ଦିନକୁ ୬ଘଣ୍ଟା ଚାଲିବ ବିଧାନସଭା, କୋଭିଡ କଟକଣାରେ ଚାଲିବ ଗୃହ କାର୍ଯ୍ୟ

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି
ବାଚସ୍ପତି କହିଲେ ସୁରୁଖୁରୁରେ ଗୃହ ଚାଲିବ, ସହମତି ହୋଇଛି

ଭୁବନେଶ୍ବର : ଆସନ୍ତା ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ‌ବୈଠକ ବସିଛି। ଗୃହ କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ ସେନେଇ ନୂଆ ବାଚସ୍ପତି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଏହାସହ ମୌସୁମୀ ଅଧିବେଶନ ନେଇ ସମୟ ସୂଚୀ ଧାର୍ଯ୍ୟ ହୋଇଛି।

ଚଳିତ ଅଧିବେଶନର କାର୍ଯ୍ୟ ସମୟ ଘଣ୍ଟାଏ ବଢ଼ିବ। କରେନା ଯୋଗୁଁ ପୂର୍ବ ଅଧିବେଶନଗୁଡ଼ିକ ୫ଘଣ୍ଟା ଚାଲୁଥିବା ବେଳେ ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ୬ଘଣ୍ଟା ଚାଲିବ। ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ହେବ।

ଏହି ବୈଠକରେ ବିରୋଧୀ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ କରୋନା ପ୍ରକୋପ କମିଥିବାରୁ ଏଥର ଗୃହ କାର୍ଯ୍ୟ ସ୍ବାଭାବିକ କରାଯାଉ। ସାମ୍ବାଦିକମାନଙ୍କୁ ଗୃହକୁ ପ୍ରବେଶ ଅନୁମତି ଦିଆଯାଉ। ହେଲେ ବାଚସ୍ପତି କହିଥିଲେ ଯେ କୋଭିଡ ସଂକ୍ରାମଣ ବଢ଼ୁଥିବାରୁ ରିସ୍କ୍ ନେଇହେବନାହିଁ। ଏଥର ବି କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ଚାଲିବ। କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର କହିଥିଲେ ଯେ ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଆସନ୍ତୁ। ମୁଖ୍ୟମନ୍ତ୍ରୀ ଗୃହର ନେତା ହୋଇଥିବାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ରହିବା ଆବଶ୍ୟକ। ଅନ୍ୟପକ୍ଷରେ ବାଚସ୍ପତି ଗଣମାଧ୍ୟମକୁ କହିଛନ୍ତି ଯେ ବିଧା‌ନସଭା ସୁରୁଖୁରରେ ଚଳାଇବା ନେଇ ସହମତି ପ୍ରକାଶ ପାଇଛି। କୋଭିଡ ସଂକ୍ରମଣ ବଢ଼ୁଥିବା ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି। ତେଣୁ ସମ୍ଭାବ୍ୟ ସ୍ଥିତିକୁ ନଜରରେ ରଖି କୋଭିଡ କଟକଣା ଭିତରେ ଗୃହ ଚାଲିବ।

Telegraph India

ଉଲ୍ଲେଖଯୋଗ୍ୟ ଯେ ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି। ଆଜିର ବୈଠକରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଜେପି ବିଧା‌ୟକ ଦଳର ଉପନେତା ବିଷ୍ଣୁଚରଣ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ‌ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଧିବେଶନରେ ରାଜ୍ୟର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ। ବୈଠକ ପ୍ରାରମ୍ଭରେ ବାଚସ୍ପତି ଶ୍ରୀ ଆରୁଖଙ୍କୁ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁଚରଣ ସେଠୀ ଓ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଥିଲେ।

ଏପଟେ ବିରୋଧୀ ଦଳ ନେତା ପରିବର୍ତ୍ତନ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଉପନେତା ବିଷ୍ଣୁଚରଣ ସେଠୀଙ୍କୁ ପଚାରିଥିଲେ। ସେ କହିଥିଲେ ଯେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆବଶ୍ୟକତା ଅଛି। ହେଲେ ପରିବର୍ତ୍ତନ ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ନେତା ହିଁ ନେବେ। ଚଳିତ ଅଧିବେଶନରେ ବିରୋଧୀ ଦଳ ନେତା ବଦଳିବା ପରି ଲାଗୁନି।

ସମ୍ବନ୍ଧିତ ଖବର