ଭୁବନେଶ୍ବର: ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ତଥା ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଶୀତ ଅଧିବେଶନ ନଭେମ୍ବର ୨୧ରୁ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ (ମୋଟ୍ ୩୦ଟି କାର୍ଯ୍ୟ ଦିବସ) ଚାଲିବାକୁ ଥିଲେ ହେଁ ମାତ୍ର ୪ଦିନରେ ସରିଯାଇଛି। ଗୃହରେ କୌଣସି ସରକାରୀ କାର୍ଯ୍ୟ ନାହିଁ କି ଅଧିକ ପ୍ରସଙ୍ଗରେ ଆଲୋଚନାର ହେବାର ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଥିଲେ। ଏହାକୁ ଶାସକ ଦଳ ବିଧାୟକ ଶଶୀଭୂଷଣ ବେହେରା ଓ ଭୂପିନ୍ଦର ସିଂହ ସମର୍ଥନ କରିବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ହେଲେ ବିରୋଧୀଙ୍କ ସହ ଆଲୋଚନା ନକରି ଆଗୁଆ ଗୃହକୁ ମୁଲତବୀ କରିବାକୁ ପ୍ରସ୍ତାବ ଅାସିବାରୁ ଉଭୟ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରି ଗୃହ ତ୍ୟାଗ କରିଥିଲେ।
ଚଳିତ ଅଧିବେଶନର ପ୍ରଥମ ଦିନରେ (ମଙ୍ଗଳବାର) ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ନିର୍ବାଚନ ହେବା ପରେ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହାପରେ ଗୃହ ବୁଧବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା। ଦ୍ୱିତୀୟ ଦିନରେ (ବୁଧବାର) ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ନେଇ କ୍ୟାବିନେଟ୍ରେ ହୋଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଏବଂ ପେସା ଆଇନ୍ ଲାଗୁ କରିବା ଦାବିରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଦିନତମାମ ହଟ୍ଟଗୋଳ ଜାରି ରଖିଥିଲେ। ଫଳରେ ଗୃହ ଚାଲିପାରିନଥିଲା। ତୃତୀୟ ଦିନ (ଗୁରୁବାର) ପ୍ରଥମାର୍ଦ୍ଧରେ ପୂର୍ବ ଦିନର ଦାବିକୁ ନେଇ ହୋହଲ୍ଲା କରିବାରୁ ଗୃହ କାର୍ଯ୍ୟ ଚାଲିପାରି ନଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଗୃହରେ ବିରୋଧୀ ସଦସ୍ୟମାନେ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ତୁରନ୍ତ କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଓଡ଼ିଶା ଭୂସଂସ୍କାର ସଂଶୋଧନ ବିଲ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆଜି (ଶୁକ୍ରବାର) ପୂର୍ବାହ୍ନରେ ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସ୍ୱାଭାବିକ ଚାଲିଥିଲା। ବିଜେପି ଦେଇଥିବା ମୁଲତବୀ ପ୍ରସ୍ତାବ ‘ସରକାର ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟରେ ଆଦିବାସୀମାନେ ସର୍ବହରା ହୋଇଯିବେ’ ଶୀର୍ଷକ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ୍ ନଭେମ୍ବର ୧୪ତାରିଖରେ ନେଇଥିବା ନିଷ୍ପତ୍ତିକୁ ସଂଶୋଧନ କରାଯିବା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟା ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମୋହନ ଚରଣ ମାଝୀ (ବେସରକାରୀ ସଭ୍ୟ ହିସାବରେ) ତିନିଟି ବିଲ୍ ଯଥା ଭାରତୀୟ ଦଣ୍ଡ ସଂହିତା (ଓଡ଼ିଶା ସଂଶୋଧନ) ବିଲ୍, ୨୦୨୩, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି (ସଂଶୋଧନ) ବିଲ୍, ୨୦୨୩, ଓଡ଼ିଶା ବାହ୍ୟ ସୂତ୍ରରୁ ନିଯୁକ୍ତ କର୍ମଚାରୀଙ୍କ ସେବା (ନିଯୁକ୍ତିର ନିୟମିତକରଣ) ବିଲ୍, ୨୦୨୩ ପ୍ରସ୍ଥାପନ କରିଥିଲେ। ସେହିପରି ମୁକେଶ ମହାଲିଙ୍ଗ (ବେସରକାରୀ ସଭ୍ୟ ହିସାବରେ) ଦୁଇଟି ବିଲ୍ ଯଥା ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍, ୨୦୨୩ ଏବଂ ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ବିଲ୍, ୨୦୨୩କୁ ପ୍ରସ୍ଥାପନ କରିଥିଲେ।
୨୬ଟି କାର୍ଯ୍ୟଦିବସ ବାକି ଥିଲା
ଅସନ୍ତୁଷ୍ଟ ବିରୋଧୀଙ୍କ କକ୍ଷତ୍ୟାଗ
ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
୩୪ଦିନ ଚାଲିଲା ବିଧାନସଭା
ଏହାପରେ ଶ୍ରୀ ମହାଲିଙ୍ଗ ୨୪.୦୨.୨୦୨୧ରେ ଗୃହରେ ଆଣିଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ସଂଶୋଧନ) ବିଲ୍, ୨୦୨୦କୁ ବିଚାରକୁ ନିଆଯାଉ ବୋଲି ଆଗତ କରି ବିଲ୍ରେ କ’ଣ ସଂଶୋଧନ ହେବା ଦରକାର ତାହା ଉପରେ ଯୁକ୍ତି ବାଢ଼ିଥିଲେ। ସେହିପରି ଏଥିରେ ବିଧାୟକ ଭୂପିନ୍ଦର ସିଂହ ଭାଗ ନେଇଥିଲେ।
ଚଳିତ ଅଧିବେଶନ ୪ଦିନ ବସିଥିବାବେଳେ ୩ଟି ସରକାରୀ କାର୍ଯ୍ୟ ଦିବସ ଥିଲା। ଗୋଟିଏ ମୁଲତବୀ ପ୍ରସ୍ତାବ ଆସିଥିବାବେଳେ ଏହା ଉପରେ ଆଲୋଚନା ହୋଇଥିଲା। ୫୪ଟି ରିପୋର୍ଟ ଉପସ୍ଥାପନ/ପୁନଃସ୍ଥାପନ ହୋଇଥିବାେବଳେ ୧୭ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଗୋଟିଏ ଅଫିସିଆଲ୍ ବିଲ୍ ଆଗତ ହୋଇଥିବାବେଳେ ଏହା ପାରିତ ହୋଇଥିଲା। ଗୋଟିଏ କମିଟି ରିପୋର୍ଟ, ୫ଟି ବେସରକାରୀ ସଭ୍ୟ ବିଲ୍ ଉପସ୍ଥାପିତ ହୋଇଥିଲା। ଗୋଟିଏ ବେସରକାରୀ ସଭ୍ୟ ବିଲ୍ ଆଲୋଚନା ହୋଇଥିବାବେଳେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ବାରା ଦୁଇଟି ସଂକଳ୍ପ ଉପରେ ଅାଲୋଚନା ହୋଇଥିଲା। ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ପରେ ଏହାକୁ ସେ ପ୍ରତ୍ୟାହାର କରିନେଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ ଚଳିତ କ୍ୟାଲେଣ୍ଡର ବର୍ଷରେ ଗୃହ ୬୦ଦିନ ଚାଲିବାର ଥିଲେ ହେଁ ମାତ୍ର ୩୪ଦିନ ଚାଲିଛି। ବଜେଟ୍ ଅଧିବେଶନ ଫେବ୍ରୁଆରି ୨୧ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ମୋଟ ୨୭ଦିନ ଚାଲିବ ବୋଲି ସ୍ଥିର ହୋଇଥିଲା। ହେଲେ ୨୩ଦିନ ଚାଲିଥିଲା। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ମୋଟ ୮ଦିନ ବସିବାର ଥିଲା। କିନ୍ତୁ ୭ଦିନ ଚାଲିଥିଲା। ଏବେ ଶୀତ ଅଧିବେଶନ ୩୦ଦିନ ବସିବାର ଥିଲେ ହେଁ ୪ଦିନରେ ଶେଷ ହୋଇଯାଇଛି।