍ବଦଳୀୟ ବୈଠକ ଡାକିଛନ୍ତି, ତାହା ବି ସୁସ୍ଥ ଗଣତନ୍ତ୍ରର ଏକ ଭଲ ଲକ୍ଷଣ ବୋଲି କୁହାଯାଇପାରେ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହୋଇଥିଲା। ପରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଥିଲେ। ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିତର୍କ ହୋଇଛି। ବିଭିନ୍ନ ସମୟରେ ବାଚସ୍ପତିଙ୍କ ନିର୍ଦେଶରେ ୯ଜଣ ମନ୍ତ୍ରୀ ବିବୃତି ରଖିଥିଲେ। ୩ଟି ସଂକଳ୍ପ ଗୃହ ସାମ୍ନାକୁ ଆସି ଅନୁମୋଦନ ଲାଭ କରିଥିଲା। ମାତ୍ର ୮ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା ଏବଂ ୬ଟି ବାର୍ଷିକ ରିପୋର୍ଟ ଓ ୪୪ଟି କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଆଜି ଅଧିବେଶନ ଶେଷରେ କହିଥିଲେ, କରୋନା ମହାମାରୀ ପୁଣି ଥରେ କାୟାବିସ୍ତାର କରିଛି। ଗୃହରେ ଆଉ ବିଶେଷ କିଛି କାର୍ଯ୍ୟ ନାହିଁ। ଏଣୁ ବଜେଟ୍ ଅଧିବେଶନରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ ହୋଇଛି, ଯାହାକି ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ। ଏହାସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗଣତନ୍ତ୍ରରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ରହିଛି। ଏହାର ଅର୍ଥ ନୁହେଁ, ଆମେ ଆମର ମର୍ଯ୍ୟାଦା ଭୁଲିଯିବା। ପ୍ରତିବାଦ କରିବା ବେଳେ ପରସ୍ପର ମଧ୍ୟରେ ବାକ୍ୟ ବିନିମୟ ହୋଇପାରେ। ଏହାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍। ଆମେ ସମସ୍ତେ ନିର୍ବାଚିତ ହୋଇ ଆସିଛୁ, ଲୋକଙ୍କର ସମସ୍ୟା ଗୃହ ସାମ୍ନାକୁ ଆଣିବା ପାଇଁ। ସେହିଭଳି ସଦସ୍ୟଙ୍କ ଭିତରେ ଆଦର୍ଶଗତ ବିରୋଧାଭାସ ଥାଇପାରେ। କିନ୍ତୁ ଗୃହ ବାହାରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ଦରକାର। ଏହା ସତ୍ତ୍ବେ ବାଚସ୍ପତି ଯେଉଁଭଳି ଅସ୍ବାଭାବିକ ପରିସ୍ଥିତି ସାମ୍ନା କରି ଗୃହ ପରିଚାଳନା କଲେ, ସେଥିପାଇଁ ଧନ୍ୟବାଦର ପାତ୍ର। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ଏହି ଅଧିବେଶନ ଗୁରୁତ୍ବପୂର୍ଣ୍ଣ ଥିଲା। ସମସ୍ତଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର